IND VS ENG: ଇଂଲଣ୍ଡ ଠାରୁ ଟେଷ୍ଟ ସିରିଜ ଜିତଲା ଭାରତ; ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ କଲା
IND VS ENG: ଅହମ୍ମଦାବାଦରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟରେ ଭାରତ ଏକ ଇନିଂସ ଓ ୨୫ ରନରେ ଜିତିନେଇଛି । ଅକ୍ଷର ପଟେଲ ଓ ରବିଚନ୍ଦ୍ରନ ଅଶ୍ୱିନ ଦ୍ୱିତୀୟ ଇନିଂସରେ ୫ଟି ଲେଖାଏଁ ୱିକେଟ୍ ନେଇଛନ୍ତି ।

ଇଂଲଣ୍ଡ ଠାରୁ ଟେଷ୍ଟ ସିରିଜ ଜିତଲା ଭାରତ
- News18 Odia
- Last Updated: March 6, 2021, 4:35 PM IST
ନୂଆ ଦିଲ୍ଲୀ: ଅହମ୍ମଦାବାଦରେ ଖେଳାଯାଇଥିବା ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚରେ ଭାରତ ଏକ ଇନିଂସ ଓ ୨୫ ରନରେ ଇଂଲଣ୍ଡକୁ ପରାସ୍ତ କରିଛି । ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ମଧ୍ୟ ଭାରତୀୟ ସ୍ପିନରଙ୍କ ସାମ୍ନାରେ ତାସ ପତା ପରି ପଡ଼ି ଯାଇଥିଲା । ପ୍ରଥମ ଟେଷ୍ଟ ମ୍ୟାଚ୍ ହାରିଯିବା ପରେ ଟିମ୍ ଇଣ୍ଡିଆ ଏକ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଲଗାତାର ତିନିଟି ଟେଷ୍ଟ ମ୍ୟାଚ୍ ଜିତି ସିରିଜକୁ ୩-୧ ରେ କାବୁ କରିଛି । ଏହି ବିଜୟ ସହିତ ଭାରତୀୟ ଦଳ ମଧ୍ୟ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲ ପ୍ରବେଶ କରିଛି । ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲରେ ଭାରତ ଲର୍ଡ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡକୁ ଭେଟିବେ । ଏହି ମ୍ୟାଚ୍ ୧୮ ଜୁନ୍ ରେ ଖେଳାଯିବ ।
ଭାରତର ଶ୍ରେଷ୍ଠ ବୋଲିଂ, ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ନିରାଶ କଲେ
ମ୍ୟାଚ୍ର ସ୍କୋର ବିଷୟରେ କହିବାକୁ ଗଲେ ପ୍ରଥମ ଇନିଂସରେ ଇଂଲଣ୍ଡ ଦଳ ୭୫ ଓଭରରେ ମାତ୍ର ୨୦୫ ରନ୍ ସ୍କୋର କରିପାରିଥିଲା । ଏହା ପରେ ଭାରତ ପ୍ରଥମ ଇନିଂସରେ ୩୬୫ ରନ୍ ସଂଗ୍ରହ କରିଥିଲା । ପ୍ରଥମ ଇନିଂସରେ ପନ୍ତ ୧୦୧ ରନ୍ ସଂଗ୍ରହ କରିଥିଲେ କିନ୍ତୁ ଖେଳର ତୃତୀୟ ଦିନରେ ୱାଶିଂଟନ୍ ସୁନ୍ଦର ନିଜ ଶତକ ହାସଲ କରିପାରି ନଥିଲେ ଓ ସେ ୯୬ ରନରେ ଅପରାଜିତ ରହିଥିଲେ । ଅକ୍ଷର ପଟେଲ ମଧ୍ୟ ୪୩ ରନର ଇନିଂସ ଖେଳିଥିଲେ ।
ଇଂଲଣ୍ଡର ଦ୍ୱିତୀୟ ଇନିଂସ ମଧ୍ୟ ନିରାଶାରେ ପରିପୂର୍ଣ୍ଣ ଥିଲା ଓ ଦଳ ୧୩୫ ରନ୍ କରି ଅଲଆଉଟ ହୋଇ ଯାଇଥିଲା । ଓପନର୍ ଜ୍ୟାକ୍ କ୍ରୋଲେ ମାତ୍ର ୫ ରନ୍ ସ୍କୋର କରି ଅଶ୍ୱିନଙ୍କ ଶିକାର ହୋଇଥିଲେ । ଏହା ପର ଓଭରର ପ୍ରଥମ ବଲରେ ଅଶ୍ୱିନ ମଧ୍ୟ ଜନି ବେୟାରଷ୍ଟୋଙ୍କୁ ଆଉଟ କରି ଦେଇଥିଲେ । ସିବିଲି ମଧ୍ୟ ୨୧ ବଲ ସମୟ ପର୍ଯ୍ୟନ୍ତ ୱିକେଟରେ ରହିବାକୁ ସକ୍ଷମ ହୋଇଥିଲେ ଓ ଅକ୍ଷର ପଟେଲଙ୍କ ଦ୍ୱାରା ଆଉଟ ହୋଇଥିଲେ । ଇଂଲଣ୍ଡର ବେନ୍ ଷ୍ଟୋକ୍ସଙ୍କ ଭଲ ବ୍ୟାଟିଂ କରିବେ ବୋଲି ଆଶା କରାଯାଉଥିଲା କିନ୍ତୁ ଏହି ଅଲରାଉଣ୍ଡର ଦଳକୁ ନିରାଶ କରିଥିଲେ । ଷ୍ଟୋକ୍ସ ୯ ବଲରୁ ୨ ରନ୍ ସ୍କୋର କରି ଆଉଟ ହୋଇଥିଲେ । ଅଲ୍ଲୀ ପୋପ୍ ମଧ୍ୟ ପନ୍ତଙ୍କ ହାତରେ ଅକ୍ଷର ପଟେଲଙ୍କ ଦ୍ୱାରା ଷ୍ଟମିଙ୍ଗ ହୋଇଥିଲେ । ଇଂଲଣ୍ଡ ପାଇଁ ସବୁଠାରୁ ବଡ଼ ଝଟକା ଅଶ୍ୱିନଙ୍କ ଦ୍ୱାରା ଦିଆଯାଇଥିଲା, ଯିଏ କି ବ୍ୟକ୍ତିଗତ ସ୍କୋର ୩୦ ରନ କରିଥିବା ଅଧିନାୟକ ଜୋ ରୁଟଙ୍କୁ LBW ଆଉଟ କରିଥିଲେ । ରୁଟ୍ ଆଉଟ୍ ହେବା ମାତ୍ରେ ଇଂଲଣ୍ଡ ମାତ୍ର ୬୫ ରନ୍ ପାଇଁ ୬ ଟି ୱିକେଟ୍ ହରାଇଥିଲା । ବେନ ଫକ୍ସ ଓ ଡାନ ଲରେନ୍ସ ନିଶ୍ଚିତ ଭାବରେ କିଛି ସଂଘର୍ଷ ପ୍ରଦର୍ଶନ କରିଥିଲେ କିନ୍ତୁ ଅକ୍ଷର ପଟେଲ ଇନିଂସରେ ପାଞ୍ଚଟି ୱିକେଟ୍ ନେବା ସହ ପ୍ରଥମେ ଫକ୍ସ ଆଉଟ କରିବା ପରେ ବେସକୁ ଆଉଟ କରିଥିଲେ ।ଏହା ପରେ ଅଶ୍ୱିନ୍ ସମାନ ଓଭରରେ ଇଂଲଣ୍ଡର ଜ୍ୟାକ୍ ଲିଚ୍ ଓ ଡାନ୍ ଲରେନ୍ସଙ୍କୁ ଆଉଟ କରି ନିଜର ପାଞ୍ଚ ୱିକେଟ୍ ସମାପ୍ତ କରିଥିଲେ ଓ ଏହି ଭାରତ ଏକ ଇନିଂସ ଓ ୨୫ ରନ୍ ସହ ଏକ ବୃହତ ବିଜୟ ହାସଲ କରିଥିଲା ।