News18 Odia Digital
ହାଇଦ୍ରାବାଦ: ପେଗାମ୍ବର ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ହାଇଦ୍ରାବାଦ ପୋଲିସ ଗୁରୁବାର ଭାରତୀୟ ଜନତା ପାର୍ଟି (ବିଜେପି) ନେତା ଟି ରାଜା ସିଂଙ୍କୁ ପୁଣି ଗିରଫ କରିଛି।
ପ୍ରବଳ ବିରୋଧ ମଧ୍ୟରେ ତାଙ୍କୁ ମଙ୍ଗଳବାର ଦିନ ପୋଲିସ ଗିରଫ କରିଥିଲା। ତେବେ ଉକ୍ତ ଦିନ ସେ କୋର୍ଟରୁ ଜାମିନ ପାଇଥିଲେ। ଏହା ପରେ ପ୍ରଦର୍ଶନ ତୀବ୍ର ହୋଇଥିଲା। ବିକ୍ଷୋଭକାରୀମାନେ ତାଙ୍କୁ ଗିରଫ କରିବାକୁ ଦାବି କରୁଥିଲେ।
ମଙ୍ଗଳବାର ଦିନ ବିଜେପି ମଧ୍ୟ ରାଜା ସିଂଙ୍କୁ ଦଳରୁ ନିଲମ୍ବିତ କରିଥିଲା ଓ ନୋଟିସ ଜାରି କରି କାହିଁକି ତାଙ୍କୁ ବହିଷ୍କାର କରାଯିବ ନାହିଁ ସେନେଇ ଉତ୍ତର ମାଗିଥିଲା। ହାଇଦ୍ରାବାଦର ଗୋଶାମହଲ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ରାଜା ସିଂ ତାଙ୍କର କଠୋର ଧାର୍ମିକ ବକ୍ତବ୍ୟ ପାଇଁ ଜଣାଶୁଣା ଓ ଏହି କାରଣରୁ ସେ ଚର୍ଚ୍ଚାରେ ରୁହନ୍ତି।
ବିବାଦ କେବେ ଆରମ୍ଭ ହେଲା?ସୋମବାର ଦିନ ଷ୍ଟାଣ୍ଡ ଅପ୍ କମେଡିଆନ ଅଭିନେତା ମୁନାୱାର ଫାରୁକି ଓ ଏକ ନିର୍ଦ୍ଦିଷ୍ଟ ଧର୍ମକୁ ସମାଲୋଚନା କରି ବିଜେପି ବିଧାୟକ ଏକ ଭିଡିଓ ଜାରି କରିଥିଲେ। ଭିଡିଓରେ, ରାଜା ସିଂ ଏକ ନିର୍ଦ୍ଦିଷ୍ଟ ଧର୍ମ ବିରୁଦ୍ଧରେ କିଛି ମନ୍ତବ୍ୟ ଦେଉଥିବା ଜଣାପଡ଼ିଛି। ନିକଟରେ ଫାରୁକି ସହରର ଏକ ଇଭେଣ୍ଟରେ ଅଭିନୟ କରିଥିଲେ।
ସିଂଙ୍କ ବିବୃତ୍ତି ପରେ ହିଁ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଥିଲା। ବୁଧବାର ସହରର କେତେକ ସ୍ଥାନରେ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ତେଲେଙ୍ଗାନା ଗୃହମନ୍ତ୍ରୀ ମହମୁଦ ଅଲି କହିଛନ୍ତି ଯେ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ସରକାର ଆପୋଷ ବୁଝାମଣା କରିବେ ନାହିଁ ଓ ଅନ୍ୟ ଧର୍ମର ଭାବନାକୁ ଆଘାତ କରୁଥିବା ଲୋକଙ୍କୁ ବରଦାସ୍ତ କରିବେ ନାହିଁ। ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଅଲି କହିଛନ୍ତି, ‘‘ସାରା ରାଜ୍ୟରେ ରାଜ ସିଂଙ୍କ ବିରୋଧରେ ଅନେକ ଅଭିଯୋଗ ରହିଛି ଯେ ସେ ମହମ୍ମଦଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି। ମଙ୍ଗଳବାର ତାଙ୍କୁ ଗିରଫ କରାଯାଇଥିଲା। ଶାନ୍ତି ବଜାୟ ରଖିବା ପାଇଁ ଲୋକଙ୍କୁ ନିବେଦନ କରି ସେ କହିଛନ୍ତି ଯେ ଆଇନକୁ କେହି ନିଜ ହାତକୁ ନିଅନ୍ତୁନାହିଁ।’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।