ବିଶାଖାପାଟଣାରେ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହୋଇ ୧୦ ମୃତ, ୩୦୦ରୁ ଅଧିକ ଅସୁସ୍ଥ; ୫୦୦୦ ପ୍ରଭାବିତ

ଗ୍ୟାସ୍‌ ଲିକ୍ ହେବା ପରେ ୩ କିଲୋମିଟର ବ୍ୟାପୀ ୫ଟି ଗାଁକୁ ଖାଲି କରିଦିଆଯାଇଛି । ଅସୁସ୍ଥ ଲୋକଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ଗାଁ ଗୁଡ଼ିକରେ ଗଛପତ୍ର ନଷ୍ଟ ହୋଇଯାଇଛି । ପଶୁ ପକ୍ଷୀ ବି ଏଥିରେ ପ୍ରଭାବିତ ହୋଇଛନ୍ତି ।

ବିଶାଖାପାଟଣାରେ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହୋଇ ୧୦ ମୃତ, ୩୦୦ରୁ ଅଧିକ ଅସୁସ୍ଥ; ୫୦୦୦ ପ୍ରଭାବିତ
କିଙ୍ଗ୍ ଜର୍ଜ ହସପିଟାଲରେ ଆହତ ଲୋକଙ୍କୁ ଚିକିତ୍ସା କରାଯାଉଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବିଶାଖାପାଟଣା: ଆଜି ସକାଳେ ବିଶାଖାପାଟଣାରେ ଏକ ଫ୍ୟାକ୍ଟ୍ରିରେ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହୋଇ ୧୦ ଜଣ ଲୋକ ପ୍ରାଣ ହରାଇଛନ୍ତି ଓ ୩୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି । ଅସୁସ୍ଥ ଲୋକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଅଛନ୍ତି । ଏହି ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ୫,୦୦୦ ଲୋକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି ।

ଅସୁସ୍ଥ ଲୋକଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ଗାଁ ଗୁଡ଼ିକରେ ଗଛପତ୍ର ନଷ୍ଟ ହୋଇଯାଇଛି । ପଶୁ ପକ୍ଷୀ ବି ଏଥିରେ ପ୍ରଭାବିତ ହୋଇଛନ୍ତି । ଗ୍ୟାସ୍‌ ଲିକ୍ ହେବା ପରେ ୩ କିଲୋମିଟର ବ୍ୟାପୀ ୫ଟି ଗାଁକୁ ଖାଲି କରିଦିଆଯାଇଛି ।

ବିଶାଖାପାଟଣାର ଆର. ଆର. ଭେଙ୍କଟପୁରମ ଗାଁରେ ଘଟିଛି ଏ ଘଟଣା । ଆଜି ସକାଳୁ ସକାଳୁ ଏଲ୍‌ଜି ପଲିମର୍ସ ଇଣ୍ଡଷ୍ଟ୍ରିରେ ବିଷାକ୍ତ ରାସାୟନିକ ଗ୍ୟାସ୍‌ ଲିକ୍‌ ହେବାରୁ ଲୋକେ ଆଖି ଜଳାପୋଡ଼ା କରିବା, ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲେ । ବର୍ତ୍ତମାନ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗ୍ୟାସ୍‌ ଲିକ୍ ହେବା ପରେ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ କର୍ମଚାରୀ ତଥା ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ଉଦ୍ଧାର କାମରେ ଲାଗିଛନ୍ତି ।

ଗ୍ୟାସ୍ ଲିକ୍ ପରେ ଅନେକ ଗାଇ ଗୋରୁଙ୍କ ମୃତ୍ୟୁ ହୋଇଛି ।


ଏନ୍‌.ଡ୍.ଆର୍‌.ଏଫ୍‌. (NDRF) ଓ SDRF ଟିମ୍ ମଧ୍ୟ ମୁତୟନ ହୋଇଛନ୍ତି । ଆନ୍ଧ୍ର ପ୍ରଦେଶ ମୁଖ୍ୟ ମନ୍ତ୍ରୀ ଜଗନମୋହନ ରେଡ୍‌ଡି ଘଟଣା ସଂପର୍କରେ ସବିଶେଷ ତଥ୍ୟ ନେବା ସହ ଜିଲ୍ଲାପାଳଙ୍କୁ ସମସ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗ୍ୟାସ ଲିକ୍ ହୋଇଥିବା ଅଞ୍ଚଳକୁ ଆଜି ଗସ୍ତ କରିବେ ମୁଖ୍ୟ ମନ୍ତ୍ରୀ ।

ଗ୍ୟାସ ଲିକ୍ ଘଟଣା ବିଷୟରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ଗୃହ ମନ୍ତ୍ରାଳୟ ଏବଂ NDMA ସହ କଥା ହୋଇଛନ୍ତି ଓ ସ୍ଥିତି ଉପରେ କଡ଼ା ନଜର ରଖିଥିବା କହିଛନ୍ତି । ସମସ୍ତଙ୍କର ସ୍ୱାସ୍ଥ୍ୟ କାମନା କରିଛନ୍ତି ପ୍ରଧାନ ମନ୍ତ୍ରୀ । ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଘଟଣା ଉପରେ ତାଙ୍କ ମନ୍ତ୍ରାଳୟ ନଜର ରଖିଛି । ଉଚ୍ଚପଦସ୍ଥ ଅଧିକାରୀ ନିୟମିତ ଭାବେ ସ୍ଥିତି ଉପରେ ନଜର ରଖିଛନ୍ତି । ଆନ୍ଧ୍ର ପ୍ରଦେଶ ଅଧିକାରୀଙ୍କ ସହ ଗୃହ ମନ୍ତ୍ରାଳୟ ନିରନ୍ତର ଭାବେ ସମୀକ୍ଷା କରୁଥିବା କହିଛନ୍ତି ଅମିତ ଶାହ ।

ଜଣେ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଉଛି ।


ଗ୍ୟାସ ଲିକ୍ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୀଡ଼ିତମାନଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯାଉଥିବା କହିଛନ୍ତି ସେ । ଲୋକଙ୍କ ସୁରକ୍ଷା ଓ କଲ୍ୟାଣ କାମନା କରିଛନ୍ତି ଧର୍ମେନ୍ଦ୍ର । କଂଗ୍ରେସ ନେତା ରାହୁଳ ଗାନ୍ଧି ଏହି ଦୁର୍ଘୟଣା ଉପରେ ଦୁଃଖ ପ୍ରକାଶ କରିଛନ୍ତି । ଗ୍ୟାସ୍ ଲିକରେ ପ୍ରଭାବିତ ଲୋକଙ୍କୁ ସହାୟତା କରିବାକୁ ସ୍ଥାନୀୟ କଂଗ୍ରେସ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି ରାହୁଳ ।

ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ । NDRF ଟିମ୍ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବାରୁ ସେମାନଙ୍କୁ ଟ୍ବିଟ୍ କରି ଧନ୍ୟବାଦ ଜଣାଇଛନ୍ତି । ଏହା ସହ NDRFକୁ ସହାୟତା ଯୋଗାଇବାକୁ ରାଜ୍ୟର ସମସ୍ତ ବିଭାଗକୁ ପରାମର୍ଶ ଦେଇଛନ୍ତି । ମୃତାହତଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ।.
First published: May 7, 2020, 12:59 PM IST
corona virus btn
corona virus btn
Loading