News18 Odia Digital
ନୂଆ ଦିଲ୍ଲୀ: ବ୍ରିଟେନର ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଚାର୍ଲ୍ସ ତୃତୀୟଙ୍କୁ ବ୍ରିଟେନର ନୂଆ ରାଜା ଘୋଷିତ କରାଯାଇଛି। ପୁରୁଣା ପରମ୍ପରାକୁ ଭାଙ୍ଗି ଏହି ସମାରୋହ ପ୍ରଥମ ଥର ପାଇଁ ଟେଲିଭିଜନରେ ପ୍ରସାରଣ କରାଯାଇଛି। ଲଣ୍ଡନର ସେଣ୍ଟ ଜେମ୍ସ ପ୍ୟାଲେସରେ ଆନୁଷ୍ଠାନିକ ଭାବେ ରାଜାଙ୍କ ଶପଥ ଗ୍ରହଣ କରାଯାଇଛି।
ଅନ୍ଯପଟେ ବ୍ରିଟେନର ରାଣୀ ଏଲିଜାବେଥଙ୍କ ଦେହାନ୍ତରେ ତାଙ୍କ ସମ୍ମାନାର୍ଥେ ଭାରତ ସରକାର ଆଜି ରାଷ୍ଟ୍ରୀୟ ଶୋକ ଦିବସ ପାଳନ କରୁଛନ୍ତି। ଆଜି ସମସ୍ତ ସରକାରୀ ଓ ଜାତୀୟ ଭବନରେ ତ୍ରିରଙ୍ଗା ଅର୍ଦ୍ଧ ନମିତ ହେବ। ଏଥିସହ ଆଜି କୌଣସି ସରକାରୀ ମନୋରଞ୍ଜନ କାର୍ଯ୍ୟକ୍ରମ ହେବ ନାହିଁ।
ରାଣୀ ଏଲିଜାବେଥ-୨ ଗୁରୁବାର ୯୬ ବର୍ଷ ବୟସରେ ଦେହାନ୍ତ କରିଛନ୍ତି। ସେ ୧୯୫୨ ମସିହାରେ ବ୍ରିଟେନର ରାଣୀ ଭାବରେ ମୁକୁଟ ପିନ୍ଧିଥିଲେ। ସେ ରାଣୀ ଭାବେ ଦୀର୍ଘ ୭୦ ବର୍ଷ ଶାସନ କରିଥିଲେ।
ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଦେହାନ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନକର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମବେଦନା ଜଣାଇଥିଲେ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବ୍ରିଟେନର ରାଣୀ ଏଲିଜାବେଥଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଥିଲେ। ୭ ଦଶନ୍ଧିରୁ ଅଧିକ ସମୟ ଧରି ସେ ନିଜ ଦେଶ ଚଳାଇବା ପରେ ଏକ ଯୁଗ ଅତିବାହିତ ହୋଇଛି। ମୁଁ ବ୍ରିଟେନବାସୀ ଓ ତାଙ୍କ ପରିବାର ପ୍ରତି ମୋର ହୃଦୟରୁ ସମବେଦନା ଜଣାଉଛି ବୋଲି କହିଥିଲେ ରାଷ୍ଟ୍ରପତି।
ଏଥି ସହ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ବାର୍ତ୍ତା ସହିତ ରାଣୀଙ୍କ ସହ ସାକ୍ଷାତକାରର ଫଟୋ ସେୟାର କରିଛନ୍ତି। ପ୍ରଧାନମନ୍ତ୍ରୀ ଲେଖିଥିଲେ ୨୦୧୫ ଓ ୨୦୧୮ରେ ମୋର ବ୍ରିଟେନ ଗସ୍ତ ସମୟରେ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ସହ ସ୍ମରଣୀୟ ବୈଠକ ହୋଇଥିଲା। ମୁଁ ତାଙ୍କର ଦୟାକୁ କେବେବି ଭୁଲି ପାରିବି ନାହିଁ। ଗୋଟିଏ ବୈଠକରେ ସେ ମୋତେ ରୁମାଲ ଦେଖାଇଲେ ଯାହା ମହାତ୍ମା ଗାନ୍ଧି ତାଙ୍କୁ ତାଙ୍କ ବିବାହରେ ଉପହାର ସ୍ୱରୂପ ଦେଇଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।