News18 Odia Digital
India bans exports of Wheat: କେନ୍ଦ୍ରରେ ମୋଦି ସରକାର ଗହମ ରପ୍ତାନି ଉପରେ ସର୍ତ୍ତମୂଳକ ପ୍ରତିବନ୍ଧକ ଲଗାଇଛନ୍ତି। ଘରୋଇ ବଜାରରେ ଗହମର ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଅବଶ୍ୟ, ଗହମ ରପ୍ତାନି କିଛି ସର୍ତ୍ତ ସହିତ ଜାରି ରହିବ। ଚୁକ୍ତିଭିତ୍ତିକ ରପ୍ତାନିରେ ସରକାରଙ୍କ ଏହି ନିଷ୍ପତ୍ତି ପ୍ରଯୁଜ୍ୟ ହେବ ନାହିଁ। ଏହାର ବିଜ୍ଞପ୍ତି ମଧ୍ୟ ସରକାର ପ୍ରଦାନ କରିଛନ୍ତି। ବିଜ୍ଞପ୍ତିରେ କୁହାଯାଇଛି ଯେ ଭାରତ, ପଡୋଶୀ ଦେଶ ତଥା ଅନ୍ୟାନ୍ୟ ଅସୁରକ୍ଷିତ ଦେଶର ଖାଦ୍ୟ ସୁରକ୍ଷା ବିପଦରେ।
ଦେଶର ସାମଗ୍ରିକ ଖାଦ୍ୟ ନିରାପତ୍ତାକୁ ପରିଚାଳନା କରିବା ଓ ପଡୋଶୀ ତଥା ଅନ୍ୟାନ୍ୟ ଅସୁରକ୍ଷିତ ଦେଶର ଆବଶ୍ୟକତାକୁ ସମର୍ଥନ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ସରକାର କହିଛନ୍ତି। ବିଜ୍ଞପ୍ତିରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ ପଡୋଶୀ ତଥା ଅନ୍ୟାନ୍ୟ ଅସୁରକ୍ଷିତ ବିକାଶଶୀଳ ଦେଶର ଖାଦ୍ୟ ନିରାପତ୍ତା ଆବଶ୍ୟକତା ଯୋଗାଇବା ପାଇଁ ଭାରତ ସରକାର ପ୍ରତିବଦ୍ଧ, ଯାହା ବିଶ୍ୱ ଗହମ ବଜାରରେ ହଠାତ୍ ପରିବର୍ତ୍ତନ ଦ୍ୱାରା ପ୍ରତିକୂଳ ପ୍ରଭାବିତ ହୁଏ ଓ ପର୍ଯ୍ୟାପ୍ତ ପରିମାଣର ଗହମ ଯୋଗାଣରେ ଅସମର୍ଥ ହୁଏ।
ସରକାର କହିଛନ୍ତି ଯେ ଅନେକ ଗହମର ବିଶ୍ୱ ମୂଲ୍ୟରେ ହଠାତ୍ ବୃଦ୍ଧି ଘଟିଛି, ଫଳସ୍ୱରୂପ ଭାରତ, ପଡୋଶୀ ତଥା ଅନ୍ୟାନ୍ୟ ଅସୁରକ୍ଷିତ ଦେଶର ଖାଦ୍ୟ ନିରାପତ୍ତା ବିପଦରେ ରହିଛି। ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ହେତୁ ଗହମର ଆନ୍ତର୍ଜାତୀୟ ମୂଲ୍ୟ ପ୍ରାୟ ୪୦ ପ୍ରତିଶତ ବୃଦ୍ଧି ପାଇଛି। ଏହି କାରଣରୁ ଭାରତରୁ ଏହାର ରପ୍ତାନି ବୃଦ୍ଧି ପାଇଛି। ଚାହିଦା ବୃଦ୍ଧି ହେତୁ ସ୍ଥାନୀୟ ସ୍ତରରେ ଗହମ ଓ ମଇଦା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି।
ଗହମ କ୍ରୟ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ କ୍ୱିଣ୍ଟାଲ ପାଇଁ ୨,୦୧୫ ଟଙ୍କା। ଦେଶରେ ଗହମ ଓ ମଇଦାର ଖୁଚୁରା ମୁଦ୍ରାସ୍ଫୀତି ମାର୍ଚ୍ଚରେ ୭.୭୭% ରୁ ଏପ୍ରିଲରେ ୯.୫୯% କୁ ବୃଦ୍ଧି ପାଇଛି। ଖୋଲା ବଜାରରେ ଗହମର ମୂଲ୍ୟ ଏମଏସପି ତୁଳନାରେ ବହୁ ଅଧିକ ଥିବାରୁ ଚଳିତ ବର୍ଷ ଗହମର ସରକାରୀ କ୍ରୟ ପ୍ରାୟ ୫୫% ହ୍ରାସ ପାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।