News 18 Odia Digital
ବେଙ୍ଗାଲୁରୁ: ଫୋନ୍, ଲାପଟପ୍ ଓ ହାତଘଣ୍ଟା ସମେତ ୬୧ ଟି ଗ୍ୟାଜେଟ୍ ସହିତ ଫେରାର ଥିବା ଜଣେ ଡେଲିଭରି ବୟ ଉପରେ ନଜର ରଖିଛି ବେଙ୍ଗାଲୁରୁ ପୋଲିସ । ଯାହାକି ଫ୍ଲିପକାର୍ଟ ତରଫରୁ ଗ୍ରାହକଙ୍କ ଠିକଣାରେ ପହଞ୍ଚାଇବାକୁ ଥିଲା । ସେ ନିକଟରେ ଏକ ଲଜିଷ୍ଟିକ୍ କମ୍ପାନୀରେ ଯୋଗ ଦେଇଥିଲେ ଯାହା ଏକ ଇ-କମର୍ସ ଫାର୍ମ ପାଇଁ ଡେଲିଭରି ବୟ ଯୋଗାଇଥାଏ । ଡେଲିଭରି ଏକ୍ଜୁକେଟିଭ ଯେଉଁ ପ୍ରଡକ୍ଟ ସହିତ ଫେରାର ହୋଇଛି, ସେଗୁଡ଼ିକର ମୂଲ୍ୟ ୪ ଲକ୍ଷ ଟଙ୍କା । ଏଥିରେ ଆଇଫୋନ୍, ଲାପଟପ୍ ଓ ଆଣ୍ଡ୍ରଏଡ୍ ଫୋନ୍ ରହିଛି ।
ଏହି ଫାର୍ମରେ ଯୋଗଦେବାବେଳେ ସନ୍ଦିଗ୍ଧ ଶେଖ ବାବାଜନ ପୂର୍ବ ବେଙ୍ଗାଲୁରୁର ବାସିନ୍ଦା ବୋଲି ଦାବି କରିଥିଲେ । ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ସହିତ ଜଡିତ ଲଜିଷ୍ଟିକ୍ କମ୍ପାନୀର ଅପରେସନ ମ୍ୟାନେଜର ଅଭିଲାଶ ଡିଜେ ହଲି ପୋଲିସ ଷ୍ଟେସନରେ ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି ।
ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ ଅଭିଲାଶ ପୋଲିସକୁ କହିଛନ୍ତି ଯେ ତାଙ୍କ ଫାର୍ମ ଅନଲାଇନରେ ଡେଲିଭରି ବୟ ପଦ ପାଇଁ ବିଜ୍ଞାପନ ଦେଇଥିଲା, ଯାହା ଦେଖିବା ପରେ ୨୪ ସେପ୍ଟେମ୍ବରରେ ବାବାଜନ ନେଗେଟଙ୍କ ସହ ଯୋଗାଯୋଗ କରିଥିଲେ । କମ୍ପାନୀର ନିର୍ଦ୍ଦେଶ ଅନୁଯାୟୀ ସେ ତାଙ୍କର ଆଧାର କାର୍ଡ, ପ୍ୟାନ କାର୍ଡ, ଫଟୋ ବ୍ୟତୀତ ବାତିଲ ହୋଇଥିବା ଚେକ୍ ର କପି ଦେଇଥିଲେ । ତାଙ୍କ ଡକ୍ୟୁମେଣ୍ଟ ଯାଞ୍ଚ କରିବା ପରେ କମ୍ପାନୀ ତାଙ୍କୁ ନିଯୁକ୍ତି ଦେଇଥିଲା । ବାବାଜନ ୨୫ ସେପ୍ଟେମ୍ବରରୁ କାମ କରିବାକୁ ଆସିବା ଆରମ୍ଭ କଲେ । ସେ କାନକ ନଗରର ଫ୍ଲିପକାର୍ଟର ଲଜିଷ୍ଟିକ୍ ୟୁନିଟରେ କାମ କରୁଥିଲା । ସେହି ଦିନ ସେ ୬ ଟି ଅର୍ଡର ପ୍ରଦାନ କରିଥିଲେ ଓ ଗ୍ରାହକଙ୍କଠାରୁ ପ୍ରାପ୍ତ ଟଙ୍କା କମ୍ପାନୀକୁ ପ୍ରଦାନ କରିଥିଲେ ।
ପରଦିନ ସକାଳେ, ଫ୍ଲିପକାର୍ଟ ଲଜିଷ୍ଟିକ୍ ୟୁନିଟରୁ ବିତରଣ ପାଇଁ ବାବଜଲଙ୍କୁ ପ୍ରାୟ ୬୧ ଟି ପ୍ରଡକ୍ଟ ଦିଆଯାଇଥିଲା । କିନ୍ତୁ ସେଗୁଡ଼ିକ ମଧ୍ୟରୁ କୌଣସି ଜିନିଷ ବିତରଣ କରାଯାଇନାହିଁ । କମ୍ପାନୀ ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ତାଙ୍କ ଫୋନ୍ ବନ୍ଦ ଆସୁଥିଲା । ବାବାଜନଙ୍କୁ ତାଙ୍କ ଅନୁରୋଧ କ୍ରମେ ଗଙ୍ଗନଗର ଓ ଏହାର ଆଖପାଖ ଅଞ୍ଚଳରେ ସାମଗ୍ରୀ ବିତରଣ କରିବାର ଦାୟିତ୍ଵ ଦିଆଯାଇଥିଲା । ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଆମେ ଆଇପିସି ଧାରା ୪୦୬ (ଟ୍ରଷ୍ଟର ଅପରାଧିକ ଉଲ୍ଲଂଘନ) ଓ ୪୨୦ (ପ୍ରତାରଣା) ଅନୁଯାୟୀ ଏକ ମାମଲା ରୁଜୁ କରିଛୁ ଏବଂ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା କରୁଛୁ । ଚାକିରି ପାଇଁ ଆବେଦନ ବେଳେ ବାବଜାନ ନକଲି ଦଲିଲ ପ୍ରସ୍ତୁତ କରିଥିବା ପୋଲିସ ସନ୍ଦେହ କରୁଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।