News18 Odia Digital
ନୂଆ ଦିଲ୍ଲୀ: କ୍ରିକେଟର ସବୁଠାରୁ ବଡ ମହାନତା ଏହି କି ଯେ ପରବର୍ତ୍ତୀ ବଲରେ କ’ଣ ହେବ ତାହା କେହି ଜାଣି ନ ଥାନ୍ତି । ବେଳେବେଳେ ଗୋଟିଏ ଦଳ ବିଜୟ ପାଖରେ ପହଁଞ୍ଚି ମଧ୍ୟ ପରାଜୟ ଲାଭ କରେ ତ ଆଉ କେତେବେଳେ ଦଳ ହାରିବା ମ୍ୟାଚକୁ ମଧ୍ୟ ଜିତି ନେଇଥାଏ । ତେଣୁ କ୍ରିକେଟରେ ଅନୁମାନ ଲଗାଇବା ବଡ଼ ମୁସ୍କିଲ ଅଟେ । କ୍ରିକେଟର ଏହି ସମାନ ଦୃଶ୍ୟ ୧୯ ଡିସେମ୍ବରରେ ଭାରତୀୟ ଦଳରେ ଦେଖାଯାଇଛି । ଆଡିଲେଡ ଟେଷ୍ଟର ଦ୍ୱିତୀୟ ଦିନ ପର୍ଯ୍ୟନ୍ତ ବିଜୟ ଆଡକୁ ଗତି କରୁଥିବା ଭାରତୀୟ ଦଳ କ୍ରିକେଟ ଇତିହାସର ସବୁଠାରୁ ଖରାପ ରେକର୍ଡ କରି ତୃତୀୟ ଦିନରେ ପରାଜୟ ଦ୍ୱାରରେ ପହଞ୍ଚିଛି । ପ୍ରଥମ ଟେଷ୍ଟର ତୃତୀୟ ଦିନର ଦ୍ୱିତୀୟ ଇନିଂସରେ ଭାରତ ମାତ୍ର ୩୬ ରନ୍ ସଂଗ୍ରହ କରିଥିଲା । ଭାରତୀୟ ଟେଷ୍ଟ ଇତିହାସର 88 ବର୍ଷ ମଧ୍ୟରେ ଏହା ହେଉଛି ଟିମ୍ ଇଣ୍ଡିଆର ସର୍ବନିମ୍ନ ସ୍କୋର ।
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ୧୭ ଡିସେମ୍ବରରୁ ଖେଳାଯାଉଛି । ଭାରତୀୟ ଦଳ ପ୍ରଥମ ଇନିଂସରେ ୨୪୪ ରନ୍ ସ୍କୋର ସଂଗ୍ରହ କରିଥିଲା । ଏହା ପରେ ସେ ଅଷ୍ଟ୍ରେଲିଆକୁ ୧୯୧ ରନରେ ସୀମିତ ରଖିଥିଲା । ଫଳରେ ଦଳକୁ ୫୩ ରନର ଅଗ୍ରଣୀ ମିଳିଥିଲା । ଆଶା କରାଯାଉଥିଲା ଯେ ଏହି ଅଗ୍ରଣୀ ସହିତ ଭାରତ ଆୟୋଜକଙ୍କୁ ଏକ ବଡ଼ ଟାର୍ଗେଟ ଦେବ । କିନ୍ତୁ ମ୍ୟାଚର ତୃତୀୟ ଦିନରେ ଭାରତୀୟ ଦଳ ଟେଷ୍ଟ ଇତିହାସର ସବୁଠୁଁ ଖରାପ ପ୍ରଦର୍ଶନ ପାଇଁ ୩୬ ରନରେ ଝୁଣ୍ଟି ପଡ଼ିଥିଲା । ଅଷ୍ଟ୍ରେଲିଆ ୯ ୱିକେଟ୍ ନେଇ ଭାରତକୁ ୩୬ ରନ ସ୍କୋରରେ ସୀମିତ ରଖିଛି । ମହମ୍ମଦ ଶାମି ଗୋଟିଏ ରନ୍ ସ୍କୋର କରି ରିଟାର୍ଡ଼ ହର୍ଟ ହୋଇଥିଲେ ।
୧୯୩୨ ପରଠାରୁ ଭାରତୀୟ ଦଳ ଟେଷ୍ଟ କ୍ରିକେଟ୍ ଖେଳୁଛି । ୩୬ ରନରେ ଅଲ ଆଉଟ ହୋଇ ଭାରତ ୧୯ ଡିସେମ୍ବରରେ ଟେଷ୍ଟ ଇତିହାସରେ ରେକର୍ଡ କରିଛି । ଏହାପୂର୍ବରୁ ଭାରତୀୟ ଦଳର ସର୍ବନିମ୍ନ ସ୍କୋର ୪୨ ରନ୍ ଥିଲା । ୧୯୭୪ ମସିହାରେ ଲର୍ଡ ଗ୍ରାଉଣ୍ଡରେ ଇଂଲଣ୍ଡ ବିପକ୍ଷରେ ଭାରତୀୟ ଦଳ ୪୨ ରନ କରି ଅଲ ଆଉଟ ହୋଇଯାଇଥିଲା ।
ସାମଗ୍ରିକ ରେକର୍ଡ ବିଷୟରେ କହିବାକୁ ଗଲେ ଟେଷ୍ଟ କ୍ରିକେଟରେ ସର୍ବନିମ୍ନ ସ୍କୋରର ରେକର୍ଡ ନ୍ୟୁଜିଲ୍ୟାଣ୍ଡ ନାମରେ ଅଛି । ୧୯୫୫ ରେ ଇଂଲଣ୍ଡ ବିପକ୍ଷରେ ମାତ୍ର ୨୬ ରନ୍ କରି ନ୍ୟୁଜିଲ୍ୟାଣ୍ଡ ଦଳ ଅଲ ଆଉଟ ହୋଇଯାଇଥିଲା । ଟେଷ୍ଟ ଇତିହାସରେ ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ ସର୍ବନିମ୍ନ ସ୍କୋର ରହିଛି । ଆଫ୍ରିକୀୟ ଦଳ ଦୁଇଥର ୩୦ ରନ୍ କରି ଅଲ ଆଉଟ ହୋଇସାରିଛନ୍ତି ।
୨୩ ଥର ୫୦ରୁ କମ୍ ରନ୍ ସ୍କୋର କରି ଆଉଟ ହୋଇଛି ଦଳଟେଷ୍ଟ ଇତିହାସର ୧୪୩ ବର୍ଷର ଏହା ହେଉଛି ୨୩ ତମ ଥର ଯେତେବେଳେ ଗୋଟିଏ ଦଳ ୫୦ ରୁ କମ୍ ସ୍କୋରରେ ଅଲ ଆଉଟ ହୋଇଛି । ଦକ୍ଷିଣ ଆଫ୍ରିକାର ଦଳ ସର୍ବାଧିକ ୭ ଥର ୫୦ ରୁ କମ୍ ରନ୍ କରି ଆଉଟ୍ ହୋଇଛି । ଭାରତ ଦ୍ୱିତୀୟ ଥର ପାଇଁ ୫୦ ରନ୍ ସ୍କୋର ଛୁଇଁ ପାରି ନାହିଁ । ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡକୁ ଚାରିଥର ଲେଖାଏଁ ୫୦ ରୁ କମ୍ ସ୍କୋର ଅଲ ଆଉଟ ହୋଇଛନ୍ତି । ଇଂଲଣ୍ଡ ଦୁଇଥର ଓ ପାକିସ୍ତାନ, ବାଂଲାଦେଶ, ୱେଷ୍ଟଇଣ୍ଡିଜ୍, ଆୟର୍ଲାଣ୍ଡ ଦଳ ଥରେ ଲେଖାଏଁ ୫୦ ରୁ କମ୍ ରନ୍ ସ୍କୋର କରି ଅଲ ଆଉଟ ହୋଇଛନ୍ତି ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।