News18 Odia Digital
ନୂଆ ଦିଲ୍ଲୀ : ନିକଟରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ (Kangana Ranaut) ଟ୍ୱିଟର ଆକାଉଣ୍ଟକୁ ସ୍ଥଗିତ ରଖାଯାଇଛି । ଏହା ସତ୍ତ୍ୱେ ସେ ସୋସିଆଲ ମିଡିଆରେ ସକ୍ରିୟ ରହି ନିଜର ଭାବନା ବାଣ୍ଟିବା ପାଇଁ ଇନଷ୍ଟାଗ୍ରାମ ବ୍ୟବହାର କରୁଛନ୍ତି । ସେ ଇସ୍ରାଏଲ-ପାଲେଷ୍ଟାଇନ ମାମଲାରେ ସୋସିଆଲ ମିଡିଆରେ ଇସ୍ରାଏଲକୁ ସମର୍ଥନ କରିଥିଲେ । ଏହି ସମୟରେ ପୂର୍ବତନ ଭାରତୀୟ ଅଲରାଉଣ୍ଡର ଇରଫାନ ପଠାନ (Irfan Pathan) କଙ୍ଗନାଙ୍କୁ ଏହି ପ୍ରସଙ୍ଗରେ କଡ଼ା ଭାଷାରେ ପ୍ରତିକ୍ରିୟା ଦେଇଛନ୍ତି ।
ମଙ୍ଗଳବାର ଦିନ ସୋସିଆଲ ମିଡିଆରେ ଇରଫାନ୍ ପାଲେଷ୍ଟାଇନକୁ ସମର୍ଥନ କରିଥିଲେ । ସେ କାଗିସୋ ରାବାଡାଙ୍କ ଟ୍ୱିଟକୁ ମଧ୍ୟ ରିଟ୍ୱିଟ କରିଛନ୍ତି ଯେଉଁଥିରେ ସେ #PrayforPalestine' ଲେଖିଛନ୍ତି । ଏହି ସମୟରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଇନଷ୍ଟାଗ୍ରାମ ଷ୍ଟୋରୀରେ ନିଜ ବାର୍ତ୍ତା ସେୟାର କରିଛନ୍ତି । ତାଙ୍କ ଟ୍ୱିଟର ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଛି ଓ ଏହି କାରଣରୁ କଙ୍ଗନା ନିଜ ଇନଷ୍ଟାଗ୍ରାମର ଷ୍ଟୋରିରେ ବିଧାୟକ ଦୀନେଶ ଚୌଧୁରୀଙ୍କ ଏକ ଟ୍ୱିଟକୁ ସେୟାର କରିଛନ୍ତି ।
କେରାକତର ବିଜେପି ବିଧାୟକ ଦୀନେଶ ଚୌଧୁରୀ ନିଜ ଟ୍ୱିଟରେ ଲେଖିଛନ୍ତି - ଇରଫାନ ପଠାନଙ୍କର ଅନ୍ୟ ଦେଶ ପ୍ରତି ଏତେ ଭଲପାଇବା ଅଛି କିନ୍ତୁ ସେ ନିଜ ଦେଶରେ ବଙ୍ଗଳା ଉପରେ ଟ୍ୱିଟ କରି ପାରୁ ନାହିଁନ୍ତି ।
୩୬ ବର୍ଷୀୟ ଏହି ପୂର୍ବତନ ଅଲରାଉଣ୍ଡର ପୁନର୍ବାର ଜବାବ ଦେଇ ଲେଖିଛନ୍ତି, "ମୋର ସମସ୍ତ ଟ୍ୱିଟ୍ ମାନବିକତା କିମ୍ବା ଦେଶବାସୀଙ୍କ ପାଇଁ ଅଟେ । ଏଥିରେ ସର୍ବୋଚ୍ଚ ସ୍ତରରେ ଦେଶ ପ୍ରତିନିଧିତ୍ୱ କରିଥିବା ବ୍ୟକ୍ତିଙ୍କ ନଜର ରହିଛି । ଏଥି ସହିତ, ମୋତେ କଙ୍ଗନା, ଯାହାଙ୍କ ଆକାଉଣ୍ଟ ଘୃଣାଭାବ କାରଣରୁ ସ୍ଥଗିତ କରିଦିଆ ଯାଇଛି ଓ କିଛି ଏପରି ଲୋକଙ୍କ ପେଡ ଆକାଉଣ୍ଟରୁ କେବଳ ଘୃଣା ଦ୍ୱାରା ବିସ୍ତାର କରାଯାଇଥାଏ, ଏହା ଶୁଣିବାକୁ ପଡୁଛି ।'
କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟକୁ ସେତେବେଳେ ସ୍ଥଗିତ ରଖାଯାଇଥିଲା ଯେତେବେଳେ ସେ ବିବାଦୀୟ ଟ୍ୱିଟ୍ ପୋଷ୍ଟ କରିଥିଲେ । ପରେ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ବ୍ୟବହାର କରିବା ଆରମ୍ଭ କରିଥିଲେ । ସେ ପ୍ରାୟତଃ ସୋସିଆଲ ମିଡିଆରେ ଆପତ୍ତିଜନକ ଓ ବିବାଦୀୟ ପୋଷ୍ଟ ସେୟାର କରନ୍ତି ।
Published by: Jagdish Barik
First published: May 13, 2021, 17:00 IST
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।