୭ ମାସର ନଜରବନ୍ଦୀ ପରେ ଜାମ୍ମୁ କଶ୍ମୀରର ପୂର୍ବ ମୁଖ୍ୟ ମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ମୁକ୍ତ କରାଗଲା

ଫାରୁକ ଅବଦୁଲ୍ଲାଙ୍କୁ ଗତ ବର୍ଷ ଅଗଷ୍ଟ ମାସରେ ଗିରଫ କରାଯାଇଥିଲା । ତାଙ୍କ ପୁଅ ତଥା ପୂର୍ବତନ ମୁଖ୍ୟ ମନ୍ତ୍ରୀ ଓମାର ଅବଦୁଲ୍ଲା ଓ ପିଡିପି ମୁଖ୍ୟ ତଥା ଅନ୍ୟତମ ପୂର୍ବତନ ମୁଖ୍ୟ ମନ୍ତ୍ରୀ ମେହବୁବା ମୁଫ୍ତି ଏବେ ବି ନଜରବନ୍ଦୀରେ ଅଛନ୍ତି ।

୭ ମାସର ନଜରବନ୍ଦୀ ପରେ ଜାମ୍ମୁ କଶ୍ମୀରର ପୂର୍ବ ମୁଖ୍ୟ ମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ମୁକ୍ତ କରାଗଲା
ମୁକ୍ତ ହେବା ପରେ ସ୍ତ୍ରୀ ମୋଲି ଓ ଭଉଣୀ ସଫିଆଙ୍କ ସହ ଫାରୁକ୍ ଅବଦୁଲ୍ଲା
  • News18 Odia
  • Last Updated: March 14, 2020, 12:37 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ/ଶ୍ରୀନଗର:  ଧାରା ୩୭୦ ଉଚ୍ଛେଦ ହେବା ପର ଠାରୁ ଗତ ସାତ ମାସ ଧରି ନଜରବନ୍ଦୀରେ ଥିବା ଜାମ୍ମୁ ଓ କାଶ୍ମୀରର ୮୨ ବର୍ଷ ବୟସ୍କ ପୂର୍ବତନ ମୁଖ୍ୟ ମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ମୁକ୍ତ କରାଯାଇଛି । ନ୍ୟାସନାଲ କନଫେରେନସ୍‌ ଦଳର ମୁଖ୍ୟ ଓ ବର୍ତ୍ତମାନ ଶ୍ରୀନଗରରୁ ଲୋକସଭା ସାଂସଦ ଥିବା ଅବଦୁଲ୍ଲାଙ୍କୁ ପି.ଏସ୍‌.ଏ. ଆକ୍ଟରେ ଗତ ବର୍ଷ ଅଗଷ୍ଟ ମାସରେ ଗିରଫ କରାଯାଇଥିଲା ।

ଫାରୁକ ଅବଦୁଲ୍ଲାଙ୍କ ସମେତ ତାଙ୍କ ପୁଅ ତଥା ପୂର୍ବତନ ମୁଖ୍ୟ ମନ୍ତ୍ରୀ ଓମାର ଅବଦୁଲ୍ଲା ଓ ପିଡିପି ମୁଖ୍ୟ ତଥା ଅନ୍ୟତମ ପୂର୍ବତନ ମୁଖ୍ୟ ମନ୍ତ୍ରୀ ମେହବୁବା ମୁଫ୍ତିଙ୍କୁ ନଜରବନ୍ଦୀରେ ରଖାଯାଇଥିଲା । ଗତ ବର୍ଷ ଅଗଷ୍ଟ ୧୫ ତାରିଖରେ ଫାରୁକଙ୍କୁ ସାର୍ବଜନିକ ସୁରକ୍ଷା ଆଇନ (ପିଏସଏ) ଆଧାରରେ ଗିରଫ କରାଯାଇଥିଲା ଓ ଡିସେମ୍ବରରେ ଏହି ଅବଧିକୁ ଆହୁରି ତିନି ମାସ ବଢ଼ାଯାଇଥିଲା । ଇତି ମଧ୍ୟରେ ଲୋକସଭାର ଦୁଇ ଦୁଇଟି ଅଧିବେଶନରେ ବସିବାର ସୁଯୋଗ ହରାଇଛନ୍ତି ଏହି ବରିଷ୍ଠ ସାଂସଦ । ଶେଷରେ ତାଙ୍କୁ ଛଡ଼ାଯିବା ନିଷ୍ପତ୍ତି ବିଷୟରେ ଜାମ୍ମୁ କାଶ୍ମୀର ସରକାରଙ୍କ ପ୍ରମୁଖ ସଚିବଙ୍କ ଦସ୍ତଖତ ଥିବା ଏକ ଚିଠିରେ ଉଲ୍ଲେଖ କରାଯାଇଛି ।

“ମୁଁ ରାଜ୍ୟ ତଥା ଦେଶର ଲୋକ ଓ ଯେଉଁମାନେ ଆମ ସ୍ୱାଧୀନତା ପାଇଁ ସ୍ୱର ଉଠାଇଛନ୍ତି ସେମାନଙ୍କ ପାଖରେ କୃତଜ୍ଞ। ଶ୍ରୀମତୀ ମୁଫତି ଓ ଓମାରଙ୍କ ପରି ଅନ୍ୟ ସମସ୍ତ ନେତା ମୁକ୍ତ ନ ହେବା ପର୍ଯ୍ୟନ୍ତ ଏହି ସ୍ୱାଧୀନତା ଅସମ୍ପୂର୍ଣ୍ଣ । ଯେଉଁମାନେ ବିଧାୟକ ହଷ୍ଟେଲରେ ଅଛନ୍ତି [ପୂର୍ବ ଆଇ.ଏ.ଏସ୍‌. ଅଧିକାରୀ ଶାହା ଫୈସଲଙ୍କୁ ଦର୍ଶାଉଛନ୍ତି] ଓ ବାହାର ଜେଲରେ ଅଛନ୍ତି ସେମାନେ ବି ଅବିଳମ୍ବେ ମୁକ୍ତ ହେବା ଉଚ଼ିତ । ମୁଁ ଆଶା କରୁଛି ଭାରତ ସରକାର ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଓ ସମସ୍ତଙ୍କୁ ମୁକ୍ତ ନାଗରିକ ଭାବରେ ଦେଖିବେ,’’ ଶୁକ୍ରବାର ମୁକ୍ତ ହେବା ପରେ କହିଛନ୍ତି ଫାରୁକ୍‌ ।

ଜାମ୍ମୁ ଓ କାଶ୍ମୀର ସାର୍ବଜନିକ ସୁରକ୍ଷା ଅଧିନିୟମ, ୧୯୭୮ର ଧାରା ୧୯(୧) ଆଧାରରେ ସରକାର ଶ୍ରୀନଗର ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦ୍ବାରା ଜାରି ହୋଇଥିବା ଏହି ନଜରବନ୍ଦୀ ଆଦେଶକୁ ରଦ୍ଦ କରିଛନ୍ତି । ଏହି ବରିଷ୍ଠ ନେତାଙ୍କୁ ଦୀର୍ଘ ଦିନ ଧରି ଅଟକ ରଖିବାକୁ ପ୍ରସଙ୍ଗ କରି ସଂସଦର ଉଭୟ ଗୃହରେ ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କୁ ପ୍ରବଳ ସମାଲୋଚନା କରିଆସିଛନ୍ତି ବିରୋଧୀ ଦଳମାନେ ।

ଫାରୁକଙ୍କ ନଜରବନ୍ଦୀ ହଟିବା ନେଇ ଘୋଷଣା ହେବା ପରେ ଅନେକ ନେତା ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର୍ ଟ୍ବିଟରରେ ଲେଖିଛନ୍ତି: ‘‘ବିଳମ୍ବରେ ହେଉ ପଛେ ଡଃ ଫାରୁକ ଅବଦୁଲ୍ଲାଙ୍କୁ ଛାଡ଼ିବା ନିଷ୍ପତ୍ତିକୁ ମୁଁ ସ୍ୱାଗତ କରୁଛି । ମୁଁ ଆଶାବାଦୀ ଯେ ସେ ଖୁବ୍‌ ଶୀଘ୍ର ଲୋକସଭାର ଆଗ ଧାଡ଼ିରେ ଥିବା ନିଜ ଆସନକୁ ଫେରିବେ, ଯେଉଁଠି ସେ ନିଜ ରାଜ୍ୟ ଓ ଦେଶ ସାମ୍ନା କରୁଥିବା ସ୍ଥିତି ପ୍ରସଙ୍ଗରେ ତାଙ୍କର ଚିରାଚରିତ ଶୈଳୀରେ ବକ୍ତବ୍ୟ ରଖିପାରିବେ । ତାଙ୍କର ଗିରଫଦାରୀ ଅପମାନଜନକ ଥିଲା ।’’
First published: March 14, 2020, 12:37 PM IST
corona virus btn
corona virus btn
Loading