ସୁପର ଓଭରରେ ବମ୍ପର ବିଜୟ ସହ ନ୍ୟୁଜିଲାଣ୍ଡରେ ପ୍ରଥମ ଟି-ଟ୍ବେଣ୍ଟି ସିରିଜ ଜିତିଲା ଭାରତ, ରୋହିତଙ୍କ ଲଗାତାର ଛକା ନ୍ୟୁଜିଲାଣ୍ଡଠୁ ବିଜୟ ଛଡ଼ାଇ ଆଣିଲା

ଟି-ଟ୍ବେଣ୍ଟିରେ ନ୍ୟୁଜିଲାଣ୍ଡ ବିରୋଧରେ ଭାରତର ରେକର୍ଡ଼ ସେତେଟା ଭଲ ନଥିବାବେଳେ ନ୍ୟୁଜିଲାଣ୍ଡ ମାଟିରେ ପୂର୍ବରୁ କେବେବି ଟି-ଟ୍ବେଣ୍ଟି ସିରିଜ ଜିତିପାରିନଥିଲା । ଏହା ପୂର୍ବରୁ ଅକଲାଣ୍ଡରେ ଅନୁଷ୍ଠିତ ଦୁଇଟି ମ୍ୟାଚରେ ଟିମ୍ ଇଣ୍ଡିଆ ବିଜୟୀ ହୋଇଥିଲା ।

ସୁପର ଓଭରରେ ବମ୍ପର ବିଜୟ ସହ ନ୍ୟୁଜିଲାଣ୍ଡରେ ପ୍ରଥମ ଟି-ଟ୍ବେଣ୍ଟି ସିରିଜ ଜିତିଲା ଭାରତ, ରୋହିତଙ୍କ ଲଗାତାର ଛକା ନ୍ୟୁଜିଲାଣ୍ଡଠୁ ବିଜୟ ଛଡ଼ାଇ ଆଣିଲା
ରୋହିତ ଶର୍ମା ବୀଜୟୀ ଛକା ମାରୁଛନ୍ତି ।
  • News18 Odia
  • Last Updated: January 29, 2020, 5:42 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ହାମିଲଟନ୍: ସୁପର ଓଭରରେ ରୋହିତ ଶର୍ମାଙ୍କ ଲଗାତାର ଛକା ମାଡ଼ରେ ଭାରତ ହାମିଲଟନଠାରେ ଅନୁଷ୍ଠିତ ତୃତୀୟ ଟି-ଟ୍ବେଣ୍ଟି ମ୍ୟାଚରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ବମ୍ପର ବିଜୟ ହାସଲ କରିବା ସହ ସିରିଜକୁ ମଧ୍ୟ ଜିତି ନେଇଛି । ୧୮୦ରନ୍ ର ଟାର୍ଗେଟକୁ ପିଛା କରି ନ୍ୟୁଜିଲାଣ୍ଡ ୬ ଉଇକେଟ ହରାଇ ୧୭୯ ସଂଗ୍ରହ କରିବାରୁ ମ୍ୟାଚ ଟାଇ ହୋଇଥିଲା ଏବଂ ପରେ ସୁପର ଓଭରରେ ମ୍ୟାଚର ନିଷ୍ପତ୍ତି ହୋଇଥିଲା ।

 

ସୁପର ଓଭର ରୋମାଞ୍ଚ

ସୁପର ଓଭରରେ ପ୍ରଥମେ ନ୍ୟୁଜିଲାଣ୍ଡ ତରଫରୁ ମାର୍ଟିନ ଗପଟିଲ୍ ଏବଂ ଅଧିନାୟକ କେନ୍. ଉଇଲିମସନ୍ ବ୍ୟାଟିଂ ପାଇଁ ଓହ୍ଲାଇଥିବାବେଳେ ଭାରତ ତରଫରୁ ଜସପ୍ରିତ୍ ବୁମରା ବୋଲିଂ ଭାର ସମ୍ଭାଳିଥିଲେ । ଉଇଲିମସନ୍ ପ୍ରଥମ ବଲରେ ସିଙ୍ଗଲ ନେଇଥିବାବେଳେ ଦ୍ବିତୀୟ ବଲରେ ଗପଟିଲ୍ ମଧ୍ୟ ସିଙ୍ଗଲ ନେଇଥିଲେ । ତେବେ ପରବର୍ତ୍ତୀ ଦୁଇଟି ବଲରେ ଉଇଲିମସନ୍ ଛକା ଏବଂ ଚୌକା ମାରିଥିଲେ । ପରେ ଏକ ବାଇରନ୍ ନେଇଥିଲେ । ଓଭରର ଶେଷ ବଲରେ ଗପଟିଲ୍ ଚୌକା ମାରି ଦଳର ସ୍କୋରକୁ ୧୭ ରନରେ ପହଞ୍ଚାଇଥିଲେ ।

ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ଉଇଲିମସନ୍ ଏକ ସଟ ଖେଳିବା ଅବସରରେ


ପରେ ଭାରତ ଲାଗି ଦୁଇ ଭେଟେରାନ ଓପନର ରୋହିତ ଶର୍ମା ଏବଂ କେ.ଏଲ୍. ରାହୁଲ ବ୍ୟାଟିଂ ପାଇଁ ଆସିଥିବାବେଳେ ନ୍ୟୁଜିଲାଣ୍ଡ ପାଇଁ ଟିମ୍ ସାଉଦି ବୋଲିଂ ଭାର ସମ୍ଭାଳିଥିଲେ । ପ୍ରଥମ ବଲରେ ରୋହିତ ଦୁଇରନ୍ ସଂଗ୍ରହ କରିଥିବାବେଳେ ଦ୍ବିତୀୟ ବଲରେ ଏକ ରନ୍ ନେଇଥିଲେ । ତୃତୀୟ ବଲରେ ରାହୁଲ ଚୌକା ମାରିଥିବାବେଳେ ଚତୁର୍ଥ ବଲରେ ଏକ ରନ୍ ନେଇଥିଲେ । ତେବେ ରୋହିତ ପଞ୍ଚମ ବଲରେ ଛକା ମାରିଥିବାବେଳେ ଶେଷ ବଲରେ ବିଜୟ ପାଇଁ ଭାରତକୁ ୪ରନ୍ ଆବଶ୍ୟକ ଥିବାବେଳେ ରୋହିତ ଲଙ୍ଗଅଫରେ ବିଶାଳ ଛକା ମାରି ଦଳକୁ ସ୍ମରଣୀୟ ବିଜୟ ଦେଇଥିଲେ ।

ପୂର୍ବରୁ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୯ ରନ କରିଥିବାବେଳେ ତୃତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଅଧିନାୟକ ଉଇଲିମସନ୍ ଅଲଗା ରଣନୀତି ନେଇ ପଡ଼ିଆକୁ ଓହ୍ଲାଇଥିଲେ । ନ୍ୟୁଜିଲାଣ୍ଡ ନିୟମିତ ବ୍ୟବଧାନରେ ଉଇକେଟ୍ ହରାଉଥିବାବେଳେ ଉଇଲିମସନ୍ କ୍ରିଜରେ ତିଷ୍ଟି ରହି ୪୮ ବଲରୁ ୯୫ ରନ୍ ସଂଗ୍ରହ କରିଥିଲେ ବି ମ୍ୟାଚ ଟାଇ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମାର୍ଟିନ ଗପଟିଲ୍ ୩୧, କଲିନ ମୁନରୋ ୧୪ ରନ୍ ସଂଗ୍ରହ କରିଥିଲେ ।

ନ୍ୟୁଜିଲାଣ୍ଡ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିବାବେଳେ ଓପନର ରୋହିତ ଶର୍ମା ୨୩ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ ଏବଂ ରାହୁଲ ୧୯ ବଲରୁ ୨୭ ରନ୍ ସଂଗ୍ରହ କରି ଆଉଟ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ବିରାଟ କୋହଲି ୨୭ ବଲରୁ ୩୮ ରନ୍, ମନୀଷ ପେଣ୍ଡେ ୬ ବଲରୁ ୧୪ ଏବଂ ରାବୀନ୍ଦ୍ର ଜାଡେଜା ୧୦ରନ୍ ସଂଗ୍ରହ କରିଥିଲେ ।

 
First published: January 29, 2020, 5:42 PM IST
corona virus btn
corona virus btn
Loading