News18 Odia Digital
ନୂଆ ଦିଲ୍ଲୀ: ସୁପ୍ରିମକୋର୍ଟରେ ୭୫ତମ ସ୍ୱାଧୀନତା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନ ବିଚାରପତି ଏନ.ଭି ରମଣ ସଂସଦୀୟ କାର୍ଯ୍ୟକୁ ସମାଲୋଚନା କରିଛନ୍ତି। ପ୍ରଧାନ ବିଚାରପତି ତାଙ୍କ ବକ୍ତବ୍ୟରେ କେବଳ ସଂସଦର ପ୍ରକ୍ରିୟାରେ ଉତ୍ତେଜନା କାରଣରୁ ହୋଇଥିବା ବ୍ୟାଘାତ ବିଷୟରେ କଥାବାର୍ତ୍ତା କରିନାହାଁନ୍ତି ବରଂ ବିଲ ପାସ ପ୍ରକ୍ରିୟା ଚାଲିଥିବା ସଂସଦୀୟ ବିତର୍କ ଉପରେ ମଧ୍ୟ ପ୍ରଶ୍ନ କରିଥିଲେ। ଅତୀତକୁ ତୁଳନା କରି ପ୍ରଧାନ ବିଚାରପତି କହିଛନ୍ତି ଯେ ପୂର୍ବରୁ ସଂସଦର ଉଭୟ ଗୃହ ଓକିଲମାନଙ୍କ ଦ୍ୱାରା ପରିପୂର୍ଣ୍ଣ ଥିଲା, କିନ୍ତୁ ବର୍ତ୍ତମାନର ପରିସ୍ଥିତି ଭିନ୍ନ। ନ୍ୟାୟିକ କାର୍ଯ୍ୟ ବ୍ୟତୀତ ଜନସେବାରେ ସହଯୋଗ କରିବାକୁ ସେ ଓକିଲମାନଙ୍କୁ କହିଥିଲେ। ସେ କହିଛନ୍ତି ଯେ ବର୍ତ୍ତମାନର ପରିସ୍ଥିତି ନିରାଶାଜନକ ଓ ସଂସଦର ଉଭୟ ଗୃହରେ ପର୍ଯ୍ୟାପ୍ତ ବିତର୍କ ନାହିଁ।
ପ୍ରଧାନ ବିଚାରପତି କହିଛନ୍ତି, 'ବର୍ତ୍ତମାନ ଆଇନ ବିଷୟରେ କୌଣସି ସ୍ପଷ୍ଟତା ନାହିଁ। ଆମେ ଆଇନର ଉଦ୍ଦେଶ୍ୟ ବିଷୟରେ ମଧ୍ୟ ଅବଗତ ନାହୁଁ। ଏହା ଲୋକଙ୍କ ପାଇଁ ଏକ କ୍ଷତି ସହ ସମାନ। ଯେତେବେଳେ ଗୃହରେ କୌଣସି ଆଇନଜୀବୀ ଓ ବୁଦ୍ଧିଜୀବୀ ନଥାନ୍ତି ସେତେବେଳେ ଏହା ଘଟେ। ଯଦି ଆମେ ଆମର ସ୍ୱାଧୀନତା ସଂଗ୍ରାମୀଙ୍କୁ ଦେଖିବା, ସେମାନଙ୍କ ମଧ୍ୟରୁ ଅନେକ ଆଇନଗତ ପୃଷ୍ଠଭୂମିରୁ ଆସିଥିଲେ। ଲୋକସଭା ଓ ରାଜ୍ୟସଭାର ପ୍ରଥମ ସଦସ୍ୟମାନେ ପ୍ରାୟତ ଆଇନଗତ ପୃଷ୍ଠଭୂମିରୁ ଆସିଥିଲେ।
ପ୍ରଧାନ ବିଚାରପତି କହିଛନ୍ତି ଯେ ଆପଣ ବର୍ତ୍ତମାନ ଯାହା ଦେଖୁଛନ୍ତି ତାହା ଦୁଃଖଦଦାୟକ। ଅତୀତରେ ସଂସଦର ବିତର୍କ ଅତ୍ୟନ୍ତ ଗଠନମୂଳକ ଥିଲା। ମୁଁ ଆର୍ଥିକ ବିଲ ଉପରେ ବିତର୍କ ଦେଖିଛି ଓ ସେଠାରେ ବହୁତ ଗଠନମୂଳକ ମନ୍ତବ୍ୟ ଥିଲା। ଆଇନଜୀବୀଙ୍କ ସହ ଯେଉଁମାନେ ଯୁକ୍ତିତର୍କ କରୁଥିଲେ ଓ ଆଲୋଚନା କରିଥିଲେ, ଯେଉଁମାନେ ବିଲର ଆଇନଗତ ଦିଗ ବିଷୟରେ ସ୍ପଷ୍ଟ ଥିଲେ। ଦେଶର ସେବାରେ ମଧ୍ୟ ଜ୍ଞାନକୁ ବ୍ୟବହାର କରିବା ଉଚିତ।
୭୫ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନ ବିଚାରପତି ଏନ.ଭି ରମଣ କହିଛନ୍ତି ଯେ ନୀତି ଓ ସଫଳତାର ସମୀକ୍ଷା କରିବାର ଏହା ହେଉଛି ସମୟ। ସେ କହିଛନ୍ତି, '୭୫ବର୍ଷ ସମୟ କୌଣସି ଦେଶର ଇତିହାସରେ କମ ନୁହେଁ | ଯେତେବେଳେ ଆମେ ବିଦ୍ୟାଳୟକୁ ଯାଉଥିଲୁ, ଆମେ ଏକ ଛୋଟ ପତାକା ଧରୁଥିଲୁ। ଆଜି ଆମର ପାଖରେ ବହୁତ ବଡ଼ ପତାକା ଅଛି କିନ୍ତୁ ଆମେ ଖୁସି ନୁହଁ। ଆମର ସନ୍ତୁଷ୍ଟ ସ୍ତର ବହୁତ କମରେ ପହଞ୍ଚିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।