ନିର୍ଭୟା କାଣ୍ଡର ଚ଼ାରି ଜଣ ଦୋଷୀଙ୍କ ଫାଶୀ ପାଇଁ ପ୍ରସ୍ତୁତି ଚ଼ାଲିଛି; ଜଣେ ରାଜକ୍ଷମା ପ୍ରାର୍ଥନା କଲା

ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଚାରି ଜଣ ଦୋଷୀଙ୍କୁ ୨୨ ତାରିଖ ଦିନ ଫାଶୀ ଦେବା ପାଇଁ ତିହାର ଜେଲ୍‌ରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥି ପାଇଁ ବିହାରର ବକ୍ସର୍ ଜେଲ୍‌ରୁ ଫାଶୀ ଦଉଡ଼ି ଆସି ସାରିଛି । ଉତ୍ତର ପ୍ରଦେଶର ଜଣେ ଜହ୍ଲାଦ ବି ଏହି ଚ଼ାରି ଜଣ ଦୋଷୀଙ୍କୁ ଫାଶୀ ଦେବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି ।

ନିର୍ଭୟା କାଣ୍ଡର ଚ଼ାରି ଜଣ ଦୋଷୀଙ୍କ ଫାଶୀ ପାଇଁ ପ୍ରସ୍ତୁତି ଚ଼ାଲିଛି; ଜଣେ ରାଜକ୍ଷମା ପ୍ରାର୍ଥନା କଲା
ଫାଶୀ ଦଣ୍ଡ ପାଇଥିବା ଚ଼ାରି ଜଣ ଦୋଷୀ
  • News18 Odia
  • Last Updated: January 15, 2020, 12:17 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଫାଶୀର ନିକଟତର ହେଉଛନ୍ତି ନିର୍ଭୟା କାଣ୍ଡର ଚ଼ାରି ଜଣ ଦୋଷୀ । ଦୁଇ ଦୋଷୀ ବିନୟ ଶର୍ମା ଓ ମୁକେଶ ସିଂଙ୍କ କ୍ୟୁରେଟିଭ୍ ପିଟିସନ ଖାରଜ ସୁପ୍ରିମ କୋର୍ଟ ଖାରଜ କରିଦେବା ପରେ ସେମାନଙ୍କ ପାଖରେ ଅଛି ଗୋଟିଏ ମାତ୍ର ବିକଳ୍ପ – ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା । ତେଣୁ ଏହି ମାମଲାରେ ରାଜକ୍ଷମା ପାଁଇ ଆବେଦନ କରିଛି ଦୁଷ୍କର୍ମକାରୀ ମୁକେଶ ।

ଆସନ୍ତା ୨୨ରେ ସମସ୍ତ ଚ଼ାରି ଜଣ ଦୋଷୀଙ୍କୁ ଫାଶୀ ଦଣ୍ଡ ଦିଆଯିବା ପାଇଁ ପୂର୍ବରୁ ତାରିଖ ଧାର୍ଯ୍ୟ କରି ସାରିଛନ୍ତି ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟ । ସୁପ୍ରିମ କୋର୍ଟରେ କ୍ୟୁରେଟିଭ୍ ପିଟିସନ ଖାରଜ ହୋଇଯିବା ପରେ ଖୁସି ଜାହିର କରିଛନ୍ତି ନିର୍ଭୟାଙ୍କ ବାପାମାଆ ।

ଡେଥ୍‌ ୱାରେଣ୍ଟ ବିରୋଧରେ ସୁପ୍ରିମ କୋର୍ଟ ଯାଇ କ୍ୟୁରେଟିଭ୍ ପିଟିସନ୍ ଦାୟର କରିଥିବା ବିନୟ ଓ ମୁକେଶକୁ ଲାଗିଛି ଶକ୍ତ ଧକ୍କା । କ୍ୟୁରେଟିଭ ପିଟିସନ ଖାରଜ ହେଲା ପରେ ଫାଶୀର ନିକଟତର ହୋଇଛନ୍ତି ଦୋଷୀମାନେ । ସୁପ୍ରିମ କୋର୍ଟଙ୍କ ପାଞ୍ଚଜଣିଆ ଖଣ୍ଡପୀଠ ବିନୟ ଓ ମୁକେଶଙ୍କ ପିଟିସନ୍‌ର ଶୁଣାଣି କରିଥିଲେ । ହେଲେ ସେମାନଙ୍କ ପିଟିସନରେ କୌଣସି ମେରିଟ ନ ଥିବା ଦର୍ଶାଇ ସୁପ୍ରିମ କୋର୍ଟ ତାହା ଖାରଜ କରିଦେଇଥିଲେ ।

ଗତ ସପ୍ତାହରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ନିର୍ଭୟା ମାମଲାର ସବୁ ଚାରି ଜଣ ଦୋଷୀଙ୍କ ବିରୋଧରେ ଡେଥ୍ ୱାରଣ୍ଟ ଜାରି କରିବା ସହ ଏହି ମାସ ୨୨ ତାରିଖରେ ସେମାନଙ୍କୁ ଫାଶୀ ଦେବା ପାଇଁ ତାରିଖ ସ୍ଥିର କରିଥିଲେ । ଏଥି ସହିତ ସବୁ ଦୋଷୀଙ୍କୁ ସମସ୍ତ ଆଇନଗତ ବିକଳ୍ପର ସହାୟତା ନେବାକୁ ୧୪ ଦିନ ସମୟ ଦେଇଥିଲେ କୋର୍ଟ ।

ଡେଥ୍ ୱାରଣ୍ଟ ଜାରି ହେଲା ପରେ ଫାଶୀରୁ ବର୍ତ୍ତିବା ପାଇଁ ଶେଷ ଆଇନଗତ ଉଦ୍ୟମ ସ୍ବରୂପ ବିନୟ ଓ ମୁକେଶ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ ।

ନିଜର କ୍ୟୁରେଟିଭ ପିଟିସନ୍‌ରେ ମଡେଲ୍ ଜେସିକା ଲାଲ୍ ହତ୍ୟା ମାମଲାର ଉଦାହରଣ ଦେଇଥିଲା ବିନୟ । ଜେସିକା ଲାଲଙ୍କୁ ଅତି ଜଘନ୍ୟ ଭାବେ ହତ୍ୟା କରାଯାଇଥିଲେ ମଧ୍ୟ ଦୋଷୀ ସିଦ୍ଧାର୍ଥ ବଶିଷ୍ଠ ଓ ମନୁ ଶର୍ମାଙ୍କୁ ଫାଶୀ ପରିବର୍ତ୍ତେ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଥିଲା ବୋଲି ବିନୟ କହିବା ସହ ତାଙ୍କ ଭଳି ଗରିବଙ୍କ କ୍ଷେତ୍ରରେ ଭେଦଭାବ ନୀତି ଗ୍ରହଣ କରାଯାଉଛି ବୋଲି ଦର୍ଶାଇ ଥିଲା ।

ଆବେଦନକାରୀର ସାମାଜିକ-ଆର୍ଥିକ ପରିସ୍ଥିତି, ଅସୁସ୍ଥ ବାପାମାଆଙ୍କ ସମେତ ଜେଲରେ ଭଲ ବ୍ୟବହାର ଭଳି ବିଷୟକୁ ଉପେକ୍ଷା କରାଯାଇଛି ବୋଲି ପିଟିସନରେ ଉଲ୍ଲେଖ କରିଥିଲା ବିନୟ ।

ନିର୍ଭୟା ମାମଲାରେ ଫାଶୀ ଦଣ୍ଡାଦେଶ ପାଇଥିବା ଚାରି ଦୋଷୀଙ୍କ ମଧ୍ୟରୁ ପବନ ଓ ଅକ୍ଷୟ କ୍ୟୁରେଟିଭ ପିଟିସନ ଦାଖଲ କରିନାହାନ୍ତି । କ୍ୟୁରେଟିଭ ପିଟିସନ ଖାରଜ ହେଲେ ଦୋଷୀଙ୍କ ନିକଟରେ ଆଉ କେବଳ ଗୋଟିଏ ରାସ୍ତା ହିଁ ରହିବ । ତାହା ହେଲା ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ ।

ରାଷ୍ଟ୍ରପତି ସମ୍ବିଧାନର ଅନୁଚ୍ଛେଦ ୭୨ ଅନୁସାରେ ରାଜକ୍ଷମା ଆବେଦନର ବିଚାର କରନ୍ତି । ରାଷ୍ଟ୍ରପତି ମାମଲା ବିଷୟରେ ଗୃହ ମନ୍ତ୍ରାଳୟରୁ ରିପୋର୍ଟ ମାଗନ୍ତି । ମନ୍ତ୍ରାଳୟ ନିଜ ସୁପାରିଶ ପଠାଇଲା ପରେ ରାଷ୍ଟ୍ରପତି ରାଜକ୍ଷମା ଆବେଦନ ଉପରେ ନିଷ୍ପତ୍ତି ନିଅନ୍ତି । ରାଷ୍ଟ୍ରପତି ରାଜକ୍ଷମା ଆବେଦନ ଖାରଜ କଲେ ହିଁ ଫାଶୀ ଦଣ୍ଡାଦେଶ କାର୍ଯ୍ୟକାରୀ ହୁଏ ।

ନିର୍ଭୟା ମାମଲାର ସବୁ ଚାରି ଦୋଷୀଙ୍କୁ ଫାଶୀ ଦେବା ପାଇଁ ତିହାର ଜେଲ୍‌ରେ ପ୍ରସ୍ତୁତି ଚାଲିଛି । ଏଥି ପାଇଁ ବିହାରର ବକ୍ସର ଜେଲ୍‌ରୁ ଫାଶୀ ଦଉଡ଼ି ଆସି ସାରିଛି । ଉତ୍ତର ପ୍ରଦେଶର ଜଣେ ଜହ୍ଲାଦ ବି ଚାରି ଜଣ ଦୋଷୀଙ୍କୁ ଫାଶୀ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି ।
First published: January 15, 2020, 12:17 PM IST