News18 Odia Digital
ନୂଆ ଦିଲ୍ଲୀ: ଘୃଣା ବକ୍ତବ୍ୟ (Hate Speech) ମାମଲାରେ ବିଜେପି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଅଭିଯୋଗ ମଧ୍ୟରେ ଫେସବୁକ(Facebook) ବିଜେପି ବିଧାୟକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଫେସବୁକ ତେଲେଙ୍ଗାନାର ବିଜେପି ବିଧାୟକ ଟି ରାଜା ସିଂଙ୍କୁ (T Raja Singh) ନିଜ ପ୍ଲାଟଫର୍ମରୁ ବ୍ୟାନ କରିଛି । ଘୃଣା ଓ ହିଂସାକୁ ପ୍ରୋତ୍ସାହିତ କରୁଥିବା ବିଷୟବସ୍ତୁ ଉପରେ ଫେସବୁକର ନୀତି ଉଲ୍ଲଂଘନ କରିଥିବାରୁ ବିଜେପି ନେତାଙ୍କୁ ବ୍ୟାନ କରାଯାଇଛି । ଜଣେ ଫେସବୁକ ମୁଖପାତ୍ର ଏହି ସୂଚନା ଦେଇଛନ୍ତି ।
ଜଣେ ଫେସବୁକ ମୁଖପାତ୍ର ଏକ ଇ-ମେଲ ବିବୃତ୍ତିରେ କହିଛନ୍ତି ଯେ ଆମ ପ୍ଲାଟଫର୍ମରେ ହିଂସା ତଥା ଘୃଣାର ପ୍ରଚାରକୁ ରୋକିବା ପାଇଁ ନିଆଯାଇଥିବା ନୀତି ଉଲ୍ଲଂଘନ କରିଥିବାରୁ ଆମେ ରାଜା ସିଂଙ୍କୁ ଫେସବୁକରୁ ବ୍ୟାନ କରିଛୁ । ସେ କହିଛନ୍ତି ଯେ ସମ୍ଭାବ୍ୟ ଉଲ୍ଲଂଘନକାରୀଙ୍କୁ ଚିହ୍ନଟ ଓ ମୂଲ୍ୟାଙ୍କନ କରିବାର ପ୍ରକ୍ରିୟା ବ୍ୟାପକ ଅଟେ ଏବଂ ଏହା ଅଧୀନରେ ଫେସବୁକ୍ ତାଙ୍କ ଆକାଉଣ୍ଟ ଡିଲିଟ୍ କରିବାକୁ ନିଷ୍ପତ୍ତି ନେଇଛି ।
ଫେସବୁକରେ ବିଜେପି ବିଧାୟକଙ୍କ ଉପରେ ଏପରି ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଯେଉଁ ସମୟରେ ତାକୁ ଘୃଣାର ବିଷୟବସ୍ତୁ ପରିଚାଳନା ପାଇଁ ଭାରତରେ ବହୁ ରାଜନୈତିକ ଚାପର ସମ୍ମୁଖୀନ ହେବାକୁ ପଡିଛି ।
ବୁଧବାର ସୂଚନା ପ୍ରଯୁକ୍ତିବିଦ୍ୟା ପ୍ରସଙ୍ଗରେ ଫେସବୁକର ଅଧିକାରୀମାନେ ସଂସଦର ସ୍ଥାୟୀ କମିଟି ନିକଟରେ ହାଜର ହୋଇଥିଲେ । ଏହି ସମୟ ମଧ୍ୟରେ ଅଧିକାରୀମାନେ ଘୃଣାଭାବ ବ୍ୟାପିଥିବା ପୋଷ୍ଟକୁ ରାଜନୈତିକ ଭାବେ ସମର୍ଥନ କରୁଥିବା ଅଭିଯୋଗ ସମ୍ପର୍କିତ ପ୍ରଶ୍ନର ସମ୍ମୁଖୀନ ହୋଇଥିଲେ । ଏହି କମିଟିର ସଭାପତି ହେଉଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର ।
ବିଧାୟକ ଟି ରାଜା ସିଂ ଗତ ମାସରେ ଟ୍ୱିଟରରେ ଭିଡିଓରେ ଦାବି କରିଛନ୍ତି ଯେ ତାଙ୍କର ଅଫିସିଆଲ୍ ଫେସବୁକ୍ ପେଜ୍ ନାହିଁ । ସେ କହିଛନ୍ତି, "ମୁଁ ଜାଣିବାକୁ ପାଇଛି ଯେ ଫେସବୁକ ପୃଷ୍ଠାଗୁଡ଼ିକ ମୋ ନାମ ବ୍ୟବହାର କରୁଛନ୍ତି । ମୁଁ ଗୋଟିଏ କଥା ସ୍ପଷ୍ଟ କରିବାକୁ ଚାହୁଁଛି ଯେ ମୋର ଅଫିସିଆଲ୍ ପେଜ ନାହିଁ । ମୁଁ କୌଣସି ପୋଷ୍ଟ ପାଇଁ ଦାୟୀ ନୁହେଁ।"
ସିଂ ସାମ୍ପ୍ରଦାୟିକ ପୋଷ୍ଟ ସହ ଜଡିତ କଥାବାର୍ତ୍ତାକୁ ମଧ୍ୟ ଖାରଜ କରିଦେଇଥିଲେ ଓ ୨୦୧୮ ମସିହାରେ ତାଙ୍କ ଅଫିସିଆଲ୍ ଫେସବୁକ୍ ଆକାଉଣ୍ଟକୁ ହ୍ୟାକ୍ କରାଯାଇ ବ୍ଲକ୍ କରାଯାଇଥିବା ଦାବି କରିଥିଲେ ।
ଆମେରିକାର ଖବରକାଗଜ 'ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍' ଫେସବୁକରେ ନିଜର ରିପୋର୍ଟରେ ଅଜ୍ଞାତ ବ୍ୟକ୍ତିଙ୍କ ଉଦ୍ଧେଶ୍ୟରେ କହିଛି ଯେ ଫେସବୁକ୍ ଇଣ୍ଡିଆର ବରିଷ୍ଠ ଅଧିକାରୀ ଅଙ୍କୀ ଦାସ ଏକ ଆଭ୍ୟନ୍ତରୀଣ ବାର୍ତ୍ତାରେ ରାଜ ସିଂଙ୍କ ଉପରେ ସ୍ଥାୟୀ ପ୍ରତିବନ୍ଧକକୁ ରୋକିଛନ୍ତି । ଏହି ରିପୋର୍ଟରେ କୁହାଯାଇଛି ଯେ ଏହା ଭାରତରେ କମ୍ପାନୀର ବ୍ୟବସାୟ କୁ ପ୍ରଭାବିତ କରିବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।