News 18 Odia Digital
ଚେନ୍ନାଇ: କରୋନ ପରେ ପୁଣି ମଙ୍କିପକ୍ସ ଭାଇରସ୍ ଦେଖିବାକୁ ମିଳିଛି କେରଳରେ। ଏହାର ରୂପ ଫୋଟକା ପରି। ଏହା ହାତରେ ପୋଟକ ପରି ସୃଷ୍ଟି ହେଉଛି ପରେ ଶରୀର ଅନ୍ୟ ସ୍ଥାନରେ ମାଡ଼ି ଯାଉଛି। କନୁରୁ ଜିଲ୍ଲାରେ ସୋମବାର ମଙ୍କିପକ୍ସର ଦ୍ୱିତୀୟ ମାମଲା ଚିହ୍ନଟ ହୋଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଭେନା ଜର୍ଜ କହିଛନ୍ତି। ଏହା ପୂର୍ବରୁ ଜୁଲାଇ ୧୪ କେରଳରେ ମଙ୍କିପକ୍ସର ପ୍ରଥମ ମାମଲା ଚିହ୍ନଟ ହୋଇଥିଲା।
କନୁରୁରୁ ଆସିଥିବା ୩୧ ବର୍ଷୀୟ ବ୍ୟକ୍ତି ବର୍ତ୍ତମାନ ପାରିଆରାମ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ରୋଗୀର ସ୍ୱାସ୍ଥ୍ୟ ଅବସ୍ଥା ସନ୍ତୋଷଜନକ ବୋଲି ଜଣାଯାଇଛି। ତାଙ୍କ ସହ ଘନିଷ୍ଠ ଥିବା ଲୋକଙ୍କୁ ନଜରରେ ରଖାଯାଇଛି ବୋଲି କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ଭେନା ଜର୍ଜ କହିଛନ୍ତି।
ରୋଗୀର ନମୁନା ପରୀକ୍ଷା ପାଇଁ ପଠାଯାଇଛି ଓ ଫଳାଫଳ ବାହାରିବା ପରେ ହିଁ ସଂକ୍ରମଣ ନିଶ୍ଚିତ ହୋଇପାରିବ ବୋଲି ଜିଲ୍ଲା ମେଡିକାଲ ଅଫିସର (ଡିଏମଓ) ନାରାୟଣ ନାୟକ କହିଛନ୍ତି।
୩୧ ବର୍ଷୀୟ ବ୍ୟକ୍ତି ଜୁଲାଇ ୧୬ ଦୁବାଇରୁ କେରଳକୁ ଫେରିଥିଲେ। ମଙ୍କିପକ୍ସ ଲକ୍ଷଣ ଅନୁଭବ କରିବା ପରେ ସେ ପାରିଆରାମ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହାପୂର୍ବରୁ ରୋଗୀଙ୍କୁ ମେଡିକାଲ କଲେଜ ଡାକ୍ତରଖାନାର ଏକ ଆଇସୋଲେସନ ୱାର୍ଡରେ ରଖାଯାଇଥିଲା।
ଏହାପୂର୍ବରୁ କେରଳର କୋଲାମ ଜିଲ୍ଲାରେ ମଙ୍କିପକ୍ସ ପ୍ରଥମ ମାମଲା ରିପୋର୍ଟ ହୋଇଥିଲା। କୋଲାମର ବ୍ୟକ୍ତି ଜୁଲାଇ ୧୨ ରେ ୟୁଏଇରୁ ଫେରିଥିଲେ ଓ ଗତ ୧୪ରେ ଜୀବାଣୁ ପରୀକ୍ଷା କରିଥିଲେ।ପରେ ମଙ୍କିପକ୍ସରେ ଆକ୍ରାନ୍ତ ବୋଲି ଜଣା ପଡ଼ିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।