ଆଜି ଭାରତ ଇଂଲଣ୍ଡ ପଞ୍ଚମ ଟେଷ୍ଟ ମ୍ୟାଚ୍
News 18 Odia Digital
ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେବ ଭାରତ ଓ ଇଂଲଣ୍ଡ ମଧ୍ୟରେ ସ୍ଥଗିତ ଥିବା ଟେଷ୍ଟ ସିରିଜ୍ର ଶେଷ ମ୍ୟାଚ୍ । ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆର ନିୟମିତ ଅଧିନାୟକ ରୋହିତ ଶର୍ମା ଖେଳିବେ ନାହିଁ । ସେ କରୋନାରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କ ବଦଳରେ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଅଧିନାୟକ ଦାୟିତ୍ୱ ତୁଲାଇବେ । ଋଷଭ ପନ୍ତ ତାଙ୍କୁ ଡେପୁଟି ଭାବେ ମ୍ୟାଚ୍ ପରିଚାଳନା କରିବେ । ଆଜି ସନ୍ଧ୍ୟାରେ ବିସିସିଆଇ ପକ୍ଷରୁ ଏହି ଘୋଷଣା କରାଯାଇଛି । ୧୦ ମାସ ପରେ ଭାରତ-ଇଂଲଣ୍ଡ କିକେଟ୍ ଦଳ ଅସମାପ୍ତ ଟେଷ୍ଟ ଶୃଙ୍ଖଳାକୁ ସମାପ୍ତ କରିବାକୁ ଯାଉଛି । ଅଭ୍ୟାସ ମ୍ୟାଚ୍ ବେଳେ ରୋହିତ ଶର୍ମା କରୋନାରେ ଆକ୍ରାନ୍ତ ହୋଇଥିଲେ । ସେ ଏଯାଏ ସୁସ୍ଥ ହୋଇ ନାହାନ୍ତି । ଏହି କାରଣରୁ ବୁମ୍ରାଙ୍କୁ ନ୍ୟାଶନାଲ ଚୟନ କମିଟି ଅଧିନାୟକ ଦାୟିତ୍ୱ ଦେଇଛି ।
ଅଧିନାୟକ ପଦ ପାଇବା ପରେ ବୁମ୍ରା ଖୁସିବ୍ୟାକ୍ତ କରିଛନ୍ତି । ସେ କହିଛନ୍ତି, “ଏହା ମୋ ପାଇଁ ବଡ଼ ସମ୍ମାନର ବିଷୟ । ଏହା ମୋ ପାଇଁ ବଡ଼ ଉପଲବ୍ଧି । ଆମେ ଆଜି ସକାଳେ କରୋନା ଟେଷ୍ଟ କରିଥିଲୁ । ରୋହିତଙ୍କ ରିପୋର୍ଟ ପୁଣି ପଜିଟିଭ ଆସିଛି । ଏହାପରେ ମୋତେ ବିଧିବଦ୍ଧ ଭାବେ ଟିମ୍ର ନେତୃତ୍ୱ ନେବାକୁ କୁହାଯାଇଛି ।”
ଗତବର୍ଷ ଇଂଲଣ୍ଡ ବିପକ୍ଷ ଏହି ଟେଷ୍ଟ ସିରିଜ୍ର ନେତୃତ୍ୱ ବିରାଟ କୋହଲି ନେଇଥିଲେ । ସିରିଜ୍ରେ ଖେଳା ଯାଇଥିବା ୪ଟି ମ୍ୟାଚ୍ ମଧ୍ୟରୁ ଭାରତ ୨ଟିରେ ଜିତିଛି ଓ ଇଂଲଣ୍ଡ ଗୋଟିଏରେ ବାଜିମାତ କରିଛି । ୫ ଟିକିଆ ସିରିଜ୍ର ଶେଷ ମ୍ୟାଚ୍ କରୋନା ଯୋଗୁ ବନ୍ଦ ରହିଥିଲା । ତେବେ ବାକି ରହିଥିବା ଶେଷ ମ୍ୟାଚ୍ ଆଜି ଖେଳାଯିବ । ବର୍ତ୍ତମାନ ଟିମ ଇଣ୍ଡିଆ ସିରିଜ୍ରେ ୨-୧ରେ ଆଗୁଆ ରହିଛି । ଯଦି ଦଳ ଶେଷ ମ୍ୟାଚ୍କୁ ଜିତିବ କିମ୍ବା ଡ୍ର କରିବ, ତା’ହେଲେ ଇଂଲଣ୍ଡ ମାଟିରେ ଇତିହାସ ସୃଷ୍ଟି କରିବାରେ ସକ୍ଷମ ହେବ । କାରଣ ୨୦୦୭-୦୮ ପରେ ଭାରତୀୟ ଟିମ୍ ଇଂଲଣ୍ଡରେ ଟେଷ୍ଟ ସିରିଜ ଜିତିବାକୁ ସକ୍ଷମ ହୋଇନି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।