ସଂସଦର ମୌସୁମୀ ଅଧିବେଶନରେ ଉତ୍ତେଜନାକୁ ନେଇ କଂଗ୍ରେସର ୪ଜଣ ସଦସ୍ୟ ଲୋକସଭାରୁ ନିଲମ୍ବିତ
News 18 Odia Digital
ନୂଆଦିଲ୍ଲୀ; ସଂସଦର ମୌସୁମୀ ଅଧିବେଶନରେ ବିରୋଧୀଙ୍କ କ୍ରମାଗତ ଉତ୍ତେଜନାକୁ ନେଇ ଲୋକସଭା ବାଚସ୍ପତି ଓମ ବିର୍ଲା କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ ସ୍ଲୋଗାନ ଦେଇଥିବାରୁ ପୁରା ମୌସୁମୀ ଅଧିବେଶନ ପାଇଁ କଂଗ୍ରେସର ୪ ଜଣ ସଦସ୍ୟଙ୍କୁ ଲୋକସଭାରୁ ନିଲମ୍ବିତ କରାଯାଇଛି । ନିଲମ୍ବିତ ହୋଇଥିବା କଂଗ୍ରେସ ସାଂସଦଙ୍କ ନାମ ହେଉଛି ମଣିକମ୍ ଟାଗୋର, ଜୋତିମନି, ରମ୍ୟା ହରିଦାସ ଏବଂ ଟିଏନ୍ ପ୍ରତାପନ୍ ।
ନିଲମ୍ବିତ ସାଂସଦମାନେ ଗାନ୍ଧୀ ପ୍ରତିମୂର୍ତ୍ତି ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିଥିଲେ । ସୂଚନାଯୋଗ୍ୟ, ବିରୋଧୀ ଦଳର ସାଂସଦଙ୍କ କ୍ରମାଗତ ଆଲୋଡ଼ନ ଯୋଗୁଁ ଆଜି ଗୃହ କାର୍ଯ୍ୟ କ୍ରମାଗତ ଭାବରେ ବ୍ୟାହତ ହୋଇଥିଲା ଏବଂ ଲୋକସଭାକୁ ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ବାଚସ୍ପତି । ବିରୋଧୀ ଦଳର ସାଂସଦଙ୍କ ଆଚରଣକୁ ନେଇ ବାଚସ୍ପତି ଓମ ବିର୍ଲା ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହାପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲାଦ ଯୋଶୀ ହଙ୍ଗାମା ସମ୍ପର୍କରେ ମନ୍ତବ୍ୟ ଦେଇ କହିଛନ୍ତି ଯେ ବାଚସ୍ପତି ମନା କରିବା ପରେ ମଧ୍ୟ ସଂସଦ ମଧ୍ୟକୁ ପ୍ଲାକାର୍ଡ ଆଣି ଆସୁଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍ । ଯାହାଫଳରେ ସଦସ୍ୟମାନେ ବିନା କାରଣରେ ଗୃହର ପ୍ରକ୍ରିୟାରେ ବାଧା ସୃଷ୍ଟି କରିବେ ନାହିଁ ।
ଆଜି ଲୋକସଭାର ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ପ୍ଲାକାର୍ଡ ନେଇ ଗୃହରେ ପହଞ୍ଚିଥିବା ବିରୋଧୀଦଳ ସଦସ୍ୟମାନେ ସେମାନଙ୍କ ଦାବି ପାଇଁ ସ୍ଲୋଗାନ ଦେଇଥିଲେ । ବିରୋଧୀ ଦଳର କ୍ରମାଗତ ଉତ୍ତେଜନାକୁ ନେଇ ବାଚସ୍ପତି ଓମ ବିର୍ଲା ଦୃଢ଼ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଥିଲେ, "ମୋର ସହୃଦୟତାର ଅର୍ଥକୁ ଭିନ୍ନ ଭାବରେ ଗ୍ରହଣ କର ନାହିଁ । ମୁଁ ୩ଟା ପରେ ଗୃହରେ ଆଲୋଚନା କରିବାକୁ ପ୍ରସ୍ତୁତ, କିନ୍ତୁ ଯଦି କେବଳ ପ୍ଲାକାର୍ଡ ଦେଖାଇବେ ତ ତିନି ଘଣ୍ଟା ପରେ ସଦନ ବାହାରେ ଦେଖାନ୍ତୁ । " ଓମ ବିର୍ଲା କହିଛନ୍ତି ଯେ ଦେଶର ଲୋକମାନେ ଚାହୁଁଛନ୍ତି ଯେ ଗୃହ ସଠିକ୍ ଭାବରେ ଚାଲୁ । ଗୃହ ଏହିପରି ଚାଲିପାରିବ ନାହିଁ, ମୁଁ ଏପରି ସ୍ଥିତି ସଂସଦରେ ରହିବାକୁ ଦେବିନାହିଁ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।