ସଫଳ ହୋଇଛି ଓଡ଼ିଶା ସରକାରଙ୍କ ସାର୍ବଜନୀନ ସ୍ବାସ୍ଥ୍ୟସେବା ପ୍ରତିଶୃତି ଯୋଜନା

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୩୨୮ଟି ଓ ୧୫ଟି ବାହାର ରାଜ୍ୟରୁ ୬୫ଟି ଘରୋଇ ସୁପର ସ୍ପେସାଲିଟି ହସ୍ପିଟାଲକୁ ଯୋଜନାରେ ତାଲିକାଭୁକ୍ତ କରାଯାଇଛି।

ସଫଳ ହୋଇଛି ଓଡ଼ିଶା ସରକାରଙ୍କ ସାର୍ବଜନୀନ ସ୍ବାସ୍ଥ୍ୟସେବା ପ୍ରତିଶୃତି ଯୋଜନା

ସଫଳ ହୋଇଛି ଓଡ଼ିଶା ସରକାରଙ୍କ ସାର୍ବଜନୀନ ସ୍ବାସ୍ଥ୍ୟସେବା ପ୍ରତିଶୃତି ଯୋଜନା

  • Share this:
News18 Odia Digital

ଭୁବନେଶ୍ବର: ସଫଳ ହୋଇଛି ଓଡ଼ିଶା ସରକାରଙ୍କ ସାର୍ବଜନୀନ ସ୍ବାସ୍ଥ୍ୟସେବା ପ୍ରତିଶୃତି ଯୋଜନା। ମାସିକ ହାରାହାରି ୪୦ ହଜାର ରୋଗୀ ଘରୋଇ ସୁପର ସ୍ପେସାଲିଟି ହସ୍ପିଟାଲମାନଙ୍କରେ ଦେୟ-ମୁକ୍ତ ଚିକିତ୍ସା ପାଉଛନ୍ତି। ସେମାନଙ୍କ ଚିକିତ୍ସା ବାବଦକୁ ରାଜ୍ୟ ସରକାର ମାସିକ ହାରାହାରି ୯୦ କୋଟି ଟଙ୍କା ଏହି ହସ୍ପିଟାଲମାନଙ୍କୁ ପୈଠ କରୁଛନ୍ତି।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୩୨୮ଟି ଓ ୧୫ଟି ବାହାର ରାଜ୍ୟରୁ ୬୫ଟି ଘରୋଇ ସୁପର ସ୍ପେସାଲିଟି ହସ୍ପିଟାଲକୁ ଯୋଜନାରେ ତାଲିକାଭୁକ୍ତ କରାଯାଇଛି।

ଏମାନଙ୍କ ମଧ୍ୟରେ ପ୍ରମୁଖ ହସ୍ପିଟାଲ ହେଉଛନ୍ତି ଟାଟା ମେମୋରିଆଲ୍ ହସ୍ପିଟାଲ, ମୁମ୍ବାଇ ଓ କୋଲକତା; ସି.ଏମ୍.ସି. ଭେଲୋର; ନାରାୟଣ ହୃଦୟାଳୟ ହସ୍ପିଟାଲ୍ ଗ୍ରୁପ୍; ଶଙ୍କରା-କ୍ୟାନ୍‌ସର ହସ୍ପିଟାଲ ଗ୍ରୁପ୍ ଆପୋଲୋ, ବିଶାଖାପାଟଣା; କେଆର, ବିଶାଖାପାଟଣା; ସେଭେନ୍‌ ହିଲ୍, ବିଶାଖାପାଟଣା; ମହାତ୍ମାଗାନ୍ଧି କ୍ୟାନ୍ସର ପ୍ରତିଷ୍ଠାନ, ବିଶାଖାପାଟଣା; ଓ ପୋର୍ଟିସ୍ ହେଲ୍ଥ କେୟାର ଅନ୍ତର୍ଗତ ବିଭିନ୍ନ ରାଜ୍ୟରେ ଥିବା ହସ୍ପିଟାଲ।

ରାଜ୍ୟ ଭିତରେ ଥିବା ସମ୍ କିମ୍ବା ଆପୋଲୋ, ହାଇଟେକ୍, ସଦଗୁରୁ, ସାଇ ଶାନ୍ତି, ଜୟପ୍ରକାଶ ହସ୍ପିଟାଲ, ପଣ୍ଡା କ୍ୟାନ୍‌ସର ସେଣ୍ଟର, ଭୌମିକା ହସ୍ପିଟାଲ, ସର୍ବେଶ୍ବର ମେମୋରିଆଲ୍ ହସ୍ପିଟାଲ ଆଦି ୩୨୮ଟି ଘରୋଇ ହସ୍ପିଟାଲରେ ଲୋକ ଚିକିତ୍ସା ପାଇପାରୁଛନ୍ତି।

ଏହା ବ୍ୟତୀତ ସମସ୍ତ ସରକାରୀ ହସ୍ପିଟାଲରେ ମଧ୍ୟ ମାଗଣାରେ ଚିକିତ୍ସା ଓ ଔଷଧ ଦିଆଯାଉଛି। ପ୍ରାୟ ୧୫୯୨ଟି ଗ୍ରୁପ୍ ଅନ୍ତର୍ଗତ ବିଭିନ୍ନ ରୋଗର ଚିକିତ୍ସା ନିମନ୍ତେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ବ୍ୟବସ୍ଥା କରାଯାଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ ସମୁଦାୟ ୧,୯୭,୩୫୫ ଜଣ ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ୩୮୪ କୋଟି ଟଙ୍କା ଦେୟ ପୈଠ କରିଛନ୍ତି।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସ୍ବାସ୍ଥ୍ୟ ସୋସାଇଟି ପରିଚାଳନା ପରିଷଦ ବୈଠକରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ବ୍ୟବସ୍ଥାକୁ ରୋଗୀମାନଙ୍କ ନିମନ୍ତେ ଅଧିକ ସହଜସାଧ୍ୟ, ତ୍ରୁଟିଶୂନ୍ୟ ଓ ଭରସା ଯୋଗ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ଶାସନ ସଚିବ । ସେ କହିଛନ୍ତି" ଏହି ଯୋଜନା ଯୋଗୁ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକ ଖର୍ଚ୍ଚବହୁଳ ଘରୋଇ ହସ୍ପିଟାଲମାନଙ୍କରେ ବହୁ ଦୁଃସାଧ୍ୟ ଚିକିତ୍ସା ସୁବିଧା ପାଇପାରୁଛନ୍ତି। ଯୋଜନାଟି ଅଧିକରୁ ଅଧିକ ଲୋକପ୍ରିୟ ହେଉଥିବାରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ରୋଗୀମାନଙ୍କ ପାଇଁ ପ୍ରାଇଭେଟ୍ ହସ୍ପିଟାଲମାନେ ସ୍ବତନ୍ତ୍ର ହେଲ୍‌-ଡେକ୍ସ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ରାଜ୍ୟ ଭିତର ଓ ରାଜ୍ୟ ବାହାର ଘରୋଇ ହସ୍ପିଟାଲମାନଙ୍କରୁ ଯୋଜନା ଅନ୍ତର୍ଗତ ଲୋକଙ୍କ ଚିକିତ୍ସା ବାବଦରେ ଆସୁଥିବା ବିଲ୍‌ ପୈଠ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ମୁଖ୍ୟ ଶାସନ ସଚିବ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ବିଲ୍‌ ପୈଠ ପ୍ରକ୍ରିୟା ସୁଗମ ଓ ବାଧାମୁକ୍ତ ହେଲେ ଲୋକ ସହଜରେ ଚିକିତ୍ସା ପାଇପାରିବେ। ରାଜ୍ୟ ବାହାରେ ଓଡ଼ିଆ ଲୋକ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ସେଥିପ୍ରତି ଗୁରୁତ୍ୱ ଦେଇଥିଲେ।

ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ତଥା ସୋସାଇଟିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶାଳିନୀ ପଣ୍ଡିତ କହିଥିଲେ ଯେ ରାଜ୍ୟର ସମୁଦାୟ ୯୬.୫ ଲକ୍ଷ ପରିବାରଙ୍କୁ ଏହି ଯୋଜନାରେ ସାମିଲ ପାଇଁ ଚିହ୍ନଟ କରାଯାଇଛି। ଏବେ ସୁଦ୍ଧା ସେମାନଙ୍କ ମଧ୍ୟରୁ ପ୍ରାୟ ୯୮ ପ୍ରତିଶତ ପରିବାରଙ୍କୁ ସ୍ମାର୍ଟ-କାର୍ଡ ବଣ୍ଟନ ସରିଛି। ଅବଶିଷ୍ଟ ପରିବାରଙ୍କୁ ଅଭିଯାନ ଭିତ୍ତିରେ କାର୍ଡ ବଣ୍ଟନ କରାଯାଉଛି। କାର୍ଡ ପାଇ ନଥିବା ଯୋଗ୍ୟ ବିବେଚିତ ପରିବାରର ସଦସ୍ୟମାନେ ମଧ୍ୟ ନିଜର ଖାଦ୍ୟ ସୁରକ୍ଷା କାର୍ଡ ମାଧ୍ୟମରେ ଚିକିତ୍ସା ସୁବିଧା ପାଇପାରୁଛନ୍ତି।
Published by:Lipina Das
First published: