News18 Odia Digital
G7 Summit: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ଜର୍ମାନ ଚାନ୍ସେଲର ଓଲାଫ ସ୍କୋଲଜଙ୍କୁ ଜର୍ମାନର ଏଲମାଉରେ ଭେଟି ସେଠାରେ G7 ଶିଖର ସମ୍ମିଳନୀରେ ଯୋଗ ଦେବାକୁ ପହଞ୍ଚିଥିଲେ।
ନ୍ୟୁଜ୍ ଏଜେନ୍ସି ANI ଦ୍ୱାରା ସେୟାର ହୋଇଥିବା ଏକ ଭିଡିଓରେ ପ୍ରଧାନମନ୍ତ୍ରୀ ତାଙ୍କ ଜର୍ମାନ ପ୍ରତିପକ୍ଷଙ୍କ ସହ ସାକ୍ଷାତ କରୁଥିବାର ନଜର ଆସୁଛନ୍ତି।
G7 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଯୋଗଦେଉଛନ୍ତି ଯେଉଁଥିରେ ବିଶ୍ବର ସାତୋଟି ଧନୀ ଅର୍ଥନୀତିର ନେତାମାନେ ୟୁକ୍ରେନର ଯୁଦ୍ଧ, ଖାଦ୍ୟ ନିରାପତ୍ତା ଓ ଆତଙ୍କବାଦ ବିରୋଧୀ ପ୍ରମୁଖ ବିଶ୍ବ ସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି।
ଏଥିରେ ଯୋଗ ଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଥିଲେ, ‘‘ମୁଁ ଆଜି G7 ଶିଖର ସମ୍ମିଳନୀରେ ଯୋଗଦେବି ଯେଉଁଥିରେ ଆମେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବୁ।'’
G7 ହେଉଛି ଏକ ଆନ୍ତଃ ରାଜନୈତିକ ଗୋଷ୍ଠୀ ଯାହାକି କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ ଓ ଆମେରିକାକୁ ନେଇ ଗଠିତ।
ଭାରତ ବ୍ୟତୀତ ଜର୍ମାନୀ ଆର୍ଜେଣ୍ଟିନା, ଇଣ୍ଡୋନେସିଆ, ସେନେଗାଲ ଓ ଦକ୍ଷିଣ ଆଫ୍ରିକାକୁ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥିଲା।
ରବିବାର ଦିନ ପ୍ରଧାନମନ୍ତ୍ରୀ ମୋଦି ମ୍ୟୁନିଚର ଅଡି ଡୋମ ଷ୍ଟାଡିୟମରେ ବିଦେଶୀ ଭାରତୀୟଙ୍କୁ ସମ୍ବୋଧିତ କରିଥିଲେ। ମୋଦି ତାଙ୍କ ଅଭିଭାଷଣରେ ୪୭ ବର୍ଷ ପୂର୍ବେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି ବିଷୟରେ କହିଥିଲେ। ସେ କହିଥିଲେ, "ଗଣତନ୍ତ୍ର ଯାହା ଆମର ଗର୍ବ, ଯାହା ପ୍ରତ୍ୟେକ ଭାରତୀୟଙ୍କ ଡିଏନ୍ଏରେ ଅଛି, ୪୭ ବର୍ଷ ପୂର୍ବେ ସେହି ଗଣତନ୍ତ୍ରକୁ ବନ୍ଧକ ରଖିବା ପାଇଁ ଚେଷ୍ଟା କରାଯାଇଥିଲା।"
ତାଙ୍କର ଦୁଇ ଦିନିଆ ଜର୍ମାନୀ ଗସ୍ତ ପରେ ପ୍ରଧାନମନ୍ତ୍ରୀ ସଂଯୁକ୍ତ ଆରବ ଏମିରେଟ୍ସକୁ ଯିବେ। ସେଠାରେ ସେ ପୂର୍ବତନ ଗଲ୍ଫ ରାଷ୍ଟ୍ରପତି ଶେଖ ଖଲିଫା ବିନ ଜାଏଦ ଅଲ ନାହିନଙ୍କ ମୃତ୍ୟୁକୁ ସମବେଦନା ଜଣାଇବେ। ପ୍ରଧାନମନ୍ତ୍ରୀ ତାଙ୍କ ଟ୍ବିଟ ଜରିଆରେ କହିଛନ୍ତି ଯେ ଭାରତ ଫେରିବା ବାଟରେ ସେ ଜୁନ ୨୮ରେ ସଂଯୁକ୍ତ ଆରବ ଏମିରେଟ୍ସ ପରିଦର୍ଶନ କରିବେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।