ସୁପ୍ରିମ କୋର୍ଟ ପଚାରିଲେ - କେତେ ପିଢ଼ି ପର୍ଯ୍ୟନ୍ତ ଜାରି ରହିବ ସଂରକ୍ଷଣ?
ସୁପ୍ରିମ କୋର୍ଟ (Supreme Court) ଶୁକ୍ରବାର ଦିନ ବମ୍ବେ ହାଇ କୋର୍ଟଙ୍କ ଏକ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଶୁଣାଣି କରିଛନ୍ତି । ଯେଉଁଥିରେ ରାଜ୍ୟର ଶିକ୍ଷାନୁଷ୍ଠାନରେ ଆଡମିଶନ ତଥା ସରକାରୀ ଚାକିରିରେ ମରାଠା ସମ୍ପ୍ରଦାୟର ସଂରକ୍ଷଣକୁ ବଜାୟ ରଖା ଯାଇଥିଲା ।

ସୁପ୍ରିମ କୋର୍ଟ
- News18 Odia
- Last Updated: March 20, 2021, 11:03 AM IST
ନୂଆ ଦିଲ୍ଲୀ: ସୁପ୍ରିମ କୋର୍ଟ (Supreme Court) ମରାଠା କୋଟା (Maratha Reservation) ମାମଲାର ଶୁଣାଣି ବେଳେ ଶୁକ୍ରବାର ଏହା ଜାଣିବାକୁ ଚାହିଁଛନ୍ତି ଯେ କେତେ ପିଢ଼ି ପର୍ଯ୍ୟନ୍ତ ସଂରକ୍ଷଣ ଜାରି ରହିବ । ୫୦ ପ୍ରତିଶତ ସୀମା ହଟାଯିବା ଘଟଣାରେ ସୃଷ୍ଟି ହୋଇଥିବା ଅସମାନତାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଉଦ୍ବେଗ ପ୍ରକାଶ କରିଛନ୍ତି । ମହାରାଷ୍ଟ୍ର ସରକାରରେ ହାଜର ହୋଇଥିବା ବରିଷ୍ଠ ଆଡଭୋକେଟ ମୁକୁଲ ରୋହତଗୀ ଜଷ୍ଟିସ ଅଶୋକ ଭୂଷଣଙ୍କ ନେତୃତ୍ୱରେ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚକୁ କହିଛନ୍ତି ଯେ କୋଟା ସୀମା ନିର୍ଦ୍ଧାରଣ ପାଇଁ ମଣ୍ଡଳ ମାମଲାରେ (ସର୍ବୋଚ୍ଚ ନ୍ୟାୟାଳୟର) ନିଷ୍ପତ୍ତିର ପୁନର୍ବିଚାର କରାଯିବା ଆବଶ୍ୟକ ।
ସେତେବେଳେ ସମାନତାର ଧାରଣା କ’ଣ ହେବ? - କୋର୍ଟ
ସେ କହିଛନ୍ତି ଯେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବିଭାଗର (ଇଭିଏସ୍) ଲୋକଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ମଧ୍ୟ ୫୦ ପ୍ରତିଶତ ସୀମା ଉଲ୍ଲଂଘନ କରୁଛି । ଏଥିପାଇଁ ବେଞ୍ଚ ମନ୍ତବ୍ୟ ଦେଇଛନ୍ତି, 'ଯଦି ୫୦ ପ୍ରତିଶତ ସୀମା ନାହିଁ କିମ୍ବା କୌଣସି ସୀମା ନାହିଁ, ଯେପରି ଆପଣ ପରାମର୍ଶ ଦେଇଛନ୍ତି, ତେବେ ସମାନତାର ଧାରଣା କ’ଣ ହେବ? ପରିଶେଷରେ, ଆମକୁ ଏହାର ସାମ୍ନା କରିବାକୁ ପଡିବ । ଏହା ଉପରେ ଆପଣ କ’ଣ କହିବେ ... ଏଥିରୁ ଉତ୍ପନ୍ନ ଅସମାନତା ବିଷୟରେ ଆପଣ କ’ଣ କହିବାକୁ ଚାହିଁବେ? ଆପଣ କେତେ ପିଢ଼ି ଏହାକୁ ଜାରି ରଖିବେ । '
'ଯେଉଁମାନେ ପଛୁଆବର୍ଗରୁ ବାହାରକୁ ଯାଇଛନ୍ତି, ସେମାନଙ୍କୁ ସଂରକ୍ଷଣର ଦୃଷ୍ଟିକୋଣରୁ ବାଦ ଦିଆଯିବା ଉଚିତ୍।'
ଅଦାଲତ ଏହା ମଧ୍ୟ କହିଛନ୍ତି ଯେ ମଣ୍ଡଳ ସହ ଜଡିତ ନିଷ୍ପତ୍ତିର ସମୀକ୍ଷା କରିବା ମଧ୍ୟ ଉଦ୍ଦେଶ୍ୟ ଯେ ଯେଉଁମାନେ ପଛୁଆବର୍ଗରୁ ବାହାରି ସାରିଛନ୍ତି ସେମାନଙ୍କୁ ସଂରକ୍ଷଣ ଦୃଷ୍ଟିକୋଣରୁ ବାଦ ଦିଆଯିବା ଆବଶ୍ୟକ । ଏହା ଉପରେ ରୋହତଗୀ ଯୁକ୍ତି ଦର୍ଶାଇଥିଲେ, 'ହଁ, ଆମେ ଆଗକୁ ଯାଇଛୁ, କିନ୍ତୁ ଏହା ନୁହେଁ ଯେ ପଛୁଆ ଶ୍ରେଣୀର ସଂଖ୍ୟା ୫୦ ପ୍ରତିଶତରୁ ୨୦ ପ୍ରତିଶତକୁ ହ୍ରାସ ପାଇଛି । ଆମେ ଦେଶରେ ତଥାପି ଭୋକରେ ମରୁଛନ୍ତି… ମୁଁ କହିବାକୁ ଚେଷ୍ଟା କରୁନାହିଁ ଯେ ଇନ୍ଦିରା ସାୱନି ମାମଲାର ବିଚାର ସମ୍ପୂର୍ଣ୍ଣ ଭୁଲ ଥିଲା ଓ ଏହାକୁ ଡଷ୍ଟବିନରେ ପକାଯିବା ଉଚିତ । ମୁଁ ଏହି ପ୍ରସଙ୍ଗ ଉଠାଉଛି ଯେ ଏହା ୩୦ ବର୍ଷ ହୋଇସାରିଛି, ଆଇନ ବଦଳିଛି, ଜନସଂଖ୍ୟା ବୃଦ୍ଧି ପାଇଛି, ପଛୁଆ ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି ।
ସେ କହିଛନ୍ତି ଯେ ଏଭଳି ପରିସ୍ଥିତିରେ ଯେତେବେଳେ ଅନେକ ରାଜ୍ୟରେ ସଂରକ୍ଷଣ ସୀମା ୫୦ ପ୍ରତିଶତରୁ ଅଧିକ ହୋଇଥାଏ । ସେତେବେଳେ ଏହା କୁହାଯାଇପାରିବ ନାହିଁ ଯେ ଏହା ଏକ 'ଜ୍ୱଳନ୍ତ ପ୍ରସଙ୍ଗ' ନୁହେଁ ଓ ୩୦ ବର୍ଷ ପରେ ଏହାର ପୁନର୍ବିଚାର କରିବାର ଆବଶ୍ୟକତା ନାହିଁ । ଏହି ମାମଲାରେ ବିତର୍କ ଅସମ୍ପୂର୍ଣ୍ଣ ଥିଲା ଓ ସୋମବାର ମଧ୍ୟ ଯୁକ୍ତି ଉପସ୍ଥାପନ କରାଯିବ । ଉଲ୍ଲେଖନୀୟ ବିଷୟ ହେଉଛି ବମ୍ବେ ହାଇ କୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ଅଦାଲତ ଶୁଣାଣି କରୁଛନ୍ତି । ଯାହା ରାଜ୍ୟ ଶିକ୍ଷା ପ୍ରତିଷ୍ଠାନରେ ଓ ସରକାରୀ ଚାକିରିରେ ମରାଠା ସମ୍ପ୍ରଦାୟ ପାଇଁ ସଂରକ୍ଷଣକୁ ସମର୍ଥନ କରିଛି ।