୬ ଜଣ ଭାରତୀୟ କ୍ରିକେଟର ୨ କିଲୋମିଟର ଫିଟନେସ୍ ଟେଷ୍ଟରେ ଫେଲ୍; ଦଳରେ ସ୍ଥାନ ମିଳିବାକୁ ନେଇ ସନ୍ଦେହ
India vs England: ସଞ୍ଜୁ ସାମସନଙ୍କ ସମେତ ୬ ଜଣ ଭାରତୀୟ କ୍ରିକେଟର ବିସିସିଆଇର ନୂଆ ଫିଟନେସ ଟେଷ୍ଟରେ ଫେଲ୍ ହୋଇଛନ୍ତି । ଇଂଲଣ୍ଡ ବିପକ୍ଷ ODI ସିରିଜରେ ଏମାନଙ୍କ ଚୟନକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

୬ ଜଣ ଭାରତୀୟ କ୍ରିକେଟର ୨ କିଲୋମିଟର ଫିଟନେସ୍ ଟେଷ୍ଟରେ ଫେଲ୍
- News18 Odia
- Last Updated: February 12, 2021, 12:23 PM IST
ନୂଆ ଦିଲ୍ଲୀ: ଭାରତୀୟ କ୍ରିକେଟରଙ୍କ ଫିଟନେସ୍ ଟେଷ୍ଟକୁ ନେଇ ଏକ ବଡ଼ ଖବର ଅଛି । ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ (NCA) ୬ ଜଣ ଭାରତୀୟ କ୍ରିକେଟର ଏହି ସପ୍ତାହରେ ଚାଲୁଥିବା ଦୁଇ କିଲୋମିଟର ଫିଟନେସ୍ ଟେଷ୍ଟରେ ଫେଲ୍ ହୋଇଛନ୍ତି । ଏଥିରେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ୍ ଓ ଇଶାନ୍ କିଶାନ୍, ବ୍ୟାଟ୍ସମ୍ୟାନ୍ ନୀତୀଶ ରାଣା, ଲେଗ୍ ସ୍ପିନର ରାହୁଲ ତେୱାଟିଆଙ୍କ ବ୍ୟତୀତ ଦୁଇଜଣ ଦ୍ରୁତ ବୋଲର ସିଦ୍ଧାର୍ଥ କୌର ଓ ଜୟଦେବ ଉନାଦକାଟ ଅଛନ୍ତି । ଏକ ଇଂରାଜୀ ଖବରକାଗଜ ଅନୁଯାୟୀ ଭାରତର କ୍ରିକେଟ୍ ବୋର୍ଡ ଅଫ୍ କ୍ରିକେଟ୍ ଖେଳାଳିଙ୍କ ଫିଟନେସ୍ ଯାଞ୍ଚ କରିବା ପାଇଁ ଏନସିଏରେ ଏକ ନୂତନ ଟେଷ୍ଟ ଆରମ୍ଭ କରିଛି । ଯାହାକୁ ଏହି ଖେଳାଳିମାନେ ପାସ୍ କରି ପାରି ନାହାଁନ୍ତି । ସୂଚନାନୁସାରେ ନୂଆ ଟେଷ୍ଟ ଯୋଗୁଁ ଏହି ଖେଳାଳିମାନେ କିଛି ସମୟ ପରେ ପୁଣି ସେମାନଙ୍କର ଫିଟନେସ୍ ପ୍ରମାଣ କରିବାର ସୁଯୋଗ ମିଳିବ ।
ନୂଆ ଫିଟନେସ୍ ପରୀକ୍ଷାରେ କୋଡିଏ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ
ଏହି ସୂତ୍ରରୁ ପ୍ରକାଶ ଯେ ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜ୍ ଓ ଚଳିତ ବର୍ଷ ଶେଷରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି କୋଡ଼ିଏରୁ ଅଧିକ ସମ୍ଭାବ୍ୟ ଖେଳାଳିଙ୍କୁ ଏନସିଏରେ ଫିଟନେସ୍ ପରୀକ୍ଷା କରାଯାଇଥିଲା । ୟୋ-ୟୋ ବ୍ୟତୀତ ଏହା ୨ କିଲୋମିଟର ଦୌଡ଼ିବା ଟେଷ୍ଟ ମଧ୍ୟ ଅନ୍ତର୍ଭୁକ୍ତ କରିଥିଲା । ବ୍ୟାଟ୍ସମ୍ୟାନ୍, ୱିକେଟ୍ କିପର ଓ ସ୍ପିନରଙ୍କୁ ଦୁଇ କିଲୋମିଟର ଦୂରତାକୁ ୮ ମିନିଟ୍ ତିରିଶ ସେକେଣ୍ଡରେ ସମ୍ପୂର୍ଣ୍ଣ କରିବାକୁ ପଡୁଥିବାବେଳେ ଦ୍ରୁତ ବୋଲରମାନଙ୍କୁ ୮ ମିନିଟ ୧୫ ସେକେଣ୍ଡରେ ସମାନ ଦୂରତା ଅତିକ୍ରମ କରିବାକୁ ପଡିବ । କିନ୍ତୁ ୬ ଜଣ କ୍ରିକେଟର ନିର୍ଦ୍ଧାରିତ ସମୟରେ ଏହାକୁ ପୂରଣ କରିପାରି ନଥିଲେ । ଏଥିସହିତ କିଛି କ୍ରିକେଟର ମଧ୍ୟ ଏହି ଦୌଡ଼କୁ ବହୁତ କଷ୍ଟରେ ସମାପ୍ତ କରିଥିଲେ ।