News18 Odia Digital
ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ପୁଣି ଥରେ ଆତଙ୍କବାଦୀଙ୍କ ଭୟଭୀତ କାର୍ଯ୍ୟ ସାମ୍ନାକୁ ଆସିଛି। କୁଲଗାମ ଜିଲ୍ଲାର ଗୋପାଳପୋରା ଅଞ୍ଚଳର ଏକ ହାଇସ୍କୁଲର ଜଣେ ହିନ୍ଦୁ ଶିକ୍ଷୟତ୍ରୀଙ୍କୁ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଗୁଳିରେ ଶିକ୍ଷୟତ୍ରୀ ଗୁରୁତର ଆହତ ହୋଇଥିଲେ। ଆହତ ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା।
ସୂଚନା ପାଇବା ମାତ୍ରେ ପୋଲିସ ଓ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚି ଏହି ଅଞ୍ଚଳକୁ କର୍ଡନ କରାଯାଇଛି। ଆତଙ୍କବାଦୀଙ୍କ ସନ୍ଧାନ ଜାରି ରହିଛି। ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ଦିନ କୁଲଗାମର ଗୋପାଳପୋରା ଅଞ୍ଚଳରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ।
ଶିକ୍ଷୟତ୍ରୀ ଜାମ୍ମୁ ଡିଭିଜନର ଜିଲ୍ଲା ସାମ୍ବା ନିବାସୀ ଥିଲେ। ଏହି ଜଘନ୍ୟ ଆତଙ୍କବାଦୀ ଅପରାଧରେ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ଶୀଘ୍ର ଚିହ୍ନଟ କରାଯାଇ ହତ୍ୟା କରାଯିବ ବୋଲି ପୋଲିସ କହିଛି।
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜାତୀୟ ସମ୍ମିଳନୀ ନେତା ଓମାର ଅବଦୁଲ୍ଲା ଶିକ୍ଷୟତ୍ରୀଙ୍କ ହତ୍ୟାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଓମାର ଅବଦୁଲ୍ଲା ତାଙ୍କ ଟ୍ୱିଟରରେ ଲେଖିଛନ୍ତି, ‘‘ଅତ୍ୟନ୍ତ ଦୁଃଖଦାୟକ। ନିରୀହ ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ଆକ୍ରମଣର ଏକ ଲମ୍ବା ତାଲିକାରେ ଏହା ଆଉ ଏକ ଟାର୍ଗେଟ ହତ୍ୟା। ନିନ୍ଦା ଓ ସମବେଦନା ଶବ୍ଦଗୁଡ଼ିକ ଖାଲି ହୋଇଯାଉଛି। ସରକାରଙ୍କ ତରଫରୁ କେବଳ ଆଶ୍ୱାସନା ଦିଆଯାଇଛି ଯେ ପରିସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ସେମାନେ ବିଶ୍ରାମ ନେବେ ନାହିଁ।’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।