News 18 Odia Digital
ନୂଆଦିଲ୍ଲୀ; ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ରାଲିରେ ଗୁଳିକାଣ୍ଡ ଘଟିଛି । କୁହାଯାଉଛି ଯେ ଇମ୍ରାନଙ୍କ ଗୋଡରେ ଗୁଳି ବାଜିଛି। ତାଙ୍କୁ ଲାହୋରକୁ ନିଆଯାଇଛି । ବର୍ତ୍ତମାନ ଇମ୍ରାନଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି । ପୋଲିସ କହିଛି ଯେ ଯେତେବେଳେ ଇମ୍ରାନ ଖାନ ୱାଜିରାବାଦରେ ରାଲି କରୁଥିଲେ ସେତେବେଳେ ଏହି ଗୁଳିକାଣ୍ଡ ହୋଇଥିଲା । ଜଣେ ଆକ୍ରମଣକାରୀଙ୍କୁ ମଧ୍ୟ ଗିରଫ କରାଯାଇଛି ।
ଆକ୍ରମଣ ପରେ ଇମ୍ରାନ ଖାନଙ୍କ ପ୍ରଥମ ପ୍ରତିକ୍ରିୟା ମଧ୍ୟ ଆସିଛି । ଇମ୍ରାନ କହିଛନ୍ତି ଯେ ଆଲ୍ଲା ତାଙ୍କୁ ଦ୍ୱିତୀୟ ଜୀବନ ଦେଇଛନ୍ତି । ଇନଶାଲ୍ଲା ମୁଁ ପୁଣି ଫେରିବି, ମୁଁ ଯୁଦ୍ଧ ଜାରି ରଖିବି ।
ଇମ୍ରାନ ଖାନଙ୍କ ପୂର୍ବରୁ ୨୭ ଡିସେମ୍ବର ୨୦୦୭ ରେ ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋଙ୍କ ଉପରେ ମଧ୍ୟ ସମାନ ଆକ୍ରମଣ ହୋଇଥିଲା ଯେଉଁଥିରେ ତାଙ୍କୁ ହତ୍ୟା କରାଯାଇଥିଲା । ବେନାଜିର ଭୁଟ୍ଟୋ ଦୁଇଥର ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଥିଲେ, କିନ୍ତୁ ତାଙ୍କ କାର୍ଯ୍ୟକାଳ କେବେ ବି ଶେଷ କରିପାରି ନଥିଲେ । ଭୁଟ୍ଟୋ ରାୱଲପିଣ୍ଡିରୁ ଏକ ରାଲିରୁ ଫେରୁଥିବା ବେଳେ ଆକ୍ରମଣକାରୀ ତାଙ୍କ ନିକଟକୁ ଆସି ତାଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏହା ପରେ ଆକ୍ରମଣକାରୀ ନିଜକୁ ବୋମାରେ ଉଡେଇ ଦେଇଥିଲେ ।
ଭୁଟ୍ଟୋଙ୍କ ସହିତ କ’ଣ ହୋଇଥିଲା?୨୭ ଡିସେମ୍ବର ୨୦୦୭ରେ, ବେନଜିର ଭୁଟ୍ଟୋ ରାୱଲପିଣ୍ଡିର ଲିଆକୁଟ ବାଗରେ ଏକ ନିର୍ବାଚନ ରାଲିରେ ଭାଷଣ ଦେଇ ଫେରୁଥିଲେ । ତା’ପରେ ୧୫ ବର୍ଷିୟ ବିଲାଲ ତାଙ୍କ କାର ନିକଟକୁ ଆସିଥିଲା । ପ୍ରଥମେ ବିଲାଲ ଭୁଟ୍ଟୋଙ୍କୁ ଗୁଳି କରି ତା’ପରେ ନିଜକୁ ଉଡ଼ାଇ ଦେଇଥିଲା । ସେଦିନ ବେନଜିର ଭୁଟ୍ଟୋଙ୍କ ରାଲି ରାୱଲପିଣ୍ଡି ଛାଡି ଇସଲାମାବାଦ ଅଭିମୁଖେ ଯାଉଥିଲା । ରାଲି ଯାଉଥିବା ବେଳେ ବହୁ ସଂଖ୍ୟକ ସମର୍ଥକ ଲିଆକୁଟ ବାଗ ଗେଟରେ ନିକଟରେ ପହଞ୍ଚି ସ୍ଲୋଗାନ ଦେବା ଆରମ୍ଭ କରିଥିଲେ ।
ସମର୍ଥକଙ୍କ ଉତ୍ତର ଦେବା ପାଇଁ ବେନଜିର ଭୁଟ୍ଟୋ କାରରୁ ଓହ୍ଲାଇବା ମାତ୍ରେ ତିନୋଟି ଗୁଳି ଫାୟରିଂ ହୋଇଥିଲା ଓ ପରେ ସେଠାରେ ବଡ଼ ବିସ୍ଫୋରଣ ହୋଇଥିଲା । ଯେତେବେଳେ ବିସ୍ଫୋରଣର ଧୂଆଁ କମିଲା, ଦେଖିବାକୁ ମିଳିଥିଲା ଚାରିଆଡେ ରକ୍ତ ଭିଜା ମୃତ ଦେହର ପୋଷାକ ପଡ଼ିଛି । ବେନଜିର ଭୁଟ୍ଟୋଙ୍କର ମୃତ୍ୟୁ ହୋଇ ଯାଇଥିଲା। ତାଙ୍କ ବ୍ୟତୀତ ଏହି ଆକ୍ରମଣରେ ଆଉ ୨୫ ଜଣଙ୍କର ମୃତ୍ୟୁ ଘଟିଥିଲା ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।