News18 Odia Digital
ନୂଆ ଦିଲ୍ଲୀ: ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଟି-୨୦ ସିରିଜରେ ବୋଲିଂ କରିଥିଲେ । ସେ ଭଲ ବୋଲିଂ ମଧ୍ୟ କରିଥିଲେ । କିନ୍ତୁ ତାଙ୍କୁ ଦିନିକିଆ ସିରିଜରେ ବ୍ୟବହାର କରାଯାଇ ନଥିଲା । ପ୍ରଥମ ଦୁଇଟି ଦିନିକିଆରେ ସ୍ପିନ୍ ବୋଲରମାନେ ବହୁତ ମହଙ୍ଗା ହୋଇଥିଲେ । ତଥାପି ହାର୍ଦ୍ଦିକ ଗୋଟିଏ ଓଭର ମଧ୍ୟ ବୋଲିଂ କରିନଥିଲେ । କ୍ୟାପଟେନ ବିରାଟ କୋହଲିଙ୍କ ବଡ ବିବୃତ୍ତି ମଧ୍ୟ ଏ ବିଷୟରେ ଆସିଛି । ଏହାକୁ ଟିମ୍ ଇଣ୍ଡିଆର ରଣନୀତି ଭାବରେ ଦେଖାଯାଇପାରେ । କାରଣ ଚଳିତ ବର୍ଷ ଦୁଇଟି ବଡ଼ ଟୁର୍ନାମେଣ୍ଟ ହେବାକୁ ଯାଉଛି ।
ଦ୍ୱିତୀୟ ଦିନିକିଆ ହାରିବା ପରେ ବିରାଟ କୋହଲି କହିଛନ୍ତି, 'ଆମକୁ ହାର୍ଦ୍ଦିକଙ୍କ ଯତ୍ନ ନେବା ଆବଶ୍ୟକ । ଆମେ କେଉଁଠାରେ ଆବଶ୍ୟକ ତାହା ଜାଣିବା ଜରୁରୀ । ସେ ଟି -୨୦ ରେ ବୋଲିଂରେ ବ୍ୟବହୃତ ହୋଇଥିଲେ ମଧ୍ୟ ଦିନିକିଆରେ ତାଙ୍କର କାର୍ଯ୍ୟଭାର ଦେଖିବା ଜରୁରୀ ଅଟେ । ଆମକୁ ଇଂଲଣ୍ଡରେ ଟେଷ୍ଟ ମ୍ୟାଚ୍ ଖେଳିବାକୁ ପଡିବ ଓ ତେଣୁ ଆମ ପାଇଁ ଫିଟ୍ ହେବା ଜରୁରୀ ଅଟେ । "ସିରିଜ୍ ଏପର୍ଯ୍ୟନ୍ତ ୧-୧ ବାରବର ରହିଛି । ଏହାପୂର୍ବରୁ ଟିମ୍ ଇଣ୍ଡିଆ ଟେଷ୍ଟ ସିରିଜ୍ ୩-୧ ଓ ଟି-୨୦ ସିରିଜ୍ ୩-୨ ରେ ଜିତିଥିଲା ।
ଜୁନ୍ ମାସରେ ନ୍ୟୁଜିଲ୍ୟାଣ୍ଡ ସହ ଫାଇନାଲ ମ୍ୟାଚ ଖେଳିବ ଭାରତ ଚଳିତ ବର୍ଷ ଜୁନ୍ ମାସରେ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ । ଏହା ବ୍ୟତୀତ ଚଳିତ ବର୍ଷ ଟି -୨୦ ବିଶ୍ୱକପ ମଧ୍ୟ ଘରେ ଅନୁଷ୍ଠିତ ହେବ । ଅର୍ଥାତ୍ ଚଳିତ ବର୍ଷ ଆଇସିସିର ଦୁଇଟି ବଡ ସିରିଜ ଅନୁଷ୍ଠିତ ହେବ । ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ଇଂଲଣ୍ଡର ସାଉଥମ୍ପଟନ୍ ଗ୍ରାଉଣ୍ଡରେ ୧୮ ରୁ ୨୨ ଜୁନ୍ ମଧ୍ୟରେ ଖେଳାଯିବ । ଏଠାରେ ଥିବା ପିଚ୍ ଦ୍ରୁତ ବୋଲରଙ୍କ ପାଇଁ ଅନୁକୂଳ ବିବେଚନା କରାଯାଏ । ଏଭଳି ପରିସ୍ଥିତିରେ ହାର୍ଦ୍ଦିକ ପାଣ୍ଡ୍ୟା ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳିପାରନ୍ତି । ତେବେ ସେପ୍ଟେମ୍ବର ୨୦୧୮ ଠାରୁ ହାର୍ଦ୍ଦିକ ପାଣ୍ଡ୍ୟା କୌଣସି ଟେଷ୍ଟ ଖେଳି ନାହାଁନ୍ତି । ତାଙ୍କର ଟେଷ୍ଟ ରେକର୍ଡ ବିଷୟରେ କହିବାକୁ ଗଲେ ସେ ହାରାହାରି ୩୧ ରେ ଟେଷ୍ଟରେ ୫୩୨ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ୪ଟି ଅର୍ଦ୍ଧ ଶତକ ସାମିଲ ରହିଛି |।ବୋଲିଂ ବିଷୟରେ କହିବାକୁ ଗଲେ ପାଣ୍ଡ୍ୟା ନିଜ ଟେଷ୍ଟ କରିୟରରେ ମୋଟ ୧୭ଟି ୱିକେଟ୍ ନେଇଛନ୍ତି ।
ବିରାଟ କୋହଲି ଜିତିପାରିନଥିଲେ ଆଇସିସି ଟ୍ରଫି ଚଳିତ ବର୍ଷ ଟି -୨୦ ବିଶ୍ୱକପ ଅକ୍ଟୋବର-ନଭେମ୍ବରରେ ଭାରତରେ ଅନୁଷ୍ଠିତ ହେବ । ଫଳରେ ଆୟୋଜିତ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ଟିମ୍ ଇଣ୍ଡିଆ ଭଲ ପ୍ରଦର୍ଶନ କରିବାକୁ ଚାହୁଁଛି । ଟି -୨୦ ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ରେକର୍ଡ ଅତ୍ୟନ୍ତ ପ୍ରଭାବଶାଳୀ । ଏଭଳି ପରିସ୍ଥିତିରେ ସେ ଦଳର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖେଳାଳି ବୋଲି ପ୍ରମାଣ ହୋଇପାରନ୍ତି । ଅନ୍ୟପକ୍ଷରେ ଅଧିନାୟକ ବିରାଟ କୋହଲି ଉଭୟ ଆଇସିସି ଟୁର୍ନାମେଣ୍ଟ ଉପରେ ନଜର ରଖିବେ । କୋହଲିଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ଆଇସିସି ଟାଇଟଲ୍ ଜିତିନାହିଁ । ଏଭଳି ପରିସ୍ଥିତିରେ କୋହଲି ଚଳିତ ବର୍ଷ ଏହି ଅବାଞ୍ଛିତ ରେକର୍ଡକୁ ସମାପ୍ତ କରିବାକୁ ଚାହୁଁଛନ୍ତି । ୨୦୦୭ ମସିହାରେ ଶେଷ ଥର ପାଇଁ ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପ୍ ଟାଇଟଲ୍ ଜିତିଥିଲା ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।