News18 Odia Digital
ନୂଆଦିଲ୍ଲୀ: ଇସ୍ତଫା ଦେବା ମୋ ପାଇଁ ବଡ଼ କଥା ନୁହେଁ, କିନ୍ତୁ ଜଣେ ଅପରାଧୀ ଭାବେ ଇସ୍ତଫା ଦେବି ନାହିଁ ବୋଲି ଆଜି ‘ରେସ୍ଲିଙ୍ଗ୍ ଫେଡେରେସନ୍ ଅଫ୍ ଇଣ୍ଡିଆ’ର ମୁଖ୍ୟ ବ୍ରଜଭୂଷଣ ଶରଣ ସିଂହ କହିଛନ୍ତି।
ଆଜି ସାମ୍ବାଦିକ ସମ୍ମିଳନୀରେ କୁସ୍ତି ଖେଳାଳିମାନଙ୍କ ଦାବି ସଂକ୍ରାନ୍ତରେ ବ୍ରଜଭୂଷଣ କହିଛନ୍ତି, ସେମାନଙ୍କର ଦାବି ସବୁ ଦିନ ବଦଳୁଛି। ପ୍ରଥମେ ସେମାନେ ଦାବି କଲେ ମୁଁ ଫେଡେରେସନ୍ ମୁଖ୍ୟ ପଦରୁ ଇସ୍ତଫା ଦିଏ। ତା’ପରେ ‘ଏଫ୍ଆଇଆର୍’ ଦାବି କଲେ, ‘ଏଫ୍ଆଇଆର୍’ ପଞ୍ଜୀକୃତ ହେବା ପରେ ଏବେ ସେମାନେ କହୁଛନ୍ତି କି, ମୁଁ ସବୁ ପଦ ପଦବୀରୁ ଇସ୍ତଫା ଦେଇ ଜେଲ୍ ଯାଏ। ମୋ କହିବା କଥା, ଇସ୍ତଫା ଦେବା ଅର୍ଥ ହେବ ମୋ ନାଁରେ ଆଗତ ଅଭିଯୋଗକୁ ମୁଁ ସ୍ବୀକାର କରୁଛି। ଇସ୍ତଫା ଦେବା ବଡ଼ କଥା ନୁହେଁ, କିନ୍ତୁ ଜଣେ ଅପରାଧୀ ଭାବେ ମୁଁ ଇସ୍ତଫା ଦେବି ନାହିଁ। ମୁଁ ଅପରାଧୀ ନୁହେଁ।
ଆହୁରି ମଧ୍ଯ ବ୍ରଜଭୂଷଣ କହିଛନ୍ତି, ମୁଁ ନିର୍ଦ୍ଦୋଶ ଓ ତଦନ୍ତର ସମ୍ମୁଖନୀ ହେବାକୁ ପ୍ରସ୍ତୁତ। ତଦନ୍ତକାରୀ ଏଜେନ୍ସିକୁ ବି ସହଯୋଗ କରିବାକୁ ପ୍ରସ୍ତୁତ। ବିଚାର ବ୍ୟବସ୍ଥା ଉପରେ ମୋର ପୂର୍ଣ୍ଣ ଭରସା ଅଛି ଓ ମୁଁ ସୁପ୍ରିମ୍ କୋର୍ଟଙ୍କ ଆଦେଶକୁ ସମ୍ମାନ ଦିଏ।
ଏମିତି ବି ପରମ୍ପରା! ଗର୍ଭବତୀ ପତ୍ନୀଙ୍କୁ କାନ୍ଧେଇ ନିଆଁରେ ଚାଲନ୍ତି ସ୍ୱାମୀ!ନୂଆଦିଲ୍ଲୀର ଜନ୍ତର ମନ୍ତରରେ କୁସ୍ତି ଖେଳାଳିମାନେ ପ୍ରତିବାଦ ଚଳାଇଥିବା ବେଳେ ବ୍ରଜଭୂଷଣ ଆଜି ସାମ୍ବାଦିକ ସମ୍ମିଳନୀ ଡକାଇଥିଲେ। ଶୁକ୍ରବାର ଦିନ ଦିଲ୍ଲୀ ପୁଲିସ ବ୍ରଜଭୂଷଣ ଶରଣ ସିଂହଙ୍କ ନାଁ’ରେ ୨ଟି ‘ଏଫ୍ଆଇଆର୍’ ପଞ୍ଜିକରଣ କରିଛି।
ଅନ୍ୟପଟେ, କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବାହାରିଛନ୍ତି ପ୍ରିୟଙ୍କା ଗାନ୍ଧି। ସକାଳୁ ସକାଳୁ ଦିଲ୍ଲୀ ଜନ୍ତରମନ୍ତର ଆସି କୁସ୍ତିଯୋଦ୍ଧାଙ୍କ ସହ ଆଲୋଚନା କରିଛନ୍ତି କଂଗ୍ରେସ ନେତ୍ରୀ । ପ୍ରିୟଙ୍କା କୁସ୍ତିଯୋଦ୍ଧାଙ୍କ ସହ ଆଲୋଚନା କରିବା ସହିତ ଦାବି ବାବଦରେ ଅବଗତ ହୋଇଛନ୍ତି । ପ୍ରତିବାଦକାରୀ କୁସ୍ତି ଖେଳାଳିମାନେ ଆଜି ଅପରାହ୍ଣ ୨ଟାରେ ସାମ୍ବାଦିକ ସମ୍ମିଳନୀ ଡକାଇଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।