ଭାରତର ବୃଦ୍ଧି ପାଉଥିବା ଫିନଟେକ୍ କ୍ଷେତ୍ର କ’ଣ, ଏହାର ଆତ୍ମନିର୍ଭରତାର ଚାବିକାଠି ହେବ କି?

ଏଥିରେ କୁହାଯାଇଛି ଯେ ଭାରତ କିପରି ନୂଆ ନୂଆ ଉଦ୍ଭାବନ ଏବଂ ସମସ୍ତଙ୍କ ପାଇଁ ସୁଲଭ କରିବାର ପ୍ରକ୍ରିୟା ମାଧ୍ୟମରେ ଡିଜିଟାଲ୍ ପେମେଣ୍ଟ ଓ ଇ-କମର୍ସ ଦୁନିଆକୁ ରୂପ ଦେଉଛି ।

ଭାରତର ବୃଦ୍ଧି ପାଉଥିବା ଫିନଟେକ୍ କ୍ଷେତ୍ର ବିଷୟରେ ଜାଣନ୍ତୁ

ଭାରତର ବୃଦ୍ଧି ପାଉଥିବା ଫିନଟେକ୍ କ୍ଷେତ୍ର ବିଷୟରେ ଜାଣନ୍ତୁ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଏଥିରେ କୌଣସି ସନ୍ଦେହ ନାହିଁ ଯେ ସାରା ବିଶ୍ୱରେ ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଭାରତ ସବୁଠାରୁ ଆଗରେ ରହିଛି। ନିକଟରେ ACIର ବିଶ୍ୱବ୍ୟାପୀ ରିପୋର୍ଟ ଅନୁଯାୟୀ, ଭାରତରେ ୨୦୨୧ରେ ସବୁଠାରୁ ଅଧିକ ରିୟଲ୍-ଟାଇମ୍ କାରବାର (୪,୮୬୦ କୋଟି) ରେକର୍ଡ କରାଯାଇଥିଲା। ଯାହା ଚୀନର ତୁଳନାରେ ପ୍ରାୟ ତିନି ଗୁଣ (୧୮୦୦ କୋଟି) ଏବଂ ମିଳିତ ଭାବେ କାନାଡ଼ା, ଆମେରିକା, ୟୁକେ, ଫ୍ରାନ୍ସ ଓ ଜର୍ମାନୀର ତୁଳନାରେ ପ୍ରାୟ ସାତ ଗୁଣ (୭୫୦ କୋଟି) ଥିଲା।

ୟୁନିଫାଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI), ଯାହା ବିଶ୍ୱର ସବୁଠାରୁ ବଡ଼ ରିୟଲ୍-ଟାଇମ୍ ପେମେଣ୍ଟ ପ୍ରଣାଳୀଗୁଡ଼ିକ ମଧ୍ୟରୁ ଗୋଟିଏ, ୨୦୨୩ ସୁଦ୍ଧା ଭଲ୍ୟୁମରେ ପ୍ରାୟ ୫୯୦୦ କୋଟିକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଯେତେବେଳେ ଭାରତୀୟ ଜାତୀୟ ପେମେଣ୍ଟ ପରିଷଦ (NPCI) UPI ପ୍ରଣାଳୀ ଆରମ୍ଭ କଲା, ସେତେବେଳେ ସେମାନଙ୍କ ଲକ୍ଷ୍ୟ ସରଳ ଥିଲା। ସେମାନେ ଏପରି ଏକ ଇଣ୍ଟରଫେସ୍ ତିଆରି କରିବାକୁ ଚାହୁଁଥିଲେ, ଯାହା ଇଣ୍ଟର୍-ବ୍ୟାଙ୍କ ପିୟର-ଟୁ-ପିୟର ଏବଂ ପର୍ସନ-ଟୁ-ମର୍ଚେଣ୍ଟ କାରବାରର ସୁବିଧା ଯୋଗାଇଥାଏ।

UPIର ସଫଳତା କାହାଣୀ

UPI କାହିଁକି ଏତେ ସଫଳ ହୋଇଛି? ମୁଖ୍ୟତଃ, ପେମେଣ୍ଟ କରିବାରେ ସହଜ, କାରବାରରେ ସୁରକ୍ଷା ଓ ସୁବିଧା ଯୋଗୁଁ ଗ୍ରାହକମାନେ ନଗଦ ପେମେଣ୍ଟ ଅପେକ୍ଷା UPI କାରବାରକୁ ପସନ୍ଦ କରନ୍ତି। ପେମେଣ୍ଟ ଗ୍ରହଣ କରୁଥିବା ଲୋକଙ୍କ ପାଇଁ, ଏହା ଅନ୍ୟାନ୍ୟ ସୁବିଧା ସହିତ ଚେକ୍ ଡିଫଲ୍ଟ, ନକଲି ନୋଟ୍, ସଠିକ୍ ଖୁଚୁରା ଫେରସ୍ତ କରିବା, ଅଧିକ ପରିମାଣର ନଗଦ ରଖିବା ଏବଂ ଏହାକୁ ବ୍ୟାଙ୍କରେ ଜମା କରିବାର ଆବଶ୍ୟକତା ସହ ଜଡ଼ିତ ସମସ୍ୟାଗୁଡ଼ିକୁ ସମାପ୍ତ କରିଥାଏ। UPI ଶାରୀରିକ ବା ଭୌତିକ କାରବାର ପ୍ରୋସେସକୁ ସମ୍ପୂର୍ଣ୍ଣ ରୂପେ ଦୂର କରି ଦେଇଛି, ଯାହାଦ୍ୱାରା ବ୍ୟାଙ୍କ ଶାଖା ଓ ATM ଯିବାର ଆବଶ୍ୟକତା ବହୁତ କମି ଯାଇଛି, ଏବଂ ଯାହାଫଳରେ ଶାଖାଗୁଡ଼ିକରେ ଭିଡ଼ ମଧ୍ୟ କମ୍ ଦେଖିବାକୁ ମିଳୁଛି ଓ ଶୀଘ୍ର ସେବା ମିଳିପାରୁଛି।

UPI ଇକୋସିଷ୍ଟମରେ Paytm, Google Pay, Phonepe ଓ BHIM ଭଳି ଅନେକଗୁଡ଼ିଏ ଆପ୍ ରହିଛି, ଯାହା ଡିଜିଟାଲ୍ କାରବାର ପାଇଁ ବ୍ୟବହୃତ ହୋଇଥାଏ । UPIକୁ ଆପଣାଇବା ପଛରେ ସବୁଠାରୁ ବଡ଼ କାରଣଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି, ବ୍ୟବସାୟୀମାନଙ୍କୁ ଓ ବ୍ୟାଙ୍କଗୁଡ଼ିକୁ ସେମାନଙ୍କ ନିଜର ପେମେଣ୍ଟ ଆପ୍ଲିକେସନ ତିଆରି କରିବାରେ ଅର୍ଥ ବିନିଯୋଗ କରିବାକୁ ପଡ଼େ ନାହିଁ, ବରଂ UPI ପ୍ରଣାଳୀକୁ ସାମିଲ୍ କରିବା ପାଇଁ ଆଗରୁ ଉପଲବ୍ଧ ଥିବା ଆପ୍ଲିକେସନଗୁଡ଼ିକୁ ଆବଶ୍ୟକ ଅନୁଯାୟୀ ଯୋଡ଼ାଯାଏ।

ଏହା ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ଅଧିକରୁ ଅଧିକ ବ୍ୟବହାରକୁ ପ୍ରୋତ୍ସାହନ ଦେଉଛି । NPCI ଇଣ୍ଟରନ୍ୟାସନାଲ୍ ପେମେଣ୍ଟ୍ସ ଲିମିଟେଡ (NIPL) NPCIର ଆନ୍ତର୍ଜାତୀୟ ଶାଖା। RuPay-ଆଧାରିତ କ୍ରେଡିଟ କାର୍ଡ ଓ UPIକୁ ଆପଣାଇବା ପାଇଁ NPCI ୩୦ରୁ ଅଧିକ ଦେଶ ସହିତ ଆଲୋଚନା କରୁଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଓ ସିଙ୍ଗାପୁରର ମୁଦ୍ରା ପ୍ରାଧିକରଣ ଦ୍ୱାରା ସହର-ରାଜ୍ୟ ସିଙ୍ଗାପୁରରେ ତୁରନ୍ତ PayNow ପେମେଣ୍ଟ ପ୍ରଣାଳୀ ସହିତ UPIକୁ ଯୋଡ଼ିବା ପାଇଁ ଏକ ପ୍ରୋଜେକ୍ଟ ଆରମ୍ଭ କରାଯାଉଛି।

UPIକୁ ଯାହା ଗୋଲ୍ଡ ଷ୍ଟାଣ୍ଡାର୍ଡର ମାନ୍ୟତା ଦେଇଥାଏ ତାହା ହେଉଛି ଏହାର ନିର୍ଭରଯୋଗ୍ୟତା ଓ ଉଚ୍ଚ ସ୍ତରର ବିଶ୍ୱାସ। ନିର୍ଭରଯୋଗ୍ୟତା ଓ ବିଶ୍ୱାସ ହେଉଛି ଯେକୌଣସି ଆର୍ଥିକ ଉତ୍ପାଦକୁ ଆପଣାଇବାର ମୂଳଦୁଆ – SIP ଠାରୁ ଆରମ୍ଭ କରି ପେମେଣ୍ଟ ଗେଟୱେ ପର୍ଯ୍ୟନ୍ତ। ‘ଆତ୍ମନିର୍ଭର ଭାରତର’ ସ୍ୱପ୍ନକୁ ସାକାର କରିବା ପାଇଁ ଭାରତକୁ ଏହାର ଅର୍ଥବ୍ୟବସ୍ଥାର ସମସ୍ତ ଦିଗରେ ସମାନ ସ୍ତରର ନିର୍ଭରଯୋଗ୍ୟତା ଓ ବିଶ୍ୱାସର ଆବଶ୍ୟକତା ରହିଛି।

QCI ସୁବିଧା

ଭାରତୀୟ ଗୁଣବତ୍ତା ପରିଷଦ (QCI) ଏହି ଇକୋସିଷ୍ଟମର ମେରୁଦଣ୍ଡ ଗଠନ କରେ, ଯାହାଫଳରେ ଭାରତୀୟ ବ୍ୟବସାୟଗୁଡ଼ିକ ପାଇଁ ଗୁଣବତ୍ତା, ବିଶ୍ୱାସ ଓ ନିର୍ଭରଯୋଗ୍ୟତାର ଏହି ସ୍ତରକୁ ହାସଲ କରିବା ସମ୍ଭବ ହୋଇଯାଏ। QCIର ଆଭିମୁଖ୍ୟର ଦୁଇଟି ଦିଗ ରହିଛି, ପ୍ରଥମ, ସେମାନେ ବ୍ୟବସାୟଗୁଡ଼ିକ ପାଇଁ ମାନକ, ତାଲିମ କାର୍ଯ୍ୟକ୍ରମ ଓ ସ୍ୱୀକୃତି ଉପଲବ୍ଧ କରାଇ ସେଗୁଡ଼ିକର ସାମର୍ଥ୍ୟକୁ ବିକାଶ କରିବାରେ ସାହାଯ୍ୟ କରନ୍ତି। ଦ୍ୱିତୀୟ, ସେମାନେ ମୂଲ୍ୟାଙ୍କନକାରୀମାନଙ୍କର ଏପରି ଏକ ଇକୋସିଷ୍ଟମ୍ ତିଆରି କରିଛନ୍ତି, ଯେଉଁମାନେ ବ୍ୟବସାୟଗୁଡ଼ିକୁ ସେଗୁଡ଼ିକର ଆଭ୍ୟନ୍ତରୀଣ ପ୍ରକ୍ରିୟା ଓ ପ୍ରଣାଳୀଗୁଡ଼ିକର ସମାଲୋଚନାମୂଳକ ସମୀକ୍ଷା କରିବାରେ ସାହାଯ୍ୟ କରିବାକୁ ଏବଂ ଜରୁରୀ କାମଗୁଡ଼ିକ ଉପରେ ସୁପାରିଶ କରିବାକୁ ସକ୍ଷମ।

QCI ଆର୍ଥିକ କ୍ଷେତ୍ରରେ ଉଭୟ ଗୁଣବତ୍ତା ଚେତନା ଓ ଗ୍ରାହକ ସୁରକ୍ଷା ବଢ଼ାଇବାର ପ୍ରୟାସରେ ଅନେକଗୁଡ଼ିଏ ଶିଳ୍ପ ମାନକର ନେତୃତ୍ୱ ନେଇଛି। ‘ସାର୍ଟିଫିକେସନ୍ ସଂସ୍ଥା ପାଇଁ ଜାତୀୟ ସ୍ୱୀକୃତି ବୋର୍ଡ’ (NABCB)ରେ ଅନେକ ସ୍ୱୀକୃତି ଯୋଜନାଗୁଡ଼ିକ ରହିଛି, ଯେଉଁଥିରେ ସୂଚନା ପ୍ରଯୁକ୍ତିବିଦ୍ୟା ସେବା ପରିଚାଳନା ପ୍ରଣାଳୀ (ITSMS), ସୂଚନା ସୁରକ୍ଷା ପରିଚାଳନା ପ୍ରଣାଳୀ (ISMS), ଗୁଣବତ୍ତା ପରିଚାଳନା ପ୍ରଣାଳୀ (QMS), ଭରସାଯୋଗ୍ୟ ଡିଜିଟାଲ ସଂଗ୍ରହାଳୟ ପରିଚାଳନା ପ୍ରଣାଳୀ (TDRMS) ସାମିଲ୍ ରହିଛି।

ଏହି ଢାଞ୍ଚାର ଲାଭଗୁଡ଼ିକ ସ୍ପଷ୍ଟ। ଜାତୀୟ ସ୍ୱୀକୃତି ସଂସ୍ଥାଗୁଡ଼ିକ ମଧ୍ୟରେ ବହୁପକ୍ଷୀୟ ବ୍ୟବସ୍ଥା ଆନ୍ତର୍ଜାତୀୟ ସମୁଦାୟକୁ ପ୍ରମାଣିତ କରେ ଯେ ଭାରତୀୟ ବ୍ୟବସାୟଗୁଡ଼ିକ ଆନ୍ତର୍ଜାତୀୟ ମାନକ ଓ ନିୟମଗୁଡ଼ିକୁ ପାଳନ କରୁଛନ୍ତି। ଏହା ବିଶ୍ୱସ୍ତରୀୟ ବାଣିଜ୍ୟରେ ଅଂଶଗ୍ରହଣକୁ ସହଜ କରେ ଏବଂ ସରକାରରୁ ସରକାର, ଦ୍ୱିପାକ୍ଷିକ ଓ ବହୁପକ୍ଷୀୟ ଆନ୍ତର୍ଜାତୀୟ ବାଣିଜ୍ୟ ଚୁକ୍ତିନାମାଗୁଡ଼ିକର ଅଧିକ ସମ୍ଭାବନା ସୃଷ୍ଟି କରିଥାଏ। ଏହା ଆମର ଉତ୍ପାଦ ଓ ସେବାଗୁଡ଼ିକୁ ଅଧିକ ପ୍ରତିଯୋଗିତାମୂଳକ ମଧ୍ୟ କରିଥାଏ।

NABCB ସ୍ୱୀକୃତି, ନିୟାମକ ଓ ସରକାରୀ ସଂଗଠନଗୁଡ଼ିକର ବୈଷୟିକ ଦକ୍ଷତାକୁ ନିଶ୍ଚିତ କରିଥାଏ । ପ୍ରତିବଦଳରେ, ଏହା ସେହି ଉତ୍ପାଦ ଓ ସେବାଗୁଡ଼ିକ ଉପରେ ବିଶ୍ୱାସ ବଢ଼ାଏ, ଯାହାକୁ ସେମାନେ ନିୟନ୍ତ୍ରଣ ଓ ଅନୁମୋଦନ କରିଥା’ନ୍ତି । ଏହା ଜାତୀୟ ନିୟାମକ ଏବଂ ନିୟମ ସମ୍ୱନ୍ଧୀୟ ସଞ୍ଚଚନାଗୁଡ଼ିକ ମଧ୍ୟରେ ସମନ୍ୱୟ ସ୍ଥାପନ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

ସ୍ୱୀକୃତି, ସମୟ ସମୟରେ ମୂଲ୍ୟାଙ୍କନଗୁଡ଼ିକର ମାଧ୍ୟମରେ ଲଗାତାର ସୁଧାର ଆଣିବାରେ ସାହାଯ୍ୟ କରେ ଏବଂ ସେଗୁଡ଼ିକୁ ବିଶ୍ୱସ୍ତରୀୟ ମାନକଗୁଡ଼ିକର ଅନୁରୂପ ରଖିବା ପାଇଁ ସ୍ୱୀକୃତି ନିର୍ଦ୍ଦେଶାବଳୀକୁ ନିୟମିତ ଭାବେ ଅପଡେଟ୍ କରିଥାଏ। ଏହା ଆନ୍ତର୍ଜାତୀୟ ମାନକଗୁଡ଼ିକ ଅନୁସାରେ ଏକ ରିସ୍କ ମ୍ୟାନେଜମେଣ୍ଟ ଫ୍ରେମୱାର୍କ ମଧ୍ୟ ତିଆରି କରେ, କାରଣ ରିସ୍କ ମ୍ୟାନେଜମେଣ୍ଟ ପ୍ରାୟତଃ ମାନକଗୁଡ଼ିକରେ ହିଁ ସାମିଲ ହୋଇଥାଏ।

ସରକାର, ଇଣ୍ଡଷ୍ଟ୍ରି ଓ ଗ୍ରାହକମାନେ NABCB ଦ୍ୱାରା ସ୍ୱୀକୃତିପ୍ରାପ୍ତ ଉତ୍ପାଦ ଓ ସେବାଗୁଡ଼ିକର ବିଶ୍ୱସନୀୟତା ଓ ନିର୍ଭରଯୋଗ୍ୟତାକୁ ଚିହ୍ନି ପାରନ୍ତି। ଗୋଟିଏ ଅର୍ଥରେ, ଏହି ଉତ୍ପାଦଗୁଡ଼ିକୁ ସ୍ୱୀକୃତି ପ୍ରକ୍ରିୟାରୁ ହିଁ ସହଜରେ ବିଶ୍ୱାସ, ନିର୍ଭରଯୋଗ୍ୟତା ମିଳିଯାଏ ଏବଂ ଗ୍ରାହକମାନଙ୍କଠାରେ ଆତ୍ମବିଶ୍ୱାସର ଏକ ସ୍ତର ମିଳିଯାଏ।

ଏହି ଢାଞ୍ଚାକୁ ତିଆରି କରି, QCI ସୁରକ୍ଷା କବଚ ସୃଷ୍ଟି କରେ, ଯାହା ମଧ୍ୟରେ ଫିନଟେକ୍ ଷ୍ଟାର୍ଟଅପଗୁଡ଼ିକ ବିଶ୍ୱାସଯୋଗ୍ୟ, ନିର୍ଭରଯୋଗ୍ୟ ଉତ୍ପାଦ ଓ ସେବାଗୁଡ଼ିକୁ ବିକଶିତ କରିପାରନ୍ତି । ଏହା ଆଦୌ ଆଶ୍ଚର୍ଯ୍ୟର ବିଷୟ ନୁହେଁ ଯେତେବେଳେ ଗ୍ରାହକମାନେ ଏପରିକି ୨,୩,୪ ଟିୟର୍ ସହରଗୁଡ଼ିକରେ ମଧ୍ୟ ଏହି ସୁବିଧାଗୁଡ଼ିକୁ ଆପଣାଇ ଥା’ନ୍ତି । ଆମ ଭାରତରେ ବିଶ୍ୱରେ ସର୍ବାଧିକ ଫିନଟେକ୍ ଆପଣାଇବାର ହାର ରହିଛି।

ଯେତେବେଳେ ଆମେ ଦେଖୁ ଯେ ଭାରତୀୟ ଫିନଟେକ୍ ସୋଲ୍ୟୁସନଗୁଡ଼ିକ ବାକି ଦୁନିଆ ପାଇଁ କେତେ ବୈକଳ୍ପିକ ଅଟେ, ସେତେବେଳେ ଏହି ଇକୋସିଷ୍ଟମର ସଫଳତା ସ୍ପଷ୍ଟ ଦେଖାଯାଏ । ଭାରତର ଫିନଟେକ୍ ୟୁନିକର୍ନଗୁଡ଼ିକର ତାଲିକା ଅତି ଆକର୍ଷଣୀୟ: Paytm, Acko Insurance, BharatPe, BillDesk, Digit Insurance, PhonePe, Pine Labs, Razorpay, Policybazaar, MobiKwik, Zeta, Zerodha, CRED, Slice, CredAvenue, Groww, OneCard, Open, Oxyzo, CoinSwitchKuber, CoinDCX, and Chargebee । ସମଗ୍ର ଇଣ୍ଡଷ୍ଟ୍ରି ଆକଳନ ଅନୁଯାୟୀ, ଏହି ଟ୍ରେଣ୍ଡ କେବଳ ବୃଦ୍ଧି ହେବାକୁ ଯାଉଛି ।

QCI ବର୍ତ୍ତମାନ ଓପନ୍ ନେଟୱାର୍କ ଫର ଡିଜିଟାଲ୍ କମର୍ସ (ONDC) ମାଧ୍ୟମରେ UPIର ସଫଳତାର ବିସ୍ତାର କରୁଛି । ଯେପରି UPI ଡିଜିଟାଲ ପେମେଣ୍ଟ ପାଇଁ ଅଟେ, ସେହିପରି ONDC ଭାରତରେ ଇ-କମର୍ସ ପାଇଁ ଅଟେ । କ୍ରେତା ଓ ବିକ୍ରେତାମାନେ ଯେକୌଣସି ପ୍ଲାଟଫର୍ମ କିମ୍ବା ଆପ୍ଲିକେସନର ବ୍ୟବହାର କରନ୍ତୁ ନା କାହିଁକି, ଡିପାର୍ଟମେଣ୍ଟ ଫର୍ ପ୍ରୋମୋସନ ଅଫ୍ ଇଣ୍ଡଷ୍ଟ୍ରି ଏଣ୍ଡ ଇଣ୍ଟର୍ନାଲ ଟ୍ରେଡ (DPIIT) ସେମାନଙ୍କୁ ନିଜ କାରବାରକୁ ଦେଖିପାରିବା ଏବଂ ପରସ୍ପର ସହିତ କାରବାର କରିବାର କ୍ଷମତା ଦେବା ଉଦ୍ଦେଶ୍ୟରେ ONDC ପ୍ରୋଜେକ୍ଟର ଆରମ୍ଭ କରିଥିଲା ।

ONDC ର କାର୍ଯ୍ୟକାରିତା ଇ-କମର୍ସରେ ବିଭାଜନକୁ ସୀମିତ କରିବ ବୋଲି ଆଶା କରାଯାଉଛି । ONDC ପ୍ଲାଟଫର୍ମ ବ୍ୟବସାୟୀମାନଙ୍କୁ ଗୋଟିଏ ଆପ୍ ମାଧ୍ୟମରେ ଅନବୋର୍ଡ ହେବାରେ ସାହାଯ୍ୟ କରିବ, କିନ୍ତୁ ଏକାଧିକ ଇ-କମର୍ସ ବଜାରରେ ଇଣ୍ଟର-ଅପରେଟ କରିବାରେ ସାହାଯ୍ୟ କରିବ, ଯାହାଦ୍ୱାରା ସେମାନେ ସମଗ୍ର ଭାରତରେ ଗ୍ରାହକମାନଙ୍କ ନିକଟରେ ଆହୁରି ବ୍ୟାପକ ଭାବେ ପହଞ୍ଚିପାରିବେ । ଏହା ବ୍ୟବସାୟୀମାନଙ୍କୁ ପେମେଣ୍ଟ, ବିତରଣ, ଅନଲାଇନ୍ ଉପସ୍ଥିତି, ବିଲିଂ ଓ ମାର୍କେଟିଂ ପରି ଅନ୍ୟ ବିଭିନ୍ନ ସେବାଗୁଡ଼ିକୁ ଗୋଟିଏ ପ୍ଲାଟଫର୍ମ ମାଧ୍ୟମରେ ସହଜରେ ପରିଚାଳନା କରିବାକୁ ସକ୍ଷମ କରିବ, ଯାହାଫଳରେ ଉଭୟ ବ୍ୟବସାୟୀ ଓ ଗ୍ରାହକମାନଙ୍କୁ ଯଥେଷ୍ଟ ବ୍ୟକ୍ତିଗତ ସୁବିଧା ମିଳିପାରିବ । ଏହା କେବଳ ଯେ ପ୍ରତିଯୋଗିତାକୁ ବଢ଼ାଇବ ତାହା ନୁହେଁ, ବରଂ ଛୋଟ ପ୍ଲେୟାର୍‌ମାନଙ୍କୁ ଏକ ଖୋଲା ଏବଂ ସମାନ ସ୍ତରର ପ୍ଲାଟଫର୍ମ ପ୍ରଦାନ କରିବ, ଯେଉଁମାନଙ୍କ ପାଖରେ ବଡ଼ ପ୍ଲେୟାର୍‌ମାନଙ୍କ ଭଳି ବିଜ୍ଞାପନ ଓ ମାର୍କେଟିଂ ବଜେଟ୍ ନ ଥାଏ ।

ଏଥିରେ ଭାରତରେ ଉଭୟ ଫିନଟେକ୍ ଓ ରିଟେଲ ପାଇଁ ଆଉ ଏକ ଗେମ୍ ଚେଞ୍ଜର୍ ହେବାର ସମ୍ଭାବନା ଅଛି । ସାରାଂଶ ହେଉଛି, ONDC ଏକ ମେରିଟୋକ୍ରେସି ତିଆରି କରିବାକୁ ଆଶା ରଖେ, ଯେଉଁଠାରେ ଆନନ୍ଦିତ ଗ୍ରାହକମାନେ ଓ ସବୁଠାରୁ ଭଲ ଉତ୍ପାଦଗୁଡ଼ିକ ବିଜ୍ଞାପନ କିମ୍ବା ପ୍ରିଫରେନ୍ସିଆଲ ସର୍ଚ୍ଚର ହସ୍ତକ୍ଷେପ ବିନା, କିମ୍ବା ଅନ୍ୟ କୌଣସି ସୁବିଧା ଯାହା ଇ-କମର୍ସ ପ୍ଲାଟଫର୍ମଗୁଡ଼ିକ ବଡ଼ ବଡ଼ ପ୍ଲେୟାର୍‌ମାନଙ୍କୁ ଦେଇଥା’ନ୍ତି, ସେଗୁଡ଼ିକ ବିନା ଆପେ ଆପେ ଚମକିବେ । ଏକ ଘରୋଇ ବଜାର ଆମର ଅର୍ଥବ୍ୟବସ୍ଥା ପାଇଁ ନିଶ୍ଟିତ ରୂପେ ଭଲ ହେବ, ଯାହା ବିଦେଶୀ କିମ୍ବା ବ୍ୟକ୍ତିଗତ ମାଲିକାନାରେ ଥିବା ବଜାରଗୁଡ଼ିକ ଉପରେ ଆମର ନିର୍ଭରଶୀଳତାକୁ ସମାପ୍ତ କରେ, ଯାହାଠାରେ କେବଳ ନିଜକୁ ସମର୍ଥନ କରିବାର ପ୍ରବୃତ୍ତି ଥାଏ ।

କେବଳ ପରବର୍ତ୍ତୀ 5 ବର୍ଷ ମଧ୍ୟରେ, ONDC 90 କୋଟି କ୍ରେତା, 12 ଲକ୍ଷ ବିକ୍ରେତା ଏବଂ 4800 କୋଟି ଡଲାରର ମୋଟ ବାଣିଜ୍ୟ ମୂଲ୍ୟ ହାସଲ କରିବ ବୋଲି ଆଶା କରୁଛି । MSME ପ୍ଲେୟାର୍‌ମାନଙ୍କ ପାଇଁ, ବିଶେଷ କରି ଯେଉଁମାନେ ZED ସାର୍ଟିଫିକେସନ୍ ପ୍ରକ୍ରିୟାରେ ଅଛନ୍ତି, ONDC ପ୍ଲାଟଫର୍ମରେ ଭାରତୀୟ ବଜାରଗୁଡ଼ିକରେ ପ୍ରମୁଖତା ପାଇଁ ସେମାନଙ୍କର ଲଞ୍ଚପ୍ୟାଡ୍ ହେବାର ସମ୍ଭାବନା ଅଛି, ଏବଂ ସମୟକ୍ରମେ, ବିଶ୍ୱ ସ୍ତରରେ ମଧ୍ୟ ।

ଭାରତ ଏକ ବହୁତ ବଡ଼ ବଜାର। ଆମର ଜନସଂଖ୍ୟା ଆମକୁ ଆକର୍ଷଣୀୟ କରିଥାଏ, କିନ୍ତୁ ଯେତେବେଳେ ଆପଣ ଏହାକୁ ଆମର ବଢୁଥିବା ଆୟ ସହିତ ଯୋଡ଼ନ୍ତି, ଏହା ଭାରତୀୟ ବଜାରକୁ ବିଶ୍ୱ ସ୍ତରରେ ପ୍ରତ୍ୟେକ ଆକାରର ବ୍ରାଣ୍ଡ ଓ ବ୍ୟବସାୟ ପାଇଁ ଜାଗା କରିଦିଏ ।

ଏକ ଶକ୍ତିଶାଳୀ ଢାଞ୍ଚା ପ୍ରଦାନ କରି, ଯେଉଁଥିରେ ଉଭୟ ଗୁଣବତ୍ତା ନିଶ୍ଚିତତା ସାମିଲ୍ ଏବଂ ଉଚ୍ଚ ଗୁଣବତ୍ତା ବିଶିଷ୍ଟ ଉତ୍ପାଦଗୁଡ଼ିକ ପାଇଁ ଏକ ବଜାର ସୃଷ୍ଟି କରି, QCI ଏକ ଗୁଣାତ୍ମକ ଚକ୍ର ସୃଷ୍ଟି କରୁଛି ଯାହା ସମସ୍ତଙ୍କୁ ଲାଭ ଦେଇଥାଏ । ଘରୋଇ ବ୍ୟବସାୟଗୁଡ଼ିକ ନିଜ ଉତ୍ପାଦ ଓ ସେବାଗୁଡ଼ିକୁ ଆନ୍ତର୍ଜାତୀୟ ମାନକଗୁଡ଼ିକ ଅନୁଯାୟୀ ଗଢ଼ିବା ପାଇଁ ଜରୁରୀ ସମର୍ଥନ ପାଆନ୍ତି, ଏବଂ ସେଗୁଡ଼ିକ ଏପରି ଏକ ବଜାରକୁ ପ୍ରବେଶ ମଧ୍ୟ କରିବେ ଯାହାର ଏକମାତ୍ର ଏଜେଣ୍ଡା ହେଉଛି ସେମାନଙ୍କୁ ପ୍ରୋତ୍ସାହିତ କରିବା । ଅନ୍ୟପକ୍ଷରେ, ଭାରତୀୟ ଗ୍ରାହକମାନେ ଉଚ୍ଚ ମାନର ଉତ୍ପାଦ ଓ ସେବାଗୁଡ଼ିକ ପାଇପାରନ୍ତି, ଯାହାଦ୍ୱାରା ବିଦେଶୀ ପ୍ରଦାନକାରୀଙ୍କ ଉପରେ ଭାରତର ନିର୍ଭରଶୀଳତା କମ୍ ହୋଇଥାଏ ।

କୌଣସି ଅର୍ଥବ୍ୟବସ୍ଥାର ଆକାର ଏହାଦ୍ୱାରା ନିର୍ଦ୍ଧାରିତ ହୁଏ ଯେ ସେଥିରେ କେତେ ଟଙ୍କାର କାରବାର ହୋଇଥାଏ । ଭାରତର 100 କୋଟିରୁ ଅଧିକ ଗ୍ରାହକମାନଙ୍କର ଆଧାର ସହିତ ସର୍ବୋତ୍ତମ ଭାରତୀୟ ବ୍ୟବସାୟଗୁଡ଼ିକୁ ଏକାଠି କରି, QCI ର ‘ଗୁଣବତ୍ତା ସେ ଆତ୍ମନିର୍ଭରତା’ ଉଦ୍ଦେଶ୍ୟ ଭାରତର 5 ଲକ୍ଷ କୋଟି ଡଲାର ଅର୍ଥବ୍ୟବସ୍ଥାର ଲକ୍ଷ୍ୟ ଦିଗରେ ବାସ୍ତବରେ ଅଗ୍ରଗତି କରୁଛି ।

QCI, ଭାରତର ‘ଗୁଣବତ୍ତା ସେ ଆତ୍ମନିର୍ଭରତା’ ପଦକ୍ଷେପ ଏବଂ ଏହା ଆମ ଜୀବନକୁ କିଭଳି ଭାବେ ପ୍ରଭାବିତ କରିଛି, ସେବିଷୟରେ ଅଧିକ ଜାଣିବା ପାଇଁ https://www.news18.com/qci/ କୁ ଯାଆନ୍ତୁ ।
Published by:Lipina Das
First published: