Jio-Intel Deal: ଜିଓ ପ୍ଲାଟଫର୍ମ୍ସରେ ୦.୩୯% ଅଂଶଧନ ପାଇଁ ଇଣ୍ଟେଲ୍ ₹୧,୮୯୫ କୋଟି ନିବେଶ କରିବ

ତିନି ମାସରୁ କମ୍ ସମୟ ମଧ୍ୟରେ ଜିଓ ପ୍ଲାଟଫର୍ମ୍ସରେ ଏହା ହେଉଛି ଦ୍ୱାଦଶ ହାଇ-ପ୍ରୋଫାଇଲ୍ ବିନିଯୋଗ । ଏହାକୁ ମିଶାଇ ବିଶ୍ୱର ଅଗ୍ରଣୀ ନିବେଶକମାନଙ୍କ ଠାରୁ ଜିଓ ୧,୧୭,୫୮୮.୪୫ କୋଟି ଟଙ୍କା ସଂଗ୍ରହ କରିସାରିଛି ।

ରିଲାଏନ୍ସର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ

ରିଲାଏନ୍ସର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ

  • Share this:
News18 Odia Digital

ମୁମ୍ବାଇ: ଆମେରିକୀୟ ବହୁରାଷ୍ଟ୍ରୀୟ କମ୍ପାନୀ ଇଣ୍ଟେଲ (Intel) ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ଼ର (Reliance Industries Limited, RIL) ଟେକ୍ନୋଲୋଜି ଶାଖା ଜିଓ ପ୍ଲାଟଫର୍ମରେ (Jio Platforms) ୧,୮୯୪.୫୦ କୋଟି ଟଙ୍କା ବିନିଯୋଗ କରିବ । ଏହା ତିନି ମାସ ମଧ୍ୟରେ ଏହି କମ୍ପାନୀରେ ଦ୍ୱାଦଶ ହାଇ-ପ୍ରୋଫାଇଲ୍ ବିନିଯୋଗ । ଏହି ଡିଲ୍ ଦ୍ୱାରା RILର ଡିଜିଟାଲ୍ ଶାଖାରେ ଇଣ୍ଟେଲ୍ ୦.୩୯ ପ୍ରତିଶତ ଅଂଶOନ ଗ୍ରହଣ କରିବ ।

ଇଣ୍ଟେଲ ଡିଲ୍ ପରେ ଜିଓ ପ୍ଲାଟଫର୍ମ୍ସର ମୂଲ୍ୟ ଇକ୍ୱିଟିରେ ୪.୯୧ ଲକ୍ଷ କୋଟି ଓ ଏଣ୍ଟରପ୍ରାଇଜରେ ୫.୧୬ ଲକ୍ଷ କୋଟି ଟଙ୍କା ହୋଇଛି । ଏହି ସଦ୍ୟତମ ପୁଞ୍ଜି ବିନିଯୋଗ ସହିତ ଜିଓ ପ୍ଲାଟଫର୍ମ ଫେସବୁକ୍, ସିଲଭର ଲେକ୍ ପାର୍ଟନର୍ସ (ଦୁଇଟି ନିବେଶ), ଭିଷ୍ଟା ଇକ୍ୱିଟି ପାର୍ଟନରସ୍‌, ଜେନେରାଲ୍ ଆଟଲାଣ୍ଟିକ୍, କେକେଆର୍, ମୁବାଦଲା, ଆଡିଆ, ଟିପିଜି, ଏଲ୍ କ୍ୟାଟରଟନ୍, ପିଆଇଏଫ୍ ଓ ଇଣ୍ଟେଲ ପରି ଅଗ୍ରଣୀ ଟେକ୍ନୋଲୋଜି ନିବେଶକଙ୍କ ଠାରୁ ୧,୧୭,୫୮୮.୪୫ କୋଟି ଟଙ୍କା ସଂଗ୍ରହ କରିଛି । ଜିଓ ପ୍ଲାଟଫର୍ମ୍ସରେ ଏହି ବିନିଯୋଗ ବିଶ୍ୱର ଯେକୌଣସି କମ୍ପାନୀ ଦ୍ୱାରା ସର୍ବବୃହତ କ୍ରମାଗତ ବିନିଯୋଗ

ଏହି ସଦ୍ୟତମ ପୁଞ୍ଜି ବିନିଯୋଗ ବିଶ୍ୱ ଅର୍ଥନୀତିରେ ଏକ ମନ୍ଥର ସମୟ ମଧ୍ୟରେ ଆସିଛି । ଏହା ଭାରତର ଡିଜିଟାଲ ସମ୍ଭାବନା ଓ ଜିଓର ବ୍ୟବସାୟ ରଣନୀତି ଉପରେ ବିଶ୍ୱ-ସ୍ତରୀୟ ନିବେଶମାନକଙ୍କ ବିଶ୍ୱାସ ପ୍ରତିଫଳିତ କରୁଛି ।

ଜିଓ ପ୍ଲାଟଫର୍ମ୍ସରେ ହୋଇଥିବା ଲଗାତର ୧୨ଟି ବଡ଼ ବିନିଯୋଗ


ଟେକ୍ନୋଲୋଜି ଜଗତରେ ଇଣ୍ଟେଲ ଏକ ଅଗ୍ରଣୀ କମ୍ପାନୀ ଏବଂ ଏହା ନିଜ ଅଭିନବତା ପାଇଁ ଜଣାଶୁଣା । ଇଣ୍ଟେଲ କ୍ୟାପିଟାଲ୍, ଯାହା ମାଧ୍ୟମରେ କମ୍ପାନୀ ଜିଓ ପ୍ଲାଟଫର୍ମ୍ସରେ ବିନିଯୋଗ କରିଛି, ବିଶ୍ୱର ଅଭିନବ କମ୍ପାନୀଗୁଡିକରେ ବିନିଯୋଗ କରେ । ଏହାର ବିଶେଷ ଧ୍ୟାନ ବ୍ୟାଘାତକାରୀ ଟେକ୍ନୋଲୋଜି କ୍ଷେତ୍ର ଉପରେ, ଯଥା କ୍ଲାଉଡ୍ କମ୍ପ୍ୟୁଟିଂ (cloud computing), କୃତ୍ରିମ ବୁଦ୍ଧି (artificial intelligence) ଏବଂ 5G ଥାଏ ।

ଏହା ପୂର୍ବରୁ ଜିଓରେ ଶେଷ ବଡ଼ ବିନିଯୋଗ କରିଥିଲା ସାଉଦି ଆରବର ସାର୍ବଭୌମ ଧନ ପାଣ୍ଠି PIF । ଜିଓରେ ୨.୩୨ ପ୍ରତିଶତ ଅଂଶଧନ ପାଇଁ PIF ୧୧,୩୬୭ କୋଟି ଟଙ୍କା ବିନିଯୋଗ କରିଥିଲା ।

“ଭାରତକୁ ବିଶ୍ୱର ଏକ ଅଗ୍ରଣୀ ଡିଜିଟାଲ୍ ସମାଜରେ ପରିଣତ କରିବାର ଆମର ସ୍ୱପ୍ନକୁ ସହ ଏକମତ ଥିବା ବିଶ୍ୱସ୍ତରୀୟ ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀମାନଙ୍କ ସହ ଆମେ ନିଜ ସମ୍ପର୍କକୁ ଗଭୀର କରି ଅତ୍ୟନ୍ତ ଆନନ୍ଦିତ । ଇଣ୍ଟେଲ ହେଉଛି ପ୍ରକୃତରେ ଶିଳ୍ପ ଜଗତରେ ଅଗ୍ରଣୀ କମ୍ପାନୀ । ଏହା ବିଶ୍ୱରେ ପରିବର୍ତ୍ତନକାରୀ ପ୍ରଯୁକ୍ତିବିଦ୍ୟା ଓ ଉଦ୍ଭାବନ ସୃଷ୍ଟି ଦିଗରେ କାର୍ଯ୍ୟ କରିଆସୁଛି । ବିଶ୍ୱ ସ୍ତରରେ ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀଗୁଡ଼ିକର ମୂଲ୍ୟବାନ ଅଂଶୀଦାର ହେବାରେ ଇଣ୍ଟେଲ କ୍ୟାପିଟାଲର ଏକ ଉଲ୍ଲେଖନୀୟ ରେକର୍ଡ଼ ରହିଛି । ତେଣୁ ଆମେ ଅତ୍ୟାଧୁନିକ ଜ୍ଞାନକୌଶଳରେ ଭାରତର ସାମର୍ଥ୍ୟକୁ ଆଗକୁ ନେବା ପାଇଁ ଇଣ୍ଟେଲ ସହିତ ମିଳିତ ଭାବରେ କାର୍ଯ୍ୟ କରିବାକୁ ନେଇ ଉତ୍ସାହିତ । ଏହା ଆମ ଅର୍ଥନୀତିର ସମସ୍ତ କ୍ଷେତ୍ରକୁ ସଶକ୍ତ କରିବ ଓ ୧୩୦ କୋଟି ଭାରତୀୟଙ୍କ ଜୀବନଶୈଳୀରେ ଉନ୍ନତି ଆଣିବ,’’ କହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ (Mukesh Ambani) ।

ଇଣ୍ଟେଲ କ୍ୟାପିଟାଲର ସଭାପତି ୱେଣ୍ଡେଲ ବ୍ରୁକ୍ସ (Wendell Brooks) କହିଛନ୍ତି, “ପ୍ରଭାବଶାଳୀ ଇଞ୍ଜିନିୟରିଂ କ୍ଷମତା ବ୍ୟବହାର କରି ଭାରତରେ ସ୍ୱଳ୍ପ ମୂଲ୍ୟର ଡିଜିଟାଲ ସେବା ଯୋଗାଇବା ଉପରେ ଜିଓ ପ୍ଲାଟଫର୍ମ୍ସର ଧ୍ୟାନ ସାଧାରଣ ଲୋକଙ୍କ ଜୀବନକୁ ସମୃଦ୍ଧ କରିବା ପାଇଁ ଇଣ୍ଟେଲର ଆଭିମୁଖ୍ୟ ସହ ସମାନ । ଆମେ ବିଶ୍ୱାସ କରୁ ଯେ ଡିଜିଟାଲ୍ ସେବା ଓ ଡାଟା ଉଭୟ ବ୍ୟବସାୟ ଓ ସମାଜରେ ଉନ୍ନତି ଆଣିବ । ଏହି ବିନିଯୋଗ ମାଧ୍ୟମରେ ଆମେ ଭାରତର ଡିଜିଟାଲ ରୂପାନ୍ତରଣକୁ ଇନ୍ଧନ ଦେଇ ଉତ୍ସାହିତ । ଭାରତରେ ଇଣ୍ଟେଲ ଏକ ଗୁରୁତ୍ୱପୂର୍ଣ୍ଣ ଉପସ୍ଥିତି ବଜାୟ ରଖିଛି ।’’

(ଡିସକ୍ଲେମର୍‌: News18 Odia ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ18 ମିଡ଼ିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ଏକ ଅଂଶ । ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ।)
Published by:Anand Shankar Thankur Das
First published: