News 18 Odia Digital
ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଆତିକ ଅହମ୍ମଦ (atiq ahmed) ଓ ଭାଇ ଅସରଫଙ୍କୁ ଗୁଳି କରି ହତ୍ୟା ପରେ ହୁଲସ୍ତୁଲ। ପୋଲିସ (police) ହେପାଜତରେ ଏବଂ କ୍ୟାାମେରା ସାମନାରେ ଡବଲ ମର୍ଡର (double murder) ପରେ ଦେଶରେ ଜୋରଦାର ଚର୍ଚ୍ଚା। ୩ ଅଭିଯୁକ୍ତ ଧରାପଡ଼ିଥିଲେ ବି ହତ୍ୟାକୁ ନେଇ ଅନେକ ପ୍ରଶ୍ନ। କାହିଁକି ଆତିକଙ୍କୁ ଏଭଳି ହତ୍ୟା କଲେ ? ହତ୍ୟକାରୀ ତୁର୍କୀ ମେଡ୍ ପିସ୍ତଲ ଆଣିଲେ କେଉଁଠୁ ? ୟୁପି ପୋଲିସର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଏବେ ୟୁପିରେ ହାଇ ଆଲର୍ଟ (high alert), ସବୁ ଜିଲ୍ଲାରେ ୧୪୪ ଧାରା। ଆତିକ ଓ ଅସରଫଙ୍କ ଶବ ବ୍ୟବଚ୍ଛେଦ ସରିଥିବାବେଳେ ୩ ଅଭିଯୁକ୍ତଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ସେପଟେ ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଆଉ ଘଟଣାକୁ ନେଇ ରାଜନୀତି (politics) ମଧ୍ୟ ସରଗରମ।
ପୁଅ ଅସଦର ଏନକାଉଣ୍ଟରକୁ ୨ ଦିନ ଯାଇନି, ଗ୍ୟାଙ୍ଗଷ୍ଟର ଆତିକ ଓ ଭାଇ ଅସରଫଙ୍କୁ ଗୁଳି କରି ହତ୍ୟା । ଶନିବାର ରାତିରେ ମେଡିକାଲ ଚେକ୍ଅପ୍ ପାଇଁ ଦୁଇ ଭାଇଙ୍କୁ ନେବା ବେଳେ, ୩ ଦୁର୍ବୃତ୍ତ ଆତିକ ଓ ଆଶରଫଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଯାହାକୁ ନେଇ ସମଗ୍ର ଉତ୍ତରପ୍ରଦେଶରେ ହାଇ ଆଲର୍ଟ । ମାମଲାର ନ୍ୟାୟିକ ତଦନ୍ତ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ତିନିଜଣିଆ ବିଚାରପତିଙ୍କୁ ନେଇ ଗଠିତ କମିଟି ଏହି ମାମଲାର ତଦନ୍ତ କରିବେ । ରାଜ୍ୟର ସବୁ ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି । ସମସ୍ତ ପୋଲିସ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ସମ୍ବେଦନଶୀଳ ସ୍ଥାନରେ ପୋଲିସ କରୁଛି ଫ୍ଲାଗମାର୍ଚ୍ଚ । ଘଟଣାକୁ ନେଇ କୌଣସି ପ୍ରକାର ଗୁଜବକୁ ବିଶ୍ବାସ ନ କରିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ସମ୍ପୂର୍ଣ୍ଣ ଫିଲ୍ମ ଷ୍ଟାଇଲ୍ (film style)ରେ ହୋଇଥିଲା ଏହି ହତ୍ୟାକାଣ୍ଡ । ମେଡିକାଲ ଯାଞ୍ଚ (medical check) ପାଇଁ ନିଆଯାଉଥିବାବେଳେ ସାମ୍ବାଦିକ (journalist)ଙ୍କ ପାଖରେ ଅଟକି ଥିଲେ ଗ୍ୟାଙ୍ଗଷ୍ଟର ଆତିକ ଏବଂ ଅସରଫ । ଉଭୟ କହିବା ଆରମ୍ଭ କରିଥିବାବେଳେ ବେଳେ ଅଚାନକ ଆରମ୍ଭ ହୋଇଯାଇଥିଲା ଗୁଳିମାଡ଼ । ମାତ୍ର କିଛି ସେକେଣ୍ଡ ମଧ୍ୟରେ ଟଳିପଡ଼ିଥିଲେ ୨ ଜଣ । କେହି କିଛି ବୁଝିବା ଆଗରୁ ଆଖି ବୁଜିସାରିଥିଲେ ୨ କୁଖ୍ୟାତ ଅପରାଧୀ । ଗୁଳି କରିଥିବା ୩ ଅଭିଯୁକ୍ତଙ୍କୁ ଧରିଛି ପୋଲିସ । ସେମାନେ ହେଲେ ସନ୍ନି, ଅରୁଣ ମୌର୍ଯ୍ୟ ଏବଂ ଲବଲେଶ ତିୱାରୀ ।
ଗିରଫ ତିନି ଅଭିଯୁକ୍ତଙ୍କ ମଧ୍ୟରୁ ଲବଲେଶଙ୍କ ଘର ବାନ୍ଦା, ଅରୁଣଙ୍କ ଘର ହମିରପୁର ଏବଂ ସନ୍ନିଙ୍କ ଘର କାସଗଂଜରେ । ତେବେ କାହିଁକି ସେମାନେ ହତ୍ୟାକଲେ ଏବେ ତାହାହିଁ ବଡ଼ ପ୍ରଶ୍ନ । ମିଳିଥିବା ସୂଚନା ଅନୁସାରେ, ନିଜକୁ ଫେମସ୍ କରିବାକୁ ସେମାନେ ଏହି ହତ୍ୟାକାଣ୍ଡ କରିଥିବା ପୋଲିସ ନିକଟରରେ କହିଛନ୍ତି । ତେବେ ଏହାକୁ ସହଜରେ ଗ୍ରହଣ କରିପାରୁନି ପୋଲିସ । ତେଣୁ ପ୍ରକୃତରେ ସେମାନଙ୍କ ଉଦ୍ଦେଶ୍ୟ କ’ଣ ଥିଲା ଏବେ ତାହା ପତ୍ତା ଲଗାଇବା ତଦନ୍ତକାରୀ ଟିମ୍ ବଡ଼ ଟାସ୍କ । ଆଉ ଏକ ବଡ଼ କଥା ହେଲା, ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ । ଯେଉଁ ପିସ୍ତଲରେ ଆତିକ୍ଙ୍କୁ ଗୁଳି ହୋଇଥିଲା ତାହା ହେଉଛି ଭାରତ ବଜାରରେ ବ୍ୟାନ ହୋଇଥିବା ତୁର୍କୀ ମେଡ୍ ପିସ୍ତଲ । ତେଣୁ ଅଭିଯୁକ୍ତଙ୍କ ପାଖରେ ଏହି ପିସ୍ତଲ କେଉଁଠୁ ଆସିଲା ତାହାକୁ ନେଇ ଚାଲିଛି ତନାଘନା ।
ମାମଲାରେ ୟୁପି ସରକାରଙ୍କୁ ରିପୋର୍ଟ ତଲବ କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ସେପଟେ ସୁରକ୍ଷାକୁ ଦୃଷ୍ଟି ରଖି ଉମେଶ ପାଲଙ୍କ ଘର ନିକଟରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଅନ୍ୟପଟେ ଘଟଣାକୁ ନେଇ ରାଜନୀତି ମଧ୍ୟ ସରଗରମ । ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ହତ୍ୟାକାଣ୍ଡକୁ କଡ଼ା ନିନ୍ଦା କରିଛନ୍ତି । ଏଥିସହ ଯୋଗୀ ସରକାରରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଥିବା କହିଛନ୍ତି । ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମଧ୍ୟ ଘଟଣାକୁ ନେଇ ଯୋଗୀ ସରକାରଙ୍କ ଉପରେ ବର୍ଷିଛନ୍ତି । ସାଂସଦ ଅସଦୁଦ୍ଦିନ ଓଓ୍ବେସୀ ଏନେଇ ମୁଖ୍ୟମନ୍ତ୍ରୀଙ୍କ ଇସ୍ତାଫା ସହ ସୁପ୍ରିମକୋର୍ଟଙ୍କ ଦ୍ବାରା ମନିଟରିଂ କରାଯାଇ ତଦନ୍ତ ଦାବି କରିଛନ୍ତି । ସେପଟେ ରାଜ୍ୟରେ ଶାନ୍ତି ଶୃଙ୍ଖଳା ରକ୍ଷଶ କରିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ସାମ୍ବାଦିକ ଭାବେ ବୁମ୍ ଧରି ଯେଉଁଭଳି ଦୁର୍ବୃତ୍ତମାନେ ଏହି ହତ୍ୟାକାଣ୍ଡ ଘଟଣାଇଲେ, ତାହାକୁ ନେଇ ମିଡିଆକର୍ମୀଙ୍କ ସୁରକ୍ଷାକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ । ଏହାକୁ ଦୃଷ୍ଟିରେ ରଖି ଗୃହମନ୍ତ୍ରାଳୟ ସାମ୍ବାଦିକଙ୍କ ପାଇଁ ଏକ ସ୍ବତନ୍ତ୍ର ଏସ୍ଓପି ପ୍ରସ୍ତୁତ କରୁଛି ।
ଉତ୍ତର ପ୍ରଦେଶରେ ପ୍ରାୟ ୪୦ ବର୍ଷ ଧରି ଆତଙ୍କରାଜ ଚଳାଇଥିଲା ଆତିକ ଅହମଦ । ତା ବିରୋଧରେ ରହିଥିଲା ଶତାଧିକ ମାମଲା । ବଡ଼ କଥା ହେଉଛି, ଆତିକ ୨୦୦୪ରେ ସମାଜବାଦୀ ପାର୍ଟିରୁ ସାଂସଦ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲା। ଏକାଧିକ ହତ୍ୟା, ଅପହରଣ, ଆକ୍ରମଣ, ପୋଡ଼ାଜଳା, ବଳପୂର୍ବକ ସଂପତ୍ତି ଅକ୍ତିଆର କରି ସାରା ରାଜ୍ୟରେ ଆତଙ୍କରାଜ ଚଳାଇଥିଲା। ୨୦୦୫ରେ ବହୁଜନ ସମାଜ ପାର୍ଟି ବିଧାୟକ ରାଜୁ ପାଲ ହତ୍ୟା ମାମଲାର ଅଭିଯୁକ୍ତ ଆତିକ ଗତ ଫେବ୍ରୁଆରିରେ ଆଇନଜୀବୀ ଉମେଶ ପାଲଙ୍କୁ ହତ୍ୟା ଯୋଜନା ଗୁଜରାଟର ସାବରମତୀ ଜେଲରେ ରହି କରିଥିଲା। ହେଲେ ସବୁଦିନ ସମାନ ରହିନଥାଏ । ବନ୍ଧୁକ ମୁନରେ ଦିନେ ନିଜ ଅପରାଧର ସାମ୍ରାଜ୍ୟ ଛିଡ଼ା କରିଥିଲା ଆତିକ୍, ସେହି ବନ୍ଧୁକର ଗୁଳି ଦିନେ ତାର ଜୀବନ ନେଇଯିବ କେହି କଳ୍ପନା କରିନଥିବେ ।
ଏହି ଖବର ପଢ଼ନ୍ତୁ -
କୋଟିଏ ରୁଦ୍ରାକ୍ଷରେ ପ୍ରଭୁ ହନୁମାନଙ୍କ ବିଗ୍ରହ: ଦେଖିବାକୁ ଭକ୍ତଙ୍କ ଭିଡ଼ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।