News18 Odia Digital
Lunar Eclipse: ଆସନ୍ତା ୫ ତାରିଖରେ ବୁଦ୍ଧ ପୂର୍ଣ୍ଣିମାରେ ଚଳିତ ବର୍ଷର ପ୍ରଥମ ‘ଉପଛାୟା’ ଚନ୍ଦ୍ରଗ୍ରହଣ । ଭାରତୀୟ ସମୟ ରାତି ୮ ଟା ୪୪ରେ ସଂଗଠିତ ହେବ ଚନ୍ଦ୍ରଗ୍ରହଣ । ରାତି ୧୦ଟା ୫୨ରେ ଉପଛାୟାରେ ଚନ୍ଦ୍ରର ପୂର୍ଣ୍ଣ ପ୍ରବେଶ ହେବ । ରାତି ୧ଟା ୧ରେ ଉପଛାୟାରୁ ବାହାରିଯିବ ଚନ୍ଦ୍ର । ଏସିଆ, ଅଷ୍ଟ୍ରେଲିଆ, ଆଫ୍ରିକାରେ ଏହି ଉପଛାୟା ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ । ଓଡ଼ିଶାରେ ଚନ୍ଦ୍ରଗ୍ରହଣ ଆରମ୍ଭରୁ ଶେଷ ୟାଏ ସଂଗଠିତ ହେବ । କିନ୍ତୁ ଖାଲି ଆଖିରେ ଦୃଶ୍ୟମାନ ହେବ ନାହିଁ ବୋଲି ସୂଚନା ଦେଇଛି ଭୁବନେଶ୍ବର ପଠାଣି ସାମନ୍ତ ପ୍ଲାନେଟାରିୟମ । ଚଳିତ ବର୍ଷ ଦୁଇଟି ଚନ୍ଦ୍ରଗ୍ରହଣ ହେବ। ଗୋଟିଏ ମେ’ ୫ ଏବଂ ଦ୍ୱିତୀୟ ତଥା ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୨୮ ଅକ୍ଟୋବରରେ ହେବ।
ଚନ୍ଦ୍ରଗ୍ରହଣ କେଉଁ ରାଶି ପାଇଁ ଶୁଭ କେଉଁ ରାଶି ପାଇଁ ଅଶୁଭ ? ଏହି ଚନ୍ଦ୍ରଗ୍ରହଣ ତୁଳା ରାଶି ଏବଂ ସ୍ବାତୀ ନକ୍ଷତ୍ରରେ ଘଟୁଛି। ଜ୍ୟୋତିର୍ବିଦଙ୍କ ଅନୁସାରେ ସୂର୍ଯ୍ୟ, ବୁଧ, ଗୁରୁ ଏବଂ ରାହୁଙ୍କ ଚତୁର୍ଗ୍ରହୀ ଯୋଗରେ ଚନ୍ଦ୍ରଗ୍ରହଣ ଘଟୁଛି। ସୂର୍ଯ୍ୟ ବୃଷ ରାଶିରେ ପ୍ରବେଶ କରିବା ପରେ ଏହି ଯୋଗ ୧୫ ମେ’ରେ ଶେଷ ହେବ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ମେଷ ରାଶି ପାଇଁ ଶୁଭ, ଚାକିରିରେ ନୂତନ ସୁଯୋଗ ଆଣିବ ଲକ୍ଷ୍ୟ ହାସଲ ହେବା ସହିତ ବ୍ୟବସାୟରେ ଲାଭବାନ ହେବାର ସମ୍ଭାବନା ରହିଛି । ସେହିଭଳି ସିଂହ ରାଶି ଜାତକଙ୍କ ପାଇଁ ଏଇ ଚନ୍ଦ୍ରଗ୍ରହଣ ପରିବାରରେ ସୁଖ ଏବଂ ସମୃଦ୍ଧି ଆଣିବ। ଧନୁରାଶି ଜାତକଙ୍କ କ୍ୟାରିୟରରେ ଅନେକ ଭଲ ସୁଯୋଗ ମିଳିବାର ସମ୍ଭାବନା ରହିଛି। ଏକରୁ ଅଧିକ ଆୟର ଉତ୍ସ ମିଳିପାରେ । ଏହା ବ୍ୟତୀତ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ମୀନ ରାଶି ଜାତକଙ୍କ ପାଇଁ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଅର୍ଥ ସମ୍ପର୍କିତ ସମସ୍ୟାର ଅନ୍ତ ହେବ । କ୍ୟାରିୟର ଏକ ନୂତନ ଦିଗ ମିଳିବ। ପ୍ରିୟ ଲୋକ ଏବଂ ପୁରୁଣା ବନ୍ଧୁମାନଙ୍କୁ ଭେଟିବାର ସୁଯୋଗ ରହିବ। ସ୍ବାତୀ ନକ୍ଷତ୍ରରେ ଜନ୍ମ ଜାତକମାନେ ସତର୍କ ରହିବା ଆବଶ୍ୟକ। ଏହା ବ୍ୟତୀତ ତୁଳା ରାଶିରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଘଟୁଥିବାରୁ ଏହି ରାଶିର ଲୋକଙ୍କୁ ବି ସାବଧାନ ରହିବାକୁ ପଡ଼ିବ ।
ଚନ୍ଦ୍ରଗ୍ରହଣ ବେଳେ ଚନ୍ଦ୍ର ଓ ସୂର୍ଯ୍ୟ ମଝିରେ ପୃଥିବୀ ରହିଥାଏ । ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡ଼ିଥାଏ । ଚନ୍ଦ୍ରଗ୍ରହଣ ୩ ପ୍ରକାର ହୋଇଥାଏ । ଗୋଟଏ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ, ଅନ୍ୟଟି ଆଂଶିକ ଚନ୍ଦ୍ରଗ୍ରହଣ ଏବଂ ଉପଛାୟା ଚନ୍ଦ୍ରଗ୍ରହଣ । ତେବେ ଆସନ୍ତା ୫ ତାରିଖରେ ଚଳିତ ବର୍ଷର ପ୍ରଥମ ଉପଛାୟା ଚନ୍ଦ୍ରଗ୍ରହଣ ପଡୁଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।