ଦେଶର ଅନେକ ରାଜ୍ୟରେ ପ୍ରବଳ ବର୍ଷା ; ଅସ୍ତବ୍ୟସ୍ତ ଜୀବନ ଓ ଜୀବିକା

ପ୍ରବଳ ବର୍ଷା ; ଅସ୍ତବ୍ୟସ୍ତ ଜୀବନ ଓ ଜୀବିକା

ପ୍ରବଳ ବର୍ଷା ; ଅସ୍ତବ୍ୟସ୍ତ ଜୀବନ ଓ ଜୀବିକା

  • Share this:
News 18 Odia Digital

ନୂଆଦିଲ୍ଲୀ; ଦେଶର ଅନେକ ରାଜ୍ୟରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଲୋକଙ୍କ ଅବସ୍ଥା ବେହାଲ୍ । ଜନ ଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି । ଗୁଜୁରାଟ, ମହାରାଷ୍ଟ୍ର, ହିମାଚଳ ପ୍ରଦେଶ ଏବଂ କର୍ଣ୍ଣାଟକରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଜାରି କରିଛି । ସବୁଠାରୁ ଖରାପ ଅବସ୍ଥା ମହାରାଷ୍ଟ୍ରରେ ସୃଷ୍ଟି ହୋଇଛି । ଯେଉଁଠାରେ ଏପର୍ଯ୍ୟନ୍ତ ୮୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଟି ଜିଲ୍ଲା ପାଇଁ ଏବେ ବି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି । ପରବର୍ତ୍ତୀ ୭୨ ଘଣ୍ଟା ଗୁରୁତ୍ଵପୂର୍ଣ୍ଣ ରହିଛି । ତେବେ ଗୁଜୁରାଟରେ ଏପର୍ଯ୍ୟନ୍ତ ୬୩ ଜଣଙ୍କର ମୃତ୍ୟୁ ହୋଇଛି ।

ମହାରାଷ୍ଟ୍ରରେ ଜୁନ୍ ୧ ରୁ ପ୍ରବଳ ବର୍ଷା ହେତୁ ବନ୍ୟା, ଭୂସ୍ଖଳନ, କୋଠା ଭୁଶୁଡ଼ିବା, ବଜ୍ରପାତ ଏବଂ ସର୍ଟ ସର୍କିଟ ଏବଂ ପାଣିରେ ବୁଡ଼ି ଯିବା ଭଳି ବିଭିନ୍ନ ପ୍ରାକୃତିକ ଦୁର୍ଘଟଣାରେ ୮୩ ଜଣଙ୍କର ମୃତ୍ୟୁ ଘଟି ଥିବା ବେଳେ ୬୪ ଜଣ ଆହତ ହୋଇଛନ୍ତି ଏବଂ ୧୬୪ ପ୍ରାଣୀଙ୍କର ମୃତ୍ୟୁ ଘଟିଛି । ଏଥିସହ ୫୮୭୩ ଜଣଙ୍କୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯାଇଛି ।

ମହାରାଷ୍ଟ୍ର; ପାଲଗରର ଜବାହର ତାଲୁକା ପର୍ବତ ମଝିରୁ ଜଳ ଦ୍ରୁତ ଗତିରେ ତଳକୁ ଖସୁଛି । ପ୍ରବାହିତ ନଦୀ ସହିତ ଜଳପ୍ରପାତ ମଧ୍ୟ ବିପଦ ସଙ୍କେତ ପାର୍ କରିଛି । ମହାରାଷ୍ଟ୍ରର ଗାଡଚିରୋଲିରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ରାସ୍ତାରେ ପ୍ରବାହିତ ହେଉଛି ବନ୍ୟା ଜଳ । ରାସ୍ତା କଡ଼ରେ ଥିବା ଅଟ୍ଟାଳିକା ପାଣିରେ ବୁଡି ରହିଛି । ଜଳ ଏତେ ଅଧିକ ଯେ ଲୋକମାନେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଗୁଜୁରାଟ; ଗୁଜୁରାଟରେ ଆକାଶ ମେଘାଚ୍ଛନ୍ନ ରହିଛି। ଆସନ୍ତା ୪ ଦିନ ଗୁଜୁରାଟ ସ୍ଥିତି ବେହାଲ ହୋଇପାରେ । ବନ୍ୟା ଯୋଗୁଁ ସ୍ଥିତି ସଙ୍ଗୀନ ରହିଛି । ଗୁଜୁରାଟର ବିଭିନ୍ନ ଜିଲ୍ଲାରେ ଜାମନଗର, କୁଚ୍, ମୋର୍ବି, ନର୍ମଦା, ନାଭସାରୀ, ସୁରଟ ପରିସ୍ଥିତି ସମାନ । ସବୁଆଡେ ଜଳମଗ୍ନ । ଲୋକମାନେ ଜଳବନ୍ଦୀ ହୋଇ ରହିଛନ୍ତି। ପ୍ରବଳ ବର୍ଷା ହେତୁ ଗୁଜୁରାଟର ତାପିର ଦୋସୱାଡା ଡ୍ୟାମରୁ ଜଳ ପ୍ରବାହିତ ହେବାରେ ଲାଗିଛି। ଡ୍ୟାମରୁ ଅତ୍ୟଧିକ ଜଳ ପ୍ରବାହ ଯୋଗୁଁ ଭୟଭୀତ ଅଛନ୍ତି ଅଞ୍ଚଳବାସୀ । ଡ୍ୟାମରୁ ପ୍ରବାହିତ ହେଉଥିବା ଜଳ ଆଖପାଖ ଗାଁକୁ ଜଳମଗ୍ନ କରିବା ଆରମ୍ଭ କରିଦେଇଛି, ଯାହା ଲୋକଙ୍କ ସମସ୍ୟା ବଢାଇ ଦେଇଛି ।

୫ ଟି ଜିଲ୍ଲାକୁ ରେଡ୍ ୱାର୍ଣିଂ ; ଗୁଜୁରାଟର ୫ ଟି ଜିଲ୍ଲା ଗୁଜୁରାଟର ସୁରଟ, ତାପି, ନାଭସାରୀ, ଡାଙ୍ଗ, ଭାଲସାଦ ପାଇଁ ପାଣିପାଗ ବିଭାଗ ରେଡ ୱାର୍ଣିଂ ଜାରି କରିଛି। ସେହିପରି ଗିର୍ ସୋମନାଥ, ଆମ୍ରେଲି, ଭବନଗର, ଆନନ୍ଦ, ଭଦୋଦରା, ଭାରୁଚ, ନର୍ମଦା ଏବଂ ଛୋଟା ଉଦୟପୁର ଆଦି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣିଂ ଜାରି କରାଯାଇଛି।

ମଧ୍ୟପ୍ରଦେଶ; ପ୍ରବଳ ବର୍ଷା ହେତୁ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ରାଇସେନର ବାରନା ଡ୍ୟାମରୁ ଜଳପ୍ରବାହ ଆରମ୍ଭ କରିଛି, ସୋମବାର ଡ୍ୟାମର ୬ଟି ଗେଟ୍ ଖୋଲା ଯାଇଛି, ଯେଉଁଥିପାଇଁ ଆଖପାଖ ଅଞ୍ଚଳ ଜଳମଗ୍ନ ହୋଇ ଯାଇଛି। ଲୋକଙ୍କ ଘରେ ପାଣି ପଶିବା ସହ ଆସବାବପତ୍ର ଜଳରେ ବୁଡ଼ି ରହିଛି । ସୋମବାର ବାରନା ଡ୍ୟାମରୁ ୨୫ ହଜାର କ୍ୟୁସେକ୍ ଜଳ ଛଡ଼ା ଯାଇଛି। ଏଭଳି ପରିସ୍ଥିତିରେ ଯଦି ବର୍ଷା ହୁଏ, ତେବେ ଡ୍ୟାମରୁ ଅଧିକ ଜଳ ଛାଡିବାକୁ ପଡିବ ।

ହିମାଚଳ ପ୍ରଦେଶ; ସମାନ ସ୍ଥିତି ହିମାଚଳ ପ୍ରଦେଶରେ ମଧ୍ୟ ସୃଷ୍ଟି ହୋଇଛି । ହିମାଚଳର କଙ୍ଗରା ଜିଲ୍ଲା ଶାହାପୁର ଅଞ୍ଚଳରେ ଥିବା ଚାମ୍ବି ନଦୀରେ ପ୍ରବଳ ସ୍ରୋତ ମଧ୍ୟରେ ଏକ ଟ୍ରାକ୍ଟର ଓଲଟି ପଡିଛି।ଟ୍ରାକ୍ଟରର କେବଳ ଏକ ଛୋଟ ଅଂଶ ଦୃଶ୍ୟମାନ ହେଉଥିଲା । ଟ୍ରାକ୍ଟର ଚାଳକ ଜଣକ ଜୀବନ ବଞ୍ଚାଇବାକୁ ଟ୍ରାକ୍ଟର ଉପରକୁ ଚଢି ଲୋକଙ୍କୁ ସାହାଯ୍ୟ ମାଗିଥିଲେ। ନଦୀ ମଝିରେ ଫସି ରହିଥିବା ଯୁବକଙ୍କୁ ଦେଖି ସ୍ଥାନୀୟ ଲୋକେ ଯୁବକଙ୍କୁ ଉଦ୍ଧାର କରିଥିଲେ।

ଦକ୍ଷିଣ ଭାରତ; ଉତ୍ତର ଭାରତରେ ବର୍ଷା ହଇଚଇ ସୃଷ୍ଟି କରୁଥିବାବେଳେ ଦକ୍ଷିଣ ଭାରତରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କେରଳର ଇଡୁକିରେ ବନ୍ୟା ପରିସ୍ଥିତି ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
Published by:Soubhagya Mishra
First published: