India vs England: ଭାରତୀୟ ବୋଲର ବିଫଳ ହେଲେ; ଇଂଲଣ୍ଡ ସୃଷ୍ଟି କଲା ଏକ ସ୍ୱତନ୍ତ୍ର ରେକର୍ଡ
India vs England: ଇଂଲଣ୍ଡ ଟିମ୍ ନିଜର ପ୍ରଥମ ଇନିଂସରେ ୧୯୦.୧ ଓଭର ବ୍ୟାଟିଂ କରି ୫୭୮ ରନ୍ ସ୍କୋର କରିଛି । ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମ ଇନିଂସରେ ୧୯୦.୧ ଓଭର ବ୍ୟାଟିଂ କରିବା ହେଉଛି ଦ୍ୱିତୀୟ ସର୍ବୋଚ୍ଚ ରେକର୍ଡ ।

ଇଂଲଣ୍ଡ ସୃଷ୍ଟି କଲା ଏକ ସ୍ୱତନ୍ତ୍ର ରେକର୍ଡ
- News18 Odia
- Last Updated: February 7, 2021, 1:09 PM IST
ନୂଆ ଦିଲ୍ଲୀ: ଚେନ୍ନାଇର ଚେପାକ୍ ଗ୍ରାଉଣ୍ଡରେ ଭାରତ ଓ ଇଂଲଣ୍ଡ (India vs England) ମଧ୍ୟରେ ଚାଲିଥିବା ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯାଉଛି । ଖେଳର ପ୍ରଥମ ଦୁଇ ଦିନରେ ଇଂଲଣ୍ଡ ଦଳ ଭାରତୀୟ ବୋଲରଙ୍କ ଝାଳ ବାହାର କରିଦେଇଥିଲେ । ପାଞ୍ଚ ଜଣ ବୋଲରଙ୍କ ସହ ପଡ଼ିଆକୁ ଓଲ୍ଲହାଇଥିବା ଟିମ୍ ଇଣ୍ଡିଆକୁ ଭ୍ରମଣକାରୀ ଦଳକୁ ଅଲଆଉଟ କରିବା ପାଇଁ ୧୯୦.୧ ଓଭର ବୋଲିଂ କରିବାକୁ ପଡିଥିଲା । ଏହା ବ୍ୟତୀତ ଭାରତୀୟ ବୋଲରମାନେ କୌଣସି ଖାସ ରେକର୍ଡ କରି ପାରିନଥିଲେ । ଏହି ମ୍ୟାଚରେ ୨୦ ଟି ନୋ ବଲ କରି ଭାରତୀୟ ବୋଲରମାନେ ନିଜର ୧୧ ବର୍ଷର ଖରାପ ରେକର୍ଡକୁ ଦୋହରାଇ ଥିଲେ । ଏହାପୂର୍ବରୁ ୨୦୦୯ ମସିହାରେ ଅହମ୍ମଦାବାଦ ଗ୍ରାଉଣ୍ଡରେ ଭାରତୀୟ ବୋଲରମାନେ ଶ୍ରୀଲଙ୍କା ବିପକ୍ଷରେ ସମାନ ସଂଖ୍ୟକ ନୋ ବଲ୍ ଏହି ରେକର୍ଡ଼ କରିଥିଲେ ।
ଇଂଲଣ୍ଡ ୧୯୦.୧ ଓଭର ବ୍ୟାଟିଂ କରି ୫୭୮ ରନ୍ ସ୍କୋର କରିଛି । ଟେଷ୍ଟ କ୍ରିକେଟର ପ୍ରଥମ ଇନିଂସରେ ଏତେ ଓଭର ବ୍ୟାଟିଂ କରିବା ହେଉଛି ଦ୍ୱିତୀୟ ସର୍ବୋଚ୍ଚ ରେକର୍ଡ । ଏହାପୂର୍ବରୁ ଦକ୍ଷିଣ ଆଫ୍ରିକା ୨୦୦୪-୦୫ ମସିହାରେ କାନପୁରରେ ଭାରତ ବିପକ୍ଷରେ ୧୯୦.୪ ଓଭର ବ୍ୟାଟିଂ କରିଥିଲା । ସେହି ମ୍ୟାଚରେ ଦକ୍ଷିଣ ଆଫ୍ରିକାର ଆଣ୍ଡ୍ରିୟୁ ହଲ୍ (୧୬୩) ଓ ଭାରତର ବିରେନ୍ଦର ସେହୱାଗ (୧୬୪) କରି ଶତକ ହାସଲ କରିଥିଲେ । ଏହା ଟେଷ୍ଟ ଡ୍ର ହୋଇଥିଲା ।
ଇଂଲଣ୍ଡର ୫୭୮ ରନ୍ର ଜବାବରେ ଭାରତ ପ୍ରଥମ ଟେଷ୍ଟ କ୍ରିକେଟ୍ ମ୍ୟାଚର ତୃତୀୟ ଦିନରେ ମଧ୍ୟାହ୍ନ ଭୋଜନ ସମୟ ବେଳକୁ କେବଳ ୫୯ ରନ୍ କରିଥିଲା । ଭାରତ ବର୍ତ୍ତମାନ ଇଂଲଣ୍ଡଠାରୁ ୫୧୯ ରନ୍ ପଛରେ ରହିଛି । ମଧ୍ୟାହ୍ନ ଭୋଜନରେ ଚେତେଶ୍ୱର ପୂଜାରା ୨୦ ଖେଳୁଥିଲେ ଓ ଅଧିନାୟକ ବିରାଟ କୋହଲି ଚାରି ରନରେ କ୍ରିଜରେ ଥିଲେ। ଭାରତ ଉଭୟ ଓପନର୍ ରୋହିତ ଶର୍ମା (୬) ଓ ଶୁବମାନ ଗିଲଙ୍କ (୨୯) ୱିକେଟ୍ ହରାଇଥିଲା । ଜୋଫ୍ରା ଆର୍ଚର ଇଂଲଣ୍ଡ ପାଇଁ ଉଭୟ ୱିକେଟ୍ ନେଇଥିଲେ । ଫଲୋନକୁ ଏଡାଇବା ପାଇଁ ଭାରତକୁ ୩୭୯ ରନ୍ ସ୍କୋର କରିବାକୁ ପଡିବ ।