କେମିତି ବିଦ୍ରୋହୀଙ୍କୁ ସନ୍ତୁଷ୍ଟ କରିବ ଦଳ? ଟିକେଟ୍ ବଣ୍ଟନକୁ ନେଇ କର୍ଣ୍ଣାଟକ BJPରେ ବିଦ୍ରୋହ

କର୍ଣ୍ଣାଟକ ନିର୍ବାଚନ ମହାଭାରତ ପାଇଁ ୟେଦିଙ୍କୁ ବିଦୁର ଭୂମିକାରେ ଅବତୀର୍ଣ୍ଣ କରାଇଛି ଭାରତୀୟ ଜନତା ପାର୍ଟି । ସେପଟେ ବିଜେପି ବିଦ୍ରୋହୀଙ୍କୁ କୋଳେଇ ନେବାକୁ ଜେଡିଏସ୍, କବାଟ ଖୋଲି ବସିଥିବା ଜଣାପଡ଼ିଛି ।

କେମିତି ବିଦ୍ରୋହୀଙ୍କୁ ସନ୍ତୁଷ୍ଟ କରିବ ଦଳ? ଟିକେଟ୍ ବଣ୍ଟନକୁ ନେଇ କର୍ଣ୍ଣାଟକ BJPରେ ବିଦ୍ରୋହ

କେମିତି ବିଦ୍ରୋହୀଙ୍କୁ ସନ୍ତୁଷ୍ଟ କରିବ ଦଳ? ଟିକେଟ୍ ବଣ୍ଟନକୁ ନେଇ କର୍ଣ୍ଣାଟକ BJPରେ ବିଦ୍ରୋହ

  • News18 Odia
  • Last Updated :
  • Karnataka, India
  • Share this:
News 18 Odia Digital

କର୍ଣ୍ଣାଟକ: ବିଧାନସଭା ନିର୍ବାଚନ ପାଇଁ ବିଜେପି (BJP) ଘୋଷଣା କରିଛି ତାର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ପ୍ରଥମ ପର୍ଯ୍ୟାୟରେ ୧୮୯ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ଆଉ ୨୩ ଆସନର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ଦଳ । ବାକି ୧୨ଟି ଆସନ ପାଇଁ ଖୁବ୍ ଶୀଘ୍ର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ । ଦ୍ବିତୀୟ ତାଲିକାରେ ମଧ୍ୟ ୬ ଜଣ ଷ୍ଟାଣ୍ଡି ବିଧାୟକଙ୍କ ଟିକେଟ୍ (ticket) କଟିଛି । ନିକଟରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇ ଜେଲ ଯାଇଥିବା କାରଣରୁ ଚାନାଗିରି ବିଧାୟକ ବିରୁପାକ୍ଷାପାଙ୍କ ଟିକେଟ୍ କାଟିଛି ଦଳ ।

ଗତମାସରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍. ୟେଦିୟୁରପ୍ପା, ମୁଦୁଗିରିକୁ ପ୍ରଚାରରେ ଯାଇଥିବା ବେଳେ ବିଧାୟକ ଏମପି କୁମାରସ୍ବାମୀଙ୍କ ସମର୍ଥକମାନେ ତାଙ୍କ କାରକୁ ଘେରିଥିଲେ । କୁମାରସ୍ବାମୀଙ୍କୁ ଟିକେଟ୍ ଦେବାକୁ ସେମାନେ ଦାବି କରିଥିଲେ । କିନ୍ତୁ ଏମପି କୁମାରସ୍ବାମୀଙ୍କୁ ମିଳିଲାନି ଟିକେଟ । ବିଜେପିର ପ୍ରଥମ ପର୍ଯ୍ୟାୟ ୧୮୯ ଜଣିଆ ତାଲିକାରୁ ବାଦ୍ ପଡ଼ିଥିଲେ ୫୨ ଜଣ । ଓବିସିରୁ ୩୨, ଅନୁସୂଚିତ ଜାତିରୁ ୩୦, ଅନୁସୂଚିତ ଜନଜାତିରୁ ୧୬ ଏବଂ ୮ ଜଣ ମହିଳା ପ୍ରାର୍ଥୀଙ୍କୁ ଟିକେଟ ମିଳିଥିବା ବେଳେ, ଲିଙ୍ଗାୟତ ଏବଂ ଭୋକାଲିଗା ସଂପ୍ରଦାୟକୁ ଦିଆଯାଇଛି ଗୁରୁତ୍ବ । ତେବେ ପ୍ରଥମ ପର୍ଯ୍ୟାୟ ଭଳି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ମଧ୍ୟ କେହି ଜଣେ ବି ମୁସଲିମ୍ ନାହାନ୍ତି । ୨ ଜଣ ମହିଳାଙ୍କୁ ଟିକେଟ୍ ଦେଇଛି ଦଳ ।

୨୨୪ ଆସନରୁ ୨୧୨ ଆସନ ପାଇଁ ପ୍ରାର୍ଥୀ ନାଁ ଘୋଷଣା କରିଥିବା ବେଳେ ବାକି ରହିଛି ଆଉ ୧୨ଟି । ହୁବାଲି-ଧରୱାଡ଼ ସେଣ୍ଟ୍ରାଲ୍ ଆସନର ବିଧାୟକ ଜଗଦ୍ଦୀଶ ସେଟ୍ଟାରଙ୍କୁ ଟିକେଟ୍ ଦେବା ମୁଡ୍‌ରେ ନାହିଁ ଦଳ । ତେବେ ଟିକେଟ୍ ନମିଳିଲେ ସେ ସ୍ବାଧୀନ ଭାବେ ଲଢ଼ିବାକୁ ଧମକ ଦେବା ସହ ଦିଲ୍ଲୀରେ ପଡ଼ି ରହିଛନ୍ତି । ସେପଟେ ହୁବାଲି-ଧରୱାଡ଼ ସେଣ୍ଟ୍ରାଲ୍ ଆସନ ପାଇଁ ବର୍ତ୍ତମାନ ସୁଦ୍ଧା ପ୍ରାର୍ଥୀ ଘୋଷଣା ହୋଇ ନଥିବା ବେଳେ ୟେଦିୟୁରପ୍ପା କହୁଛନ୍ତି, ସେଟ୍ଟାର ଟିକେଟ୍ ପାଇବାର ୯୯ ପ୍ରତିଶତ ଚାନ୍ସ ରହିଛି । ସେହିଭଳି ପୂର୍ବତନ ମୁଖ୍ୟମନ୍ତ୍ରୀ କେଏସ୍. ଈଶ୍ବରପ୍ପା ଏବଂ ବର୍ତ୍ତମାନ ମତ୍ସ୍ୟ ଓ ବନ୍ଦର ମନ୍ତ୍ରୀ ଥିବା ଏସ୍. ଅଙ୍ଗାରାଙ୍କୁ ଟିକେଟ୍ ମିଳି ନଥିବା ବେଳେ ସେମାନେ ନିର୍ବାଚନୀ ରାଜନୀତରୁ ନେଇଛନ୍ତି ସନ୍ନ୍ୟାସ ।

କର୍ଣ୍ଣାଟକରେ ବିଜେପି ଗୁଜରାଟ ଫର୍ମୁଲା ଆପଣାଇଥିବା ବେଳେ ଟିକେଟ ବଣ୍ଟନକୁ ନେଇ ଦେଖାଦେଇଛି ଜୋରଦାର ବିଦ୍ରୋହ । ବର୍ତ୍ତମାନ ସୁଦ୍ଧା ବେଙ୍ଗଳୁରୁରୁ ୧୨ ଶହ କର୍ମକର୍ତ୍ତା, ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ସାରିଛନ୍ତି । ସେହିଭଳି ଟିକେଟ୍ ନପାଇବାରୁ ବିଜେପିରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାଭାଦି । ସେହିଭଳି ଉଦୁପି ବିଧାୟକ ରଘୁପତି ଭଟ ମଧ୍ୟ ତୀବ୍ର ଅସନ୍ତୋଷ ଜାହି କରିଛନ୍ତି । ସରକାର ବିରୋଧୀ ହାୱା ସାଙ୍ଗକୁ ଟିକେଟକୁ ନେଇ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ବିଦ୍ରୋହ ପ୍ରବଳ । ଏଭଳି ସ୍ଥିତିରେ କଣ ହେବ ବିଜେପିର ଅବସ୍ଥା ! ୟେଦି କିନ୍ତ କହୁଛନ୍ତି, ବିଜେପି ପୁଣି ସରକାର ଗଢ଼ିବା ଥୟ ।

ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ କ୍ରେଜ୍ ଡାଉନ୍ ହୋଇଥିବା ବେଳେ ବର୍ତ୍ତମାନ ସ୍ଥିତିରେ ବିଜେପିକୁ ୟେଦି ଭରସା । ୨୦୨୧ ଜୁଲାଇ ମାସରେ ବିଏସ୍. ୟେଦିୟୁରପ୍ପାଙ୍କୁ ହଟାଇ ବାସବରାଜ ବୋମାଇଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଛି ବିଜେପି । ବିଜେପିର ୭୫ ବର୍ଷ ବୟସ ଏଜ୍ ବାର୍ ଅନୁସାରେ ୟେଦିଙ୍କୁ ଏକପ୍ରକାର ଅବସର ଦେଇଛି ଦଳ । କିନ୍ତୁ ଏବେ ଲୋଡ଼ା ପଡ଼ିଛନ୍ତି ଲିଙ୍ଗାୟତ ନେତା । ୟେଦିଙ୍କ ବିନା ଯେ ବିଜେପି ପାଇଁ କର୍ଣ୍ଣାଟକ ଅଧା-ଅଧା, ଏହା ହୃଦୟଙ୍ଗମ କରିବା ପରେ ପୁଣି ତାଙ୍କୁ କୋଳକୁ ଆଣିଛି । କର୍ଣ୍ଣାଟକର ନିର୍ବାଚନ ମହାଭାରତରେ ବିଦୁର ଭୂମିକାରେ ତାଙ୍କୁ ଅବତୀର୍ଣ୍ଣ କରାଇଛି ଦଳ । ବିଦ୍ରୋହ ପ୍ରଶମିତ କରିବାକୁ ୟେଦିଙ୍କୁ ଗୁରୁଦାୟିତ୍ବ ଦେଇଛନ୍ତି ନିଜେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆଉ ୟେଦି ମଧ୍ୟ କହୁଛନ୍ତି, ପୂରା ଦମ୍ ଲଗାଇ ସେ, ସମସ୍ୟାର ସମାଦାନ କରିବାକୁ ଚେଷ୍ଟା କରିବେ ।

ବିଜେପିର ଅପରେସନ୍ କ୍ଲିନ୍ କର୍ଣ୍ଣାଟକ, ହେଲେ କେନ୍ଦ୍ରୀୟ ନେତୃତ୍ବ ଆସା କରି ନଥିଲେ ବିଦ୍ରୋହ ଏତେ ଉଗ୍ର ହେବ ବୋଲି । ନିର୍ବାଚନ ପାଖେଇ ଆସୁଥିବା ବେଳେ କୁଆଡ଼େ ଯିବେ ବିଜେପି ବିଦ୍ରୋହୀ ? ପୁଣି ଯେଉଁ ଦଳକୁ ଯିବେ, ସେଠାରେ ସେମାନଙ୍କୁ ଟିକେଟ ମିଳିବ ତ ! ବର୍ତ୍ତମାନ ସୁଦ୍ଧା କଂଗ୍ରେସ, ୫୮ ଆସନରେ ଏବଂ ଜେଡିଏସ୍ ଶହେରୁ ଅଧିକ ଆସନରେ ପ୍ରାର୍ଥୀ ଘୋଷଣା କରି ନାହାନ୍ତି । ତେଣୁ ଏ ଦୃଷ୍ଟିରୁ ଦେଖିଲେ, କଂଗ୍ରେସ ଓ ଜେଡିଏସରେ କିଛି ସାମିଲ ହେବା ସମ୍ଭାବନା ରହୁଛି । ଶୁକ୍ରବାର ବେଙ୍ଗଳୁରୁରେ ବଡ଼ ଧରଣର ମିଶ୍ରଣ ପର୍ବ ଆୟୋଜନ କରିବାକୁ ଯାଉଛି ଜେଡିଏସ୍ । ଅଧିକାଂଶ ଅସନ୍ତୁଷ୍ଟ ବିଜେପି ନେତା ଜେଡିଏସରେ ସାମିଲ ହେବାକୁ ଯାଉଥିବା କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍. ଡି. କୁମାରସ୍ବାମୀ ।

ଆସନ୍ତା ମେ ୧୦ ତାରିଖରେ ହେବାକୁ ଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଏପ୍ରିଲ ୧୩ ତାରିଖରେ ପ୍ରକାଶ ପାଇଛି ବିଜ୍ଞପ୍ତି । ୨୦ ତାରିଖ ରହିଛି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ । ତେବେ ୩ ଦଳର ଟିକେଟ୍ ବଣ୍ଟନ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ସରି ନଥିବା ବେଳେ ବିଦ୍ରୋହ ବଢ଼ିବାରେ ଲାଗିଛି ।

ଏହି ଖବର ପଢ଼ନ୍ତୁ -  ୮ବର୍ଷ ହେବ ରୋଜା ପାଳୁଛନ୍ତି ଏହି ହିନ୍ଦୁ ବ୍ୟକ୍ତି: ପଚାରିବାରୁ କହିଲେ ଏମିତି...
Published by:Soubhagya Mishra
First published: