ମଝି ଆକାଶରେ ପକ୍ଷୀ ଧକ୍କା : ପଡ଼ିଆରେ ଓହ୍ଲାଇଲା ମୁଖ୍ୟମନ୍ତ୍ରୀଙ୍କ ବିମାନ ! ଉତ୍ତରପ୍ରଦେଶ: ବାରଣାସୀରେ ଜରୁରୀ ଅବତରଣ କଲା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟର । ଆଜି ଭୋରରୁ ଏ ଅଘଟଣ ଘଟିଥିବା କଥା ସାମ୍ନାକୁ ଆସିଛି । ଆକାଶରେ ହେଲିକପ୍ଟରଟି ଉଡୁଥିବା ସମୟରେ ଏକ ପକ୍ଷୀ ସାମ୍ନାକୁ ଆସି ମୁଖ୍ୟମନ୍ତ୍ରୀଙ୍କ ବିମାନରେ ପିଟି ହୋଇଯାଇଥିଲା । ଫଳରେ ହେଲିକପ୍ଟରଟିକୁ ଜରୁରୀକାଳିନ ସ୍ଥିତିରେ ଏକ ଖୋଲା ପଡିଆରେ ଅବତରଣ କରାଯାଇଥିବା ସୂଚନା ମିଳିଛି । ଗତକାଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର କିଛି ଅଞ୍ଚଳରେ ବିଭିନ୍ନ ପ୍ରକଳ୍ପ ତଥା ବିକାଶ ମୂଳକ କାମ ଓ ଆଇନ ଶୃଙ୍କଳା ପରିସ୍ଥିତିର ସମୀକ୍ଷା କରିଥିଲେ । ପରେ ବାରଣାସୀରେ ରହି ରାତ୍ରିଯାପନ କରିଥିଲେ । ଆଜି ସକାଳେ ବାରଣାସୀ ରିଜର୍ଭ ପୋଲିସ୍ ଲାଇନରୁ ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରୁଥିଲା ହେଲିକପ୍ଟର । କିନ୍ତୁ ଆକାଶରେ ପକ୍ଷୀ ସହ ମାଡ଼ ହେବା ପରେ ପାଇଲଟ ତୁରନ୍ତ ଏକ ଖୋଲା ପଡିଆରେ ହେଲିକପ୍ଟରକୁ ଅବତରଣ କରିଛନ୍ତି । ଏହାପରେ ସର୍କିଟ ହାଉସକୁ ଫେରିଥିଲେ ମୁଖ୍ୟମନ୍ତ୍ରୀ, ପରେ ଅନ୍ୟ ଏକ ବିମାନରେ ଲକ୍ଷ୍ନୌ ଯାଇଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।