News18 Odia Digital
ମେଲବର୍ଣ୍ଣ: ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ଚ଼ାଲିଥିବା ଆଇ.ସି.ସି. ମହିଳା ଟି-୨୦ ବିଶ୍ବ କପରେ ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମ୍ୟାଚ଼ ଆରମ୍ଭ ହୋଇଛି । ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେବା ସହ ୨୦ ଓଭରରରେ ଚ଼ାରି ୱିକେଟ ହରାଇ ୧୮୪ ରନ୍ ସଂଗ୍ରହ କରିଛି ।
ଭାରତ ୧୮୪ ରନ ପିଛା କରି ବ୍ୟାଟିଂ ଆରମ୍ଭ କରିଛି । ଆଜି ବିଶ୍ବ ମହିଳା ଦିବସରେ ଯେଉଁ ଦଳ ଜିତିବ ତାଙ୍କ ଦେଶର ମହିଳାମାନଙ୍କ ପାଇଁ ଏହା ଏକ ଚ଼ମତ୍କାର ଉପହାର ହେବ ।
ଭାରତ ପକ୍ଷରୁ ବୋଲିଂ କରି ଦିପାଲି ଶର୍ମା ଦୁଇଟି ୱିକେଟ ନେଇଥିବା ବେଳେ ପୁନମ୍ ଯାଦବ ଓ ରାଧା ଯାଦବ୍ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ଭାରତ ପକ୍ଷରୁ ଶିଖା ପାଣ୍ଡେ ଚ଼ାରି ଓଭରରେ ସର୍ବାଧିକ ୫୨ ରନ୍ ଦେଇଛନ୍ତି ।
ଅଷ୍ଟ୍ରେଲିଆ ପକ୍ଷରୁ ଦୁଇ ପ୍ରାରିମ୍ଭିକ ବ୍ୟାଟ୍ସମ୍ୟାନ ଆଲସା ହେଲି ୩୯ ବଲ୍ ଖେଳି ୭୫ ରନ୍ କରି ଆଉଟ ହୋଇଥିବା ବେଳେ ବେଥ୍ ମୋନି ୫୨ ବଲରୁ ୭୮ ରନ କରି ନଟଆଉଟ୍ ଥିଲେ ।
ଗତ ଗୁରୁବାର ବିଶ୍ବ କପର ସେମିଫାଇନାଲ ମ୍ୟାଚରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳ ହେବାକୁ ଥିଲା । କିନ୍ତୁ ବର୍ଷା ଯୋଗୁଁ ଗୋଟେ ବି ବଲ୍ ପଡ଼ିପାରି ନ ଥିଲା ଓ ମ୍ୟାଚକୁ ବାତିଲ କରିଦିଆଯାଇଥିଲା । ହେଲେ ଲଗାତର ଚ଼ାରିଟି ମ୍ୟାଚ୍ ଜିତି ସେମିଫାଇନାଲକୁ ଆସିଥିବାରୁ ୮ ପଏଣ୍ଟ ସହ ଭାରତ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲା ।
ସେହିପରି ଗୁରୁବାର ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଅନ୍ୟ ଏକ ସେମିଫାଇନାଲ ମ୍ୟାଚ ଖେଳା ଯାଇଥିଲେ ମଧ୍ୟ ବର୍ଷା ମ୍ୟାଚରେ ବାଧା ସୃଷ୍ଟି କରିଥିଲା । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୫ ଉଇକେଟ୍ ବିନିମୟରେ ୨୦ ଓଭରରେ ୧୩୪ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ଦକ୍ଷିଣ ଆଫ୍ରିକା ୧୩ ଓଭରରେ ୫ ଉଇକେଟ ହରାଇ ୯୨ ରନ ସଂଗ୍ରହ କରିଥିଲା । ବର୍ଷା ଯୋଗୁଁ ମ୍ୟାଚ ଚ଼ାଲୁରହିବା ସମ୍ଭବ ନ ହେବାରୁ ଡି.ଏଲ୍.ଏସ ସ୍. ପ୍ରଣାଳୀରେ ଅଷ୍ଟ୍ରେଲିଆକୁ ବିଜୟୀ ଘୋଷିତ କରାଯାଇଥିଲା ।
ଆଜି ହେଉଥିବା ଫାଇନାଲ ମ୍ୟାଚରେ ଭାରତ ପକ୍ଷରୁ ଶେଫାଳି ବର୍ମା, ସ୍ମୃତି ମନ୍ଧାନା, ତାନିଆ ଭାଟିଆ ଓ ହରମନପ୍ରିତ୍ କୌରଙ୍କ ଭଳି ଲମ୍ବା ବ୍ୟାଟିଂ ଲାଇନ ଥିବା ବେଳେ ଅଷ୍ଟ୍ରେଲିଆ ପାଖରେ ଆଲଷା ହେଲି, ବେଥ ମୋନି, ମେଗ ଲାନ୍ନିଂ ରାଚେଲ ହାନସଙ୍କ ଭଳି ଭଲ ବ୍ୟାଟର୍ ଅଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।