- News18 Odia
- Last Updated :
- Other, India
News18 Odia Digital
ଅହମ୍ମଦାବାଦ: ଗୁଜୁରାଟ ନିର୍ବାଚନରେ ବିରାଟ ଜିତ ପରେ ପୁଣି ଥରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଭୁପେନ୍ଦ୍ର ପଟେଲ। ଆଜ ଗାନ୍ଧିନଗରରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଭୁପେନ୍ଦ୍ର ପଟେଲ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ବିଜେପି ସୂତ୍ର ଅନୁଯାୟୀ ଏହି ସମାରୋହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବେ।
ଶପଥ ଗ୍ରହଣ ପୂର୍ବରୁ ଗାନ୍ଧିନଗରର ଲୀଲା ହୋଟେଲରେ ସକାଳ ୧୦ଟାରେ ବିଜେପି ବିଧାୟକଙ୍କ ବୈଠକ ହେବ। ଭୁପେନ୍ଦ୍ର ପଟେଲଙ୍କ ସହ କିଛି ନୂଆ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି। ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ଭୁପେନ୍ଦ୍ର ପଟେଲଙ୍କ କ୍ରମାଗତ ଦ୍ୱିତୀୟ କାର୍ଯ୍ୟକାଳ ହେବ। ଅପରାହ୍ନ ୨ ଟାରେ ଗାନ୍ଧିନଗରର ନୂତନ ସଚିବାଳୟ ନିକଟରେ ହେଲିପ୍ୟାଡ ପଡିଆରେ ଆୟୋଜିତ ହେବାକୁ ଥିବା ଏକ ସମାରୋହରେ ଗୁଜୁରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବଭ୍ରତ ରାଜ୍ୟର ୧୮ ତମ ମୁଖ୍ୟମନ୍ତ୍ରୀ ଭାବରେ ଭୁପେନ୍ଦ୍ର ପଟେଲଙ୍କ ଶପଥ ଗ୍ରହଣ କରିବେ।
ନିକଟରେ ଶେଷ ହୋଇଥିବା ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପି ୧୮୨ ଟି ଆସନ ମଧ୍ୟରୁ ୧୫୬ ରେକର୍ଡ ଜିତିଛି। ଗୁଜୁରାଟ ବିଧାନସଭା ନିର୍ବାଚନରେ ଏହା ବିଜେପିର କ୍ରମାଗତ ସପ୍ତମ ବିଜୟ। କଂଗ୍ରେସ ୧୭ ଟି ଆସନ ଏବଂ ଆମ୍ ଆଦମୀ ପାର୍ଟି ପାଞ୍ଚଟି ସିଟ୍ ଜିତିଛି। ରାଜ୍ୟରେ ଏକ ନୂଆ ସରକାର ଗଠନର ରାସ୍ତା ସଫା କରିବାକୁ ଭୁପେନ୍ଦ୍ର ପଟେଲ ଶୁକ୍ରବାର ଦିନ ତାଙ୍କ ପୂରା କ୍ୟାବିନେଟ ସହିତ ଇସ୍ତଫା ଦେଇଛନ୍ତି। ଶନିବାର ଦିନ ସେ ବିଜେପି ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହୋଇଥିଲେ। ସେ ରାଜ୍ୟପାଳଙ୍କୁ ଭେଟି ପରବର୍ତ୍ତୀ ସରକାର ଗଠନ ପାଇଁ ଦାବି କରିଥିଲେ। ଭୁପେନ୍ଦ୍ର ପଟେଲ ଘାଟଲୋଡିଆ ଆସନରେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୧.୯୨ ଲକ୍ଷ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।