News 18 Odia Digital
ଆମେରିକା: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫ୍ଲୋରିଡା ସ୍ଥିତ ବାସଭବନରେ ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ( ଏଫବିଆଇ ) ପକ୍ଷରୁ ଚଢ଼ାଉ କରାଯାଇଛି। ଏନେଇ ଟ୍ରମ୍ପ ନିଜେ ସୂଚନା ଦେଇଛନ୍ତି। ସରକାରୀ କାଗଜପତ୍ର ସନ୍ଧାନ ପାଇଁ ଏପରି ରେଡ୍ ହୋଇଛି। ବର୍ତ୍ତମାନ ଘରକୁ ସିଜ୍ କରାଯାଇଛି। ଏସବୁ କାଗଜପତ୍ର ଟ୍ରମ୍ପ୍ ହ୍ୱାଇଟ୍ ହାଉସ ଛାଡ଼ିବା ପରେ ଫ୍ଲୋରିଡା ଅଣାଯାଇଥିଲା ବୋଲି ଅଭିଯୋଗ ହେଉଛି।
ଘଟଣାକୁ ନେଇ ଟ୍ରମ୍ପ୍ ଆହୁରି କହିଛନ୍ତି ଯେ ଏହା ଦେଶ ପାଇଁ କଳା ଦିବସ। ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ସହ ଏପରି କେବେ ହୋଇନଥିଲା । ତଦନ୍ତକାରୀ ସଂସ୍ଥା ସହ ସହଯୋଗ ସତ୍ତ୍ୱେ ଏପରି କରାଯାଉଛି। ଏହା ସରକାରୀ କଳର ଅପବ୍ୟବହାର।
ସେପଟେ ଆମେରିକା ଗଣମାଧ୍ୟମର ସୂଚନା ଅନୁସାରେ, ସୋମବାର ସକାଳେ ଏହି ଚଢ଼ାଉ ଆରମ୍ଭ ହୋଇଥିଲା। ଅନ୍ୟପକ୍ଷେ, ଏହି ଘଟଣାରେ ଜଷ୍ଟିସ୍ ଡିପାର୍ଟମେଣ୍ଟ ଓ ହ୍ୱାଇଟ୍ ହାଉସ୍ ପକ୍ଷରୁ କୌଣସି ବୟାନ ଜାରି କରାଯାଇ ନାହିଁ। ଜଷ୍ଟିସ୍ ଡିପାର୍ଟମେଣ୍ଟ ଟ୍ରମ୍ପଙ୍କ ବିରୋଧରେ ୨ଟି ମାମଲାର ଯାଞ୍ଚ କରୁଛି।
ପ୍ରଥମ ମାମଲା ହେଲା- ୨୦୨୦ରେ ରାଷ୍ଟ୍ରପତି ନିର୍ବାଚନ ଫଳାଫଳରେ ଗଡ଼ବଡ଼ କରିବା ଓ ଦ୍ୱିତୀୟ ମାମଲା ହେଲା- କାଗଜପତ୍ର ସମ୍ଭାଳିବା ସମ୍ପର୍କିତ ଘଟଣା। ଏହି ମାମଲାରେ ଏପ୍ରିଲ ଓ ମେ’ରେ ତଦନ୍ତକାରୀ ସଂସ୍ଥା ଫ୍ଲୋରିଡାରେ ଟ୍ରମ୍ପଙ୍କ ନିକଟ ସମ୍ପର୍କୀୟଙ୍କୁ ପଚରାଉଚରା କରିଥିଲା।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।