News18 Odia Digital
ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ଚାଲିଥିବା ଆଇ.ସି.ସି. ମହିଳା ଟି-୨୦ ବିଶ୍ବ କପର ଫାଇନାଲ ମ୍ୟାଚ୍ରେ ଆଜି ଭାରତକୁ ୮୫ ରନରେ ହରାଇ ଟାଇଟଲ୍ ହାସଲ କରିଛି ଆୟୋଜକ ଅଷ୍ଟ୍ରେଲିଆ ଦଳ । ବିଶ୍ୱ ମହିଳା ଦିବସରେ ଏହି ବିଜୟରେ ଅଷ୍ଟ୍ରେଲିଆରେ ଖେଳିଯାଇଛି ଖୁସିର ଲହରୀ, ଆଉ ଭାରତକୁ ମିଳିଛି କିଛି ଦୁଃଖ ।
ଭାରତ ଟିମ୍ ଅଷ୍ଟ୍ରେଲିଆ ପକ୍ଷରୁ ଦିଆଯାଇଥିବା ୧୮୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ପଡ଼ିଆକୁ ଓହ୍ଲାଇଥିବା ବେଳେ ୧୯ ଓଭର ଓ ଗୋଟିଏ ବଲରେ ମାତ୍ର ୯୯ ରନ କରି ଅଲ୍-ଆଉଟ ହୋଇଯାଇଥିଲା । ଭାରତର ଏଭଳି ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ଅନେକ ପ୍ରଶଂସକ ଭାରତୀୟ ଖେଳାଳୀଙ୍କୁ ସମାଲୋଚନା କରିଛନ୍ତି ।
ଆଜିର ଏହି ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେବା ସହ ୨୦ ଓଭରରରେ ୪ ୱିକେଟ୍ ହରାଇ ୧୮୪ ରନ ସଂଗ୍ରହ କରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଦୁଇ ପ୍ରାରିମ୍ଭିକ ବ୍ୟାଟର୍ ଆଲିସା ହେଲି ୩୯ ବଲ୍ ଖେଳି ୭୫ ରନ୍ କରିଥିବା ବେଳେ ବେଥ୍ ମୋନି ୫୪ ବଲରୁ ୭୮ ରନ କରି ନଟ୍-ଆଉଟ୍ ଥିଲେ । ପ୍ରାରମ୍ଭିକ ଦୁଇ ଖେଳାଳି ୧୫୩ ରନ୍ କରିଥିବା ଯୋଗୁଁ ଅଷ୍ଟ୍ରେଲିଆ ଏତେ ବଡ଼ ସ୍କୋର କରିପାରିଥିଲା ।
ଭାରତ ପକ୍ଷରୁ ଖରାପ ବୋଲିଂ ପ୍ରଦର୍ଶନ କରାଯାଇଥିଲା । ଭାରତର ଦିପାଲୀ ଶର୍ମା ଦୁଟି ୱିକେଟ୍ ନେଇଥିବା ବେଳେ ପୁନମ୍ ଯାଦବ୍ ଓ ରାଧା ଯାଦବ୍ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଭାରତ ପକ୍ଷରୁ ଶିଖା ପାଣ୍ଡେ ଚ଼ାରି ଓଭର ବୋଲିଂ କରି ସର୍ବାଧିକ ୫୨ ରନ୍ ଦେଇଥିଲେ । କହିବାକୁ ଗଲେ ଅଷ୍ଟ୍ରେଲିଆର ଦୁଇ ପ୍ରାରମ୍ଭିକ ବ୍ୟାଟରଙ୍କୁ ଆଉଟ କରିବାରେ ବିଳମ୍ବ କରିଥିବାରୁ ଭାରତ ହାତରୁ ଏହି ଗୁରୁତ୍ୱପୂର୍ଣ୍ଣ ଟାଇଟଲ୍ ଖସିଯାଇଥିଲା । ଏପରିକି ସେହି ଦୁଇ ପ୍ରାରମ୍ଭିକ ବ୍ୟାଟରଙ୍କ ମଧ୍ୟରୁ ଜଣେ ଶେଷ ପର୍ଯ୍ୟନ୍ତ ନଟ୍-ଆଉଟ୍ ରହିଥିଲେ । ଏହା ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା ।
ତେବେ ଭାରତ ୧୮୪ ରନ ପିଛା କରି ବ୍ୟାଟିଂ ଆରମ୍ଭ କରିଥିବା ବେଳେ ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ଭାରତ ପକ୍ଷରୁ ଟୁର୍ଣ୍ଣାମେଣ୍ଟରେ ଭଲ ପଦର୍ଶନ କରି ଆସୁଥିବା ଶେଫାଳୀ ବର୍ମା ମାତ୍ର ୨ ରନ୍ କରି ଆଉଟ୍ ହୋଇଯାଇଥିଲେ । ଏହି ସମୟରେ ଦଳର ସ୍କୋର ଥିବା ମାତ୍ର ଦୁଇ ରନ୍ ଥିଲା । ଦଳୀୟ ସ୍କୋର ୮ ଥିବା ବେଳେ ଦ୍ବିତୀୟ ୱିକେଟର ପତନ ଘଟିଥିଲା । ଜେମିମା ରୋଡ୍ରଗସ ଖାତା ଖୋଲି ନ ପାରି ଆଉଟ ହୋଇଯାଇଥିଲେ । ଭାରତ ପକ୍ଷରୁ ଦୀପ୍ତି ଶର୍ମା ସର୍ବାଧିକ ୩୩ ରନ୍ କରିଥିବା ବେଳେ ୮ ଜଣ ବ୍ୟାଟର୍ ଦୁଇ ଅଙ୍କ ବିଶିଷ୍ଟ ରନ୍ ସ୍କୋର୍ ଧରି ପାରି ନ ଥିଲେ । ତେବେ ୱିକେଟକିପର୍ ତନୟା ଭାଟିଆ ରିଟାୟଡ୍ ହଟ୍ ହୋଇଥିଲେ ।
ଗତ ଗୁରୁବାର ବିଶ୍ବ କପର ସେମିଫାଇନାଲ ମ୍ୟାଚରେ ଭାରତ-ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ବର୍ଷା ଯୋଗୁଁ କୌଣସି ବଲ ନ ପଡ଼ି ପାରିବାରୁ ମ୍ୟାଚକୁ ବାତିଲ କରି ଦିଆଯାଇଥିଲା । ହେଲେ ଲଗାତର ଚ଼ାରିଟି ମ୍ୟାଚ୍ ଜିତି ସେମିଫାଲନକୁ ଆସିଥିବାରୁ ୮ ପଏଣ୍ଟ ସହ ଭାରତ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲା ।
ସେହିପରି ଗୁରୁବାର ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଅନ୍ୟ ଏକ ସେମିଫାଇନାଲ ମ୍ୟାଚ ଖେଳା ଯାଇଥିଲେ ମଧ୍ୟ ବର୍ଷା ମ୍ୟାଚରେ ବାଧା ସୃଷ୍ଟି କରିଥିଲା । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୫ ୱିକେଟ୍ ବିନିମୟରେ 2୦ ଓଭରରେ ୧୩୪ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ଦକ୍ଷିଣ ଆଫ୍ରିକା ୧୩ ଓଭରରେ ୫ ୱିକେଟ ହରାଇ ୯୨ ରନ ସଂଗ୍ରହ କରିଥିଲା । ବର୍ଷା ଯୋଗୁଁ ମ୍ୟାଚ ଖେଳିବା ସମ୍ଭବ ନ ହେବାରୁ ଡି.ଏଲ୍.ଏସ୍. ପ୍ରଣାଳୀ ଅନୁସାରେ ଅଷ୍ଟ୍ରେଲିଆକୁ ବିଜୟୀ ଘୋଷିତ କରାଯାଇଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।