News 18 Odia Digital
ନୂଆ ଦିଲ୍ଲୀ: ନୂଆ ଦିଲ୍ଲୀ ରେଳ ଷ୍ଟେସନରେ ପୁଣି ଅଭାବନୀୟ ଘଟଣା ଘଟିଛି। ବିଳମ୍ବିତ ରାତିରେ ପ୍ଲାଟଫର୍ମରେ ୩୦ ବର୍ଷ ବର୍ଷୀୟା ଯୁବତୀଙ୍କ ସହ ଗଣ ଦୁଷ୍କର୍ମ ହୋଇଛି । ଘଟଣାରେ ଚାରିଜଣଙ୍କୁ ରେଳ କର୍ମଚାରୀଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ କହିଛି।
ପୋଲିସ କହିଛି ଯେ ଏହି ଚାରି ଅଭିଯୁକ୍ତ ରେଳବାଇର ଵୈଦ୍ୟୁତିକ ବିଭାଗର କର୍ମଚାରୀ। ଗଣ ଦୁଷ୍କର୍ମ ଗୁରୁବାର ଦିନ ବିଳମ୍ବିତ ରାତିରେ ପ୍ଲାଟଫର୍ମରେ ଥିବା ଟ୍ରେନ୍ ଲାଇଟିଂ ହଟ ଭିତରେ ଘଟିଥିବା ପୋଲିସ କହିଛି। ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣ ମହିଳାଙ୍କୁ ଦୁଷ୍କର୍ମ କରିଥିବା ବେଳେ ଅନ୍ୟମାନେ ବାହାରେ ଜଗି ରହିଥିଲେ।
ଅଭିଯୁକ୍ତମାନେ ହେଉଛନ୍ତି ୩୫ ବର୍ଷୀୟ ସତୀଶ କୁମାର, ୩୮ ବର୍ଷୀୟ ବିନୋଦ କୁମାର, ୩୩ ବର୍ଷୀୟ ମଙ୍ଗଲ ଚାନ୍ଦ ଓ ୩୭ ବର୍ଷୀୟ ଜଗଦୀଶ ଚାନ୍ଦ।
ଡିସିପି ରେଲୱେ ହରେନ୍ଦ୍ର ସିଂଙ୍କ କହିବା ଅନୁଯାୟୀ, ମହିଳା ଜଣକ ସକାଳ ପ୍ରାୟ ୩.୨୭ରେ ପୋଲିସ ଷ୍ଟେସନକୁ ଫୋନ୍ କରି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ପୋଲିସ ତୁରନ୍ତ ଷ୍ଟେସନକୁ ଯାଇ ତାଙ୍କୁ ଉଦ୍ଧାର କରିଥିଲା।
ମହିଳା ଜଣକ ପୋଲିସକୁ କହିଛନ୍ତି ଯେ ସେ ହରିୟାଣାର ଫରିଦାବାଦରେ ରୁହନ୍ତି। ସେ ପ୍ରାୟ ଦୁଇ ବର୍ଷ ପୂର୍ବେ ସ୍ୱାମୀଙ୍କଠାରୁ ଅଲଗା ହୋଇ କାମ ଖୋଜୁଥିଲେ। ସେ ଜଣେ ଅଭିଯୁକ୍ତ ସତୀଶଙ୍କୁ ଜଣେ ବନ୍ଧୁଙ୍କ ସହ ସାକ୍ଷାତ କରିଥିଲେ ଓ ତାଙ୍କୁ ରେଳବାଇରେ ଚାକିରି କରେଇଦେବେ ବୋଲି ପ୍ରତିଶୃତି ଦେଇଥିଲେ ବୋଲି ମହିଳା ପୋଲିସକୁ କହିଛନ୍ତି।
ଗୁରୁବାର ଦିନ ସତୀଶ ତାଙ୍କୁ ଡାକି ତାଙ୍କ ନୂଆ ଘରେ ପୁଅର ଜନ୍ମଦିନ ଭୋଜି ପାଇଁ ନିମନ୍ତ୍ରଣ କରିଥିଲେ। ରାତି ପ୍ରାୟ ୧୦.୩୦ ସମୟରେ ମହିଳା କିର୍ତ୍ତୀ ନଗର ମେଟ୍ରୋ ଷ୍ଟେସନରେ ସତୀଶଙ୍କୁ ଭେଟିଥିଲେ। ଏହା ପରେ ସେ ତାଙ୍କୁ ନୂଆ ଦିଲ୍ଲୀ ରେଳ ଷ୍ଟେସନକୁ ନେଇଥିଲେ ଯେଉଁଠାରେ ଅନ୍ୟ ତିନି ଅଭିଯୁକ୍ତ ସେମାନଙ୍କୁ ଭେଟିଥିଲେ ବୋଲି ସେ ପୋଲିସକୁ କହିଛନ୍ତି। ଏହା ପରେ ଟ୍ରେନ ଲାଇଟିଂ ହଟ ଭିତରେ ତାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିଲା ବୋଲି ସେ କହିଛନ୍ତି।
ମହିଳାଙ୍କ ଅଭିଯୋଗର ଦୁଇ ଘଣ୍ଟା ମଧ୍ୟରେ ପୋଲିସ ଏହି ଚାରି ଅଭିଯୁକ୍ତଙ୍କୁ ଗିରଫ କରି ଏକ ମାମଲା ରୁଜୁ କରିଛି। ସେମାନଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା । ଏହା ସହ ସେମାନଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି ବୋଲି ରେଳବାଇ ପୋଲିସ କହିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।