News 18 Odia Digital
ଭୁବନେଶ୍ୱର : ଦୁଇ ଦିନିଆ ଓଡିଶା ଗସ୍ତରେ ମନ୍ତ୍ରୀ ଅମିତ ଶାହା। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ କିଛି ସମୟ ପରେ ପହଞ୍ଚିବେ ଗୃହମନ୍ତ୍ରୀ ଅମିତ ଶାହା । ବିମାନବନ୍ଦରରେ ପହଞ୍ଚିବା ପରେ ବାଜା ବଜାଇ ଦଳ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ । ଢୋଲ ସହ ଗିନି ବଜାଇ ଆଦିବାସୀ ନୃତ୍ୟ ପରିବେଷଣ କରାଯାଉଛି। ବିଜେପି ନେତା ମାନେ ମଧ୍ୟ ସାଥିରେ ନାଚୁଛନ୍ତି। ଖୁସିରେ ଭୁବନେଶ୍ୱର ସାଂସଦ ମଧ୍ୟ ସାଙ୍ଗରେ ତାଳଦେଇ ନାଚୁଥିବା ଦେଖାଯାଇଛି।ସ୍ଵତନ୍ତ୍ର ଗାଡ଼ି ଯୋଗେ ବିମାନବନ୍ଦରରୁ ଭୁବନେଶ୍ୱର ମେଫେୟାର ଯାଇ ସେଠାରେ ରାତ୍ରି ଯାପନ କରିବେ ଅମିତ ଶାହା । ସୋମବାର ସକାଳ ୮ ଟାରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବେ । ସେଠାରୁ ଅମିତ ଶାହା ବଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଘରକୁ ଯିବାର କାର୍ଯ୍ୟକ୍ରମ ରହିଛି । ସେଠାରୁ କଟକ ଗସ୍ତ କରିବେ । ଏହି ଅବସରରେ ଭୁବନେଶ୍ୱରରୁ କଟକ ଯିବା ରାସ୍ତାରେ ଦଳୀୟ ନେତାଙ୍କ ପକ୍ଷରୁ ଅମିତଙ୍କୁ ସ୍ୱାଗତ ସମ୍ବର୍ଦ୍ଧିନା ଦିଆଯିବ। ପରେ କଟକ ସ୍ଥିତ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଏହି ଅଵସରରେ କଟକ ଇଣ୍ଡୋର ଷ୍ଟାଡିୟମରେ ପୂର୍ବାହ୍ନ ୧୧ଟାରେ ପ୍ରଜାତନ୍ତ୍ର ଖବର କାଗଜ କାର୍ଯ୍ୟକ୍ରମରେ ସାମିଲ ହେବେ। କାର୍ଯ୍ୟକ୍ରମରୁ ଫେରି ଦିନ ୧ ଟାରେ ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ। ଦଳୀୟ କାର୍ଯ୍ୟଳୟରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଏହି ଅଵସରରେ ଦଳର ତୁଙ୍ଗ ନେତାଙ୍କ ସହ ଆଲୋଚନା କରିବେ । ପରେ ମେଫେୟାର ହୋଟେଲରେ ମୋଦି@ 20 ପୁସ୍ତକ ଉନ୍ମୋଚନ କରିବେ। ଏହି କାର୍ଯ୍ୟକ୍ରମ ପରେ ସନ୍ଧ୍ୟା ୬ ଟା ୩୦ ମିନିଟରେ ଅମିତ ଶାହା ଦିଲ୍ଲୀ ବାହୁଡିବେ ।
ଶାହାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଟୁଇନ ସିଟିରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଜାରି କରାଯାଇଛି ବୋଲି ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି । ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିୟ ବିମାନବନ୍ଦରରୁ ମେଫେୟାର ଓ ମେଫେୟାରରୁ ଲିଙ୍ଗରାଜ ମନ୍ଦିର ଯାଏଁ କାରକେଡ଼ ରିହରସଲ କରିଛି କମିଶନରେଟ ପୁଲିସ । ଗୃହମନ୍ତ୍ରୀଙ୍କ ଗସ୍ତ ଲାଗି ୨୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଅମିତ ଶାହଙ୍କ କାରକେଡରେ ରହିଛି ୩୦ ଟି ଗାଡ଼ି। ଏଥିରେ ଅଗ୍ନିଶମ ବିଭାଗ ଓ ଆମ୍ବୁଲାନ୍ସ ଗାଡ଼ି ରହିଛି । ସୁରକ୍ଷା ଦୃଷ୍ଟିରୁ ଏୟାରପୋର୍ଟ ସମ୍ମୁଖରେ ବାରିକେଡ କରାଯାଇଛି ।
ସେପଟେ ଅମିତ ଶାହା ଓଡିଶା ଗସ୍ତ କାଳରେ ଦଳୀୟ ନେତାଙ୍କ ସହ ଆଲୋଚନା କରିବେ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି। ଦଳ କିଭଳି ରାଜ୍ୟରେ ଆଗକୁ ବଢିବ। ତା ସହ ୨୦୨୪ ରେ ରାଜ୍ୟ ବିଜେପି କିଭଳି କ୍ଷମତା ଦଖଲ କରିବ ସେ ନେଇ ଦଳର ତୁଙ୍ଗ ନେତାଙ୍କ ସହ ବିଚାର ବିମର୍ଶ କରିବେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।