News18 Odia Digital
ଦିଲ୍ଲୀ: ଲୋକଙ୍କ ଦ୍ବାରା ନିର୍ବାଚିତ ହୋଇଥିବା ସରକାର ଜନତାଙ୍କ ପାଖରେ ଉତ୍ତରଦାୟୀ । ସରକାରଙ୍କ ଅଧିକାର କ୍ଷୂର୍ଣ୍ଣ ହେଲେ ସଂଘୀୟ ବ୍ୟବସ୍ଥା ପ୍ରଭାବିତ ହେବ । ଏଣୁ ସିଦ୍ଧାନ୍ତର ସମ୍ମାନହାନି ନ ହେବା ଜରୁରୀ । ଦିଲ୍ଲୀ ସରକାର ଏବଂ ଉପରାଜ୍ୟପାଳ ମାମଲାରେ ଅଫିସର ବଦଳି ଓ ନିଯୁକ୍ତିକୁ ନେଇ ଏଭଳି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ କୋର୍ଟ କହିଛନ୍ତି, ଅଧିକାରୀଙ୍କ ବଦଳି ଓ ନିଯୁକ୍ତି ଉପରେ ଦିଲ୍ଲୀ ସରକାରଙ୍କ ସମ୍ପୂର୍ଣ୍ଣ ଅଧିକାର ରହିଛି । ଦିଲ୍ଲୀ ସରକାର, ଅଧିକାରୀଙ୍କ ନିଯୁକ୍ତି ଓ ବଦଳି ନିଷ୍ପତ୍ତି ନେବେ । ଏଥିରେ ଉପରାଜ୍ୟପାଳ କୌଣସି ପ୍ରକାର ହସ୍ତକ୍ଷେପ କରିପାରିବେ ନାହିଁ । ସରକାରଙ୍କ ନିଷ୍ପତ୍ତିରେ ସହଯୋଗ କରିବା ସହ ତାହା ମାନିବାକୁ ଉପରାଜ୍ୟପାଳ ବାଧ୍ୟ ବୋଲି ସ୍ପଷ୍ଟ କରି ଦେଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ । ଖାଲି ସେତିକି ନୁହେଁ ଦିଲ୍ଲୀ ସରକାରଙ୍କ ମନ୍ତ୍ରିମଣ୍ଡଳର ପରାମର୍ଶ ମଧ୍ୟ ମାନିବେ ଉପରାଜ୍ୟପାଳ । ସୁପ୍ରିମକୋର୍ଟଙ୍କ କହିବା କଥା, ଯଦି ଅଧିକାରୀମାନେ ସେମାନଙ୍କ ବିଭାଗର ମନ୍ତ୍ରୀଙ୍କୁ ରିପୋର୍ଟ ନକରିବେ କିମ୍ବା ସେମାନଙ୍କ ନିର୍ଦ୍ଦେଶ ନମାନିବେ, ତେବେ ସାମଗ୍ରୀକ ଦାୟିତ୍ବ କେଉଁଠି ନା କେଉଁଠି ପ୍ରଭାବିତ ହେବ । ତେବେ ଆଇନ୍ ବ୍ଯବସ୍ଥା, ପବ୍ଲିକ୍ ଅର୍ଡର, ପୋଲିସ ଏବଂ ଜମିଜମା ଉପରେ କେନ୍ଦ୍ର ସରକାରଙ୍କ ପୂର୍ଣ୍ଣ ଅଧିକାର ରହିବ ।
ଖଣ୍ଡପୀଠଙ୍କ କହିବା କଥା, ଉପରାଜ୍ୟପାଳଙ୍କର କ୍ଷମତା ରହିଛି । ତା ମାନେ ନୁହେଁ, ଦିଲ୍ଲୀର ନିର୍ବାଚିତ ଗଣତାନ୍ତ୍ରିକ ସରକାରଙ୍କ ଠାରୁ ପ୍ରାଶାସନିକ କ୍ଷମତା ସେ ଛଡ଼ାଇ ନେବେ । ଯଦି ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ସରକାରଙ୍କ ନିୟନ୍ତ୍ରଣରେ ଅଧିକାରୀ ନରହିବେ ଏବଂ ସରକାରଙ୍କ ନିକଟରେ ସେମାନେ ଉତ୍ତରଦାୟୀ ନହେବେ, ତେବେ ବ୍ୟବସ୍ଥାପିକା ଏବଂ ଜନ ସାଧାରଣଙ୍କ ପ୍ରତି ସରକାରଙ୍କ କର୍ତ୍ତବ୍ୟ, ଗୋଳମାଳିଆ ହୋଇଯିବ ବୋଲି କହିଛନ୍ତି ସର୍ବୋଚ୍ଚ କୋର୍ଟ ।
ସୁପ୍ରିମକୋର୍ଟଙ୍କ ରାୟ ପରେ ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାର ଉତ୍ସାହିତ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମନ୍ତ୍ରୀମାନଙ୍କ ବୈଠକ ନେଇଛନ୍ତି । ଆପ୍ କହିଛି, ଏହା ଦିଲ୍ଲୀବାସୀଙ୍କ ବିଜୟ । କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ଉଚିତ୍ ଶିକ୍ଷା ଦେଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ ଦିଲ୍ଲୀବାସୀଙ୍କୁ ସେମାନଙ୍କ ହକ୍ ଦେଇଛନ୍ତି । ଏହା ଦ୍ବାରା ଦିଲ୍ଲୀର ବିକାଶ ଆହୁରି ଆଗକୁ ବଢ଼ିବ । ଅନେକ ଦିନ ଧରି ଜାରି ରହିଥିବା ଲଢ଼େଇରେ ଦିଲ୍ଲୀବାସୀଙ୍କର ବିଜୟ ହୋଇଥିବା କହିଛି ଆମ୍ ଆଦମୀ ପାର୍ଟି । ସେପଟେ ଏହା ଉପରେ ଜବାବ ରଖିଛି ବିଜେପି ।
ଅଫିସରଙ୍କ ପୋଷ୍ଟିଂ ଓ ଟ୍ରାନ୍ସଫର୍ ଉପରେ ଦିଲ୍ଲୀ ସରକାରଙ୍କ ଅଧିକାର ରହିଛି । ଲୋକଙ୍କ ଦ୍ବାରା ନିର୍ବାଚିତ ହୋଇଥିବା ସରକାରଙ୍କ ପାଖରେ ପ୍ରାଶାସନିକ ବ୍ୟବସ୍ଥା ରହିବା ଜରୁରୀ । ଯଦି ସରକାରଙ୍କ ପାଖରେ ଏହି ଅଧିକାର ନ ରହିବ, ତେବେ ସରକାର କିଭଳି ଲୋକଙ୍କ ପାଖରେ ଉତ୍ତରଦାୟୀ ରହିବେ ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ୨୦୧୯ରେ ଜଷ୍ଟିସ୍ ଭୂଷଣଙ୍କ ରାୟ ଖାରଜ କରିଛନ୍ତି । କୋର୍ଟ କହିଛନ୍ତି, ଦିଲ୍ଲୀ ଏକ ପୂର୍ଣ୍ଣ ରାଜ୍ୟ ନୁହେଁ । ଏଠାରେ ବିଧାନସଭାର ସୂଚୀ ୨ ଏବଂ ୩ ଅନୁସାରେ ସରକାରଙ୍କୁ ଅଧିକାର ମିଳିବା ଉଚିତ୍ । ଦିଲ୍ଲୀରେ ବିଧାନସଭା ଏବଂ ସରକାରଙ୍କ କାର୍ଯ୍ୟ ତଦାରଖ ପାଇଁ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଦିଲ୍ଲୀ ସରକାର (GNCTD) ଅଧିନିୟମ ୧୯୯୧ ଲାଗୁ ହୋଇଛି । ୨୦୨୧ରେ ଏଥିରେ ସଂଶୋଧନ କରିଥିଲେ କେନ୍ଦ୍ର ସରକାର । ସଂଶୋଧନ ଅନୁସାରେ ଦିଲ୍ଲୀ ସରକାର, ଅଧିକାରୀଙ୍କ ନିଯୁକ୍ତି ଓ ବଦଳି କରିବାକୁ ଚାହୁଁଥିଲେ ଉପରାଜ୍ଯପାଳଙ୍କ ପରାମର୍ଶ ନେବା ଜରୁରୀ । ଯାହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ କେଜ୍ରିଓ୍ବାଲ ସରକାର ।
ଏଣିକି ଦିଲ୍ଲୀ ସରକାର ଅଧିକାରୀଙ୍କ ବଦଳି ଓ ନିଯୁକ୍ତି ନିଜ ହିସାବରେ କରିପାରିବେ । ଏଥିରେ ଆଉ ଉପରାଜ୍ୟପାଳଙ୍କ ହସ୍ତକ୍ଷେପ ରହିବ ନାହିଁ । LGଙ୍କ ନିର୍ଦ୍ଦେଶ ମାନିବାକୁ ବାଧ୍ୟ ନୁହନ୍ତି ଦିଲ୍ଲୀ ସରକାର । ଯେଉଁ ପ୍ରସଙ୍ଗ ଉପରେ କେନ୍ଦ୍ର ସରକାରଙ୍କ ଆଇନ୍ ଲାଗୁ ହେଉ ନାହିଁ, ସେଠାରେ ଦିଲ୍ଲୀ ସରକାର ନିଜର ଆଇନ୍ ଲାଗୁ କରିପାରିବେ... ।
ପଢନ୍ତୁ ଏହି ଖବର :
Big Innovation: ଛାତ୍ରଙ୍କ ବଡ଼ ଉଦ୍ଭାବନ... ଚାଲିଲେ ମୋବାଇଲ୍କୁ ଚାର୍ଜ କରିବ ଜୋତା !ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।