News 18 Odia Digital
ଭାରତୀୟ ଅଟୋମୋବାଇଲ ନିର୍ମାତାମାନେ ସମସ୍ତ ବାଧାଗୁଡ଼ିକ ସହ ଲଢ଼ି ଏପରି ଏକ ଇକୋସିଷ୍ଟମ ତିଆରି କରିଥିଲେ, ଯାହା ଆଜି ଅଟୋମୋବାଇଲ ନିର୍ମାତାମାନଙ୍କୁ ବାର୍ଷିକ ଲକ୍ଷ ଲକ୍ଷ ୟୁନିଟ ଉତ୍ପାଦନ କରିବାକୁ ସାହାଯ୍ୟ କରିଥାଏ ।
ଜୁନ୍ 2022 ରେ, ତିନି ଚକିଆ, ଦୁଇ ଚକିଆ ଓ ଚାରି ଚକିଆ ସାଇକଲ ବିଶିଷ୍ଟ ଯାତ୍ରୀବାହୀ ଯାନଗୁଡ଼ିକର ମୋଟ ଉତ୍ପାଦନ 2,081,148 ୟୁନିଟ ଥିଲା । ଭାରତୀୟ ଅଟୋମୋଟିଭ୍ ଶିଳ୍ପ 2016-26 ମଧ୍ୟରେ ଯାନବାହନଗୁଡ଼ିକର ରପ୍ତାନି ପାଞ୍ଚ ଗୁଣ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି ଏବଂ ଆର୍ଥିକ ବର୍ଷ 22 ରେ ଭାରତରୁ ମୋଟ ଅଟୋମୋବାଇଲ ରପ୍ତାନି 5,617,246 ୟୁନିଟ ଥିଲା । ଭାରତ ସରକାର ଆଶା କରୁଛନ୍ତି ଯେ ଅଟୋମୋବାଇଲ ସେକ୍ଟରରେ ୨୦୨୩ ସୁଦ୍ଧା ସ୍ଥାନୀୟ ଓ ବିଦେଶୀ ପୁଞ୍ଜି ବିନିଯୋଗ ୮-୧୦ ବିଲିୟନ ଆମେରିକୀୟ ଡଲାର ହୋଇଯିବ ।
NITI ଆୟୋଗ ଓ ରକି ମାଉଣ୍ଟେନ୍ ଇନଷ୍ଟିଚ୍ୟୁଟ (RMI) ଅନୁଯାୟୀ, ଭାରତର EV ଫାଇନାନ୍ସ ଶିଳ୍ପ 2030 ସୁଦ୍ଧା 3.7 ଲକ୍ଷ କୋଟି ଟଙ୍କା (50 ବିଲିୟନ ଆମେରିକୀୟ ଡଲାର) ରେ ପହଞ୍ଚିବାର ସମ୍ଭାବନା ରହିଛି ଏବଂ ସେହି ବର୍ଷ ସୁଦ୍ଧା ଭାରତ ବୈଦ୍ୟୁତିକ ଓ ସ୍ୱୟଂଚାଳିତ ଯାନଗୁଡ଼ିକର ବ୍ୟବସାୟରେ ସୁଯୋଗ ପ୍ରଦାନ କରି ସେୟାର୍ଡ ମୋବିଲିଟିରେ ବିଶ୍ୱସ୍ତରୀୟ ଅଗ୍ରଣୀ ହୋଇପାରେ ।
ଏହି ସଂଖ୍ୟାଗୁଡ଼ିକ ବିଶେଷ ଭାବରେ ଉଲ୍ଲେଖନୀୟ, କାରଣ ସମୟ ଥିଲା କାରଗୁଡ଼ିକୁ (ଏବଂ ଏପରିକି ଦୁଇ ଚକିଆ ଯାନଗୁଡ଼ିକୁ ମଧ୍ୟ !) ମଧ୍ୟବିତ୍ତ ଭାରତୀୟମାନଙ୍କ ପାଇଁ ବିଳାସର ପ୍ରତୀକ ଭାବରେ ଧରାଯାଉଥିଲା । ଏହା ମାତ୍ର ୪୦ ବର୍ଷ ପୂର୍ବର କଥା । ଏହା ମଧ୍ୟ ମନେ ରଖିବା ଅତି ଗୁରୁତ୍ୱପୂର୍ଣ୍ଣ ଯେ ୧୯୯୧ ପର୍ଯ୍ୟନ୍ତ ଭାରତୀୟ ବ୍ୟବସାୟଗୁଡ଼ିକୁ ‘ଲାଇସେନ୍ସ ରାଜ୍’ ଅଧୀନରେ କାମ କରିବାକୁ ପଡ଼ୁଥିଲା, ଯାହା ଅତ୍ୟଧିକ ପ୍ରତିବନ୍ଧକ ସାଜୁଥିଲା: ଲାଇସେନ୍ସ, ନିୟମାବଳୀ ଓ ନାଲି ଫିତାର ଶାସନ, ଯାହା ୧୯୪୭ ରୁ ୧୯୯୦ ମଧ୍ୟରେ ଭାରତରେ ବ୍ୟବସାୟ ଆରମ୍ଭ କରିବାରେ ଏବଂ ଏହାକୁ ଚଳାଇବାରେ ବାଧା ସୃଷ୍ଟି କରୁଥିଲା ।
‘ଲାଇସେନ୍ସ ରାଜ୍’ ଭାରତରେ ଏପରି ଚିନ୍ତାଧାରା ବିଶିଷ୍ଟ ବ୍ୟକ୍ତିମାନଙ୍କ ମସ୍ତିଷ୍କରୁ ଉପୁଜି ଥିଲା, ଯେଉଁମାନେ ସମାଜବାଦକୁ ଭାରତରେ ଗରିବ କୃଷକମାନଙ୍କୁ ସଶକ୍ତ କରିବାର ଉପାୟ ଭାବରେ ଦେଖିଥିଲେ । ସ୍ୱାଧୀନତା ପରେ, ଯେତେବେଳେ ଏହି ଚିନ୍ତକମାନେ କ୍ଷମତାକୁ ଆସିଲେ, ସେତେବେଳେ ସମାଜବାଦୀ ଚିନ୍ତାଧାରାଗୁଡ଼ିକ ‘ଲାଇସେନ୍ସ ରାଜ୍’ ର ନୀତିଗୁଡ଼ିକରେ ପ୍ରବେଶ କଲା । ଦୁର୍ଭାଗ୍ୟର କଥା ଯେ ବାସ୍ତବିକ ଅଭ୍ୟାସ କ୍ଷେତ୍ରରେ, ଏହି ‘ଲାଇସେନ୍ସ ରାଜ୍’ ଆର୍ଥିକ ବିକାଶ ଏବଂ ଗରିବମାନଙ୍କ ଉନ୍ନତି କରିବା ପରିବର୍ତ୍ତେ ଏହାକୁ ରୋକିବା ପାଇଁ କାମ କରିଥିଲା । ଭାରତୀୟ ବ୍ୟବସାୟଗୁଡ଼ିକ ପାଇଁ, ଏପରିକି ସଫଳ ବ୍ୟବସାୟଗୁଡ଼ିକ ପାଇଁ ମଧ୍ୟ, ବିକାଶର ଲକ୍ଷ୍ୟ ପ୍ରତିବନ୍ଧକରେ ଭରି ରହିଥିଲା ।
ତଥାପି, କିଛି କମ୍ପାନୀ ପ୍ରତିବନ୍ଧକଗୁଡ଼ିକୁ ଅତିକ୍ରମ କରିବାରେ ଏବଂ ଘରେ ଘରେ ପରିଚିତ ହେବାରେ ସଫଳ ହୋଇଥିଲେ । ଏଗୁଡ଼ିକ ଏପରି କମ୍ପାନୀ ଥିଲେ ଯେଉଁମାନେ ଏତେ ଉଚ୍ଚ ଗୁଣବତ୍ତାର ଏବଂ ଏତେ ଅଧିକ ଚାହିଦାରେ ଉତ୍ପାଦ ତିଆରି କରୁଥିଲେ ଯେ ସେଗୁଡ଼ିକୁ କିଣିବା ପାଇଁ ଲୋକଙ୍କ ପାଳି ୧୦ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ଆସୁଥିଲା । ଭାରତର ଅଟୋମୋବାଇଲ ସେକ୍ଟର ଏପରି ଏକ ବିଶାଳ କମ୍ପାନୀର ଘର ଥିଲା ।
୧୯୭୦-୯୦ ଦଶକରେ ଭାରତରେ ଗୋଟିଏ ଜାଗାରୁ ଆଉ ଏକ ଜାଗାକୁ ଯିବା ଏତେ ସହଜ ନ ଥିଲା । ଏପରିକି ରାଜଧାନୀ ଦିଲ୍ଲୀରେ ମଧ୍ୟ ବସ୍ ସେବାଗୁଡ଼ିକ ଠିକ୍ ସମୟରେ ଚାଲୁ ନ ଥିଲା, ଏବଂ ବସଗୁଡ଼ିକରେ ପ୍ରବଳ ଭିଡ଼ ହେଉଥିଲା । ଟ୍ୟାକ୍ସି ଓ ରିକ୍ସାଗୁଡ଼ିକ ନିଜ ମନଇଚ୍ଛା ଚାଲୁଥିଲା (ଏବେ ମଧ୍ୟ ଚାଲିଛି !) ଏବଂ ଅଧିକାଂଶ ଭାରତୀୟ ସହରଗୁଡ଼ିକରେ ସେଗୁଡ଼ିକ ନେଉଥିବା ଭଡ଼ା ସାଧାରଣ ଭଡ଼ା ତାଲିକାଠାରୁ ବହୁତ ଭିନ୍ନ ଥିଲା । ଏହା ଛଡ଼ା, ଏଗୁଡ଼ିକ ମହଙ୍ଗା ଥିଲା ଏବଂ ଯାହା ଉପରେ ଭରସା କରିବା ମଧ୍ୟ ଉପଯୁକ୍ତ ନ ଥିଲା ।
ସେତେବେଳେ ମଧ୍ୟବିତ୍ତ ପରିବାରଗୁଡ଼ିକ ପାଇଁ, ଆକାଂକ୍ଷାର ଚରମ ଶିଖର ଥିଲା- ସେମାନଙ୍କ ନିଜର ସ୍କୁଟର, ବଜାଜ ଚେତକର ମାଲିକ ହେବା । ଆଜି ୪୦ ବର୍ଷ ବୟସର ଲୋକଙ୍କର ଏକ ପୁରା ପିଢ଼ି ଅଛି, ଯେଉଁମାନେ ନିଜ ବାପାଙ୍କ ବଜାଜ ଚେତକ ସ୍କୁଟରର ଫୁଟଷ୍ଟାଣ୍ଡରେ ଠିଆ ହୋଇ ସ୍କୁଲକୁ ଯିବା ମନେ ରଖିଛନ୍ତି ।
1972 ରେ ଲଞ୍ଚ୍ ହୋଇଥିବା ବଜାଜ ଚେତକ ସମସ୍ତଙ୍କୁ ଆକର୍ଷିତ କରିଥିଲା, ଯାହା ଏପରି ଏକ ବଜାରରେ ଲଞ୍ଚ୍ ହୋଇଥିଲା, ଯାହା କେବଳ ଆମଦାନୀ ହୋଇଥିବା ଭେସ୍ପା ଓ ଲାମ୍ବ୍ରେଟାସ୍ (ଏହା ମଧ୍ୟ ବଜାଜ ଅଟୋ ଦ୍ୱାରା ଭାରତକୁ ଅଣାଯାଇଥିଲା) କୁ ଜାଣିଥିଲା । ଏହାକୁ ଭେସ୍ପା ସ୍ପ୍ରିଣ୍ଟ ମୋଡେଲରେ ଡିଜାଇନ କରାଯାଇଥିଲା, କିନ୍ତୁ ଏହାକୁ ମହାରାଣା ପ୍ରତାପଙ୍କ ବିଶ୍ୱସ୍ତ ଘୋଡ଼ା ଚେତକର ନାମରେ ନାମିତ କରାଯାଇଥିଲା । ସେତେବେଳେ ସ୍କୁଟର ଯେ ନୂଆ ଥଲା, ସେପରି ନୁହେଁ, କିନ୍ତୁ କଥା ହେଲା- ଏହି ସ୍କୁଟର ବଜାରରେ ଏକ ନୂଆ ରୋମାଞ୍ଚ ଆଣିଥିଲା । ଚାହିଦା ଯୋଗାଣଠାରୁ କାହିଁ କେତେ ଅଧିକ ଥିଲା ।

କିନ୍ତୁ, ଏହା ‘ଲାଇସେନ୍ସ ରାଜ୍’ ର ସମୟ ହୋଇଥିବାରୁ ବଜାଜ ଅଟୋ ସେତେବେଳର ଚାହିଦାକୁ ପୂରଣ କରିବାକୁ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ସ୍ୱତନ୍ତ୍ର ନ ଥିଲା । ଏହାର ଅର୍ଥ ଥିଲା, ମୂଲ୍ୟ ଦୁଇ ଗୁଣ ହୋଇଗଲା ଏବଂ ଶୀଘ୍ର, ଏକ ନୂତନ ବଜାଜ ଚେତକ ପାଇଁ ଅପେକ୍ଷା ଅବଧି ୧୦ ବର୍ଷ ଲମ୍ବା ହୋଇଗଲା । କିନ୍ତୁ ଲୋକମାନେ ଅପେକ୍ଷା କଲେ, କାରଣ ସେମାନେ ଜାଣିଥିଲେ ଯେ ଚେତକ ଅପେକ୍ଷା କରିବାର ଯୋଗ୍ୟ ଥିଲା । ଏହା ସୁଲଭ ଥିଲା, ମଜବୁତ ଥିଲା ଏବଂ କିକ୍ ମାରିବା ମାତ୍ରକେ ଷ୍ଟାର୍ଟ ହେଉଥିଲା । କେହି ବି ଏହାକୁ ଠିକ୍ କରିପାରୁଥିଲେ । ଏହା ଛଡ଼ା, ମାଇଲେଜ୍ ବହୁତ ଭଲ ଥିଲା । ସଂକ୍ଷେପରେ, ଏହା ନିଜ ସତ୍ୟନିଷ୍ଠା ପାଇଁ ପରିଚିତ କମ୍ପାନୀର ଏକ ଉଚ୍ଚ ଗୁଣବତ୍ତାର ଉତ୍ପାଦ ଥିଲା ।
ଏହା ବଜାଜ ଅଟୋର ସେପର୍ଯ୍ୟନ୍ତର ସବୁଠାରୁ ବଡ଼ ସଫଳତା ଥିଲା ସତ, କିନ୍ତୁ ବଜାରରେ ଏକ ଚହଳ ସୃଷ୍ଟି କରିବାରେ ଏହା ପ୍ରଥମ ଥର ନ ଥିଲା । ଭାରତରେ ଦୁଇ ଓ ତିନି ଚକିଆ ଯାନର ବିପ୍ଳବର ଶ୍ରେୟ କେବଳ ବଜାଜ ଅଟୋକୁ ଦିଆଯାଇପାରେ । 1948 ରେ ସେମାନେ ଆମଦାନୀ ହେଉଥିବା ଯାନଗୁଡ଼ିକର ବିକ୍ରୟ ସହ ଆରମ୍ଭ କରିଥିଲେ ଏବଂ 1959 ସୁଦ୍ଧା ଦୁଇ ଓ ତିନି ଚକିଆ ଯାନ ଉତ୍ପାଦନ କରିବାର ଦକ୍ଷତା ହାସଲ କରିଥିଲେ । ସେମାନଙ୍କର ସଫଳତା ସେମାନଙ୍କୁ ୧୯୬୦ ଦଶକ ପର୍ଯ୍ୟନ୍ତ ପ୍ରେରିତ କଲା, ଯେତେବେଳେ ସେମାନେ ଏକ ପବ୍ଲିକ ଲିମିଟେଡ କମ୍ପାନୀ ହୋଇଗଲେ । ଆଉ, ଗୋଟିଏ ଦଶନ୍ଧି ପରେ, ୧୯୭୦ ରେ, ସେମାନେ ନିଜ ୧,୦୦,୦୦୦ ତମ ଯାନ ବିକ୍ରି କଲେ । 1977 ରେ ଯେତେବେଳେ ବସଗୁଡ଼ିକରେ ଅତ୍ୟନ୍ତ ଭିଡ଼ ହେଉଥିଲା, ରିଅର ଇଞ୍ଜିନ ବିଶିଷ୍ଟ ଅଟୋ-ରିକ୍ସା ଏକ ଆରାମଦାୟକ ବିକଳ୍ପ ପ୍ରଦାନ କରିଥିଲା, ଏବଂ ହଠାତ୍, ମହିଳାମାନଙ୍କ ପାଇଁ କଲେଜ ଯିବା, କାମ କରିବା କିମ୍ବା ପିଲାଙ୍କୁ ନିଜେ ସ୍କୁଲକୁ ନେଇଯିବା ନିରାପଦ ଥିଲା ।
ତା'ପରେ ୧୯୯୧ ରେ ପ୍ରତିବନ୍ଧକଗୁଡ଼ିକ ହଟିଲା । ବଜାଜ ଅଟୋ ସୁଲଭ ମୂଲ୍ୟରେ ଉଚ୍ଚ ଗୁଣବତ୍ତା, ଦୀର୍ଘସ୍ଥାୟୀ, ନିର୍ଭରଯୋଗ୍ୟ ଯାନ ଯୋଗାଇବାର ନିଜ ମୂଳ ଆଧାରରେ ଲାଗି ରହି ଆନ୍ତର୍ଜାତୀୟ ପ୍ରତିଯୋଗିତାର ଝଡ଼କୁ ମୁକାବିଲା କରିଥିଲା । ଆଜି ବଜାଜ ଅଟୋ ଭାରତୀୟ ଅଟୋମୋବାଇଲ ରପ୍ତାନି ର ନେତୃତ୍ୱ କରିବା ଜାରି ରଖିଛି, ଯାହା ୧୧,୮୪୫ କୋଟି ଟଙ୍କାର କାରବାର କରିବା ସହିତ ଦେଶର ଦୁଇ ଓ ତିନି ଚକିଆ ଯାନଗୁଡ଼ିକର ରପ୍ତାନିରେ ୫୦ ପ୍ରତିଶତରୁ ଅଧିକ ଯୋଗଦାନ କରୁଛି । 2019-20 ଆର୍ଥିକ ବର୍ଷରେ ବଜାଜ ଅଟୋର ଉତ୍ପାଦନର 47 ପ୍ରତିଶତ 79 ରୁ ଅଧିକ ଦେଶକୁ ରପ୍ତାନି କରାଯାଇଥିଲା ।
ଅନେକ ଦୃଷ୍ଟିକୋଣରୁ, ବଜାଜ ଅଟୋର କାହାଣୀ ଏବଂ ଭାରତୀୟ ଉଦ୍ୟୋଗ ଜଗତର ବିକାଶର କାହାଣୀ ମଧ୍ୟରେ ସମାନତା ରହିଛି । ଉଭୟ ନିଜ ନିଜ ବିରୁଦ୍ଧରେ ଠିଆ ହୋଇଥିବା ବାଧାଗୁଡ଼ିକରୁ ଆରମ୍ଭ କରିଥିଲେ ଏବଂ ପ୍ରତିଟି ଛୋଟ ବିଜୟ ପାଇଁ ଉଭୟକୁ ଲମ୍ୱା ଓ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା, ଉଭୟକୁ ସାମର୍ଥ୍ୟ ବଢ଼ାଇବାକୁ ପଡ଼ିଥିଲା ଏବଂ ଲଗାତାର ବଦଳୁଥିବା ପରିସ୍ଥିତିରେ ଖାପ ଖୁଆଇବାକୁ ପଡ଼ିଥିଲା ଏବଂ ଏହି କାରଣରୁ ଉଭୟ ମଜବୁତ ହୋଇ ଉଭା ହୋଇଛନ୍ତି ।
‘ଲାଇସେନ୍ସ ରାଜ୍’ ର ଶେଷ ପର୍ଯ୍ୟନ୍ତ ବଞ୍ଚି ରହିଥିବା ଅଳ୍ପ କିଛି ସ୍ୱଦେଶୀ ଭାରତୀୟ କମ୍ପାନୀଗୁଡ଼ିକ ମଧ୍ୟରୁ ବଜାଜ ଅଟୋ ଅନ୍ୟତମ । ଏହାର ଆଉ ଏକ କାରଣ ହେଉଛି, ସେମାନେ ଲଗାତାର ନିଜକୁ ପୁଣିଥରେ ଗଢ଼ିବାର ଏବଂ ନିଜକୁ ସର୍ବଦା ଆହୁରି ଅଧିକ ଉଚ୍ଚତାକୁ ନେଇଯିବାର କ୍ଷମତା ରଖନ୍ତି । କିନ୍ତୁ, ବଜାଜ ଅଟୋର ଉତ୍ପାଦଗୁଡ଼ିକ ସର୍ବଦା ଗୁଣବତ୍ତା ଉପରେ କେନ୍ଦ୍ରିତ: ଗୁଣବତ୍ତାପୂର୍ଣ୍ଣ ଉତ୍ପାଦ, ଗୁଣବତ୍ତାପୂର୍ଣ୍ଣ ସେବା ଏବଂ ଅତୁଟ ସତ୍ୟନିଷ୍ଠା ।
ଏହି ମଜବୁତ୍ ଆଧାରକୁ ନିର୍ମାଣ କରିବାରେ ବଜାଜ ଅଟୋକୁ 90 ଦଶକର ଶେଷ ଭାଗରେ ସେତେବେଳର ଅର୍ଥନୈତିକ ଦୃଶ୍ୟପଟ୍ଟରୁ ବହୁତ ସାହାଯ୍ୟ ମିଳିଥିଲା, ଯେତେବେଳେ ଐତିହାସିକ ଉଦାରୀକରଣର (ପ୍ରତିବନ୍ଧକ ହଟାଇବା) ପ୍ରୟାସ ପରେ, ଭାରତକୁ ସର୍ବୋଚ୍ଚ ଆନ୍ତର୍ଜାତୀୟ ଗୁଣବତ୍ତା ମାନକଗୁଡ଼ିକୁ ପାଳନ କରିବା ପାଇଁ ଏକ ବ୍ୟବସ୍ଥା ବିକାଶ କରିବାର ଥିଲା, ଯାହା ବିଶ୍ୱ ସ୍ତରରେ ବହୁଳ ଭାବରେ ଗ୍ରହଣୀୟ ହୋଇଥାନ୍ତା । 1996 ରେ, କ୍ୱାଲିଟି କାଉନସିଲ ଅଫ୍ ଇଣ୍ଡିଆ (QCI) ଗଠନ କରିବାର ନିଷ୍ପତ୍ତି ନିଆଯାଇଥିଲା, ଏବଂ ଭାରତ ସରକାର (GOI) QCIକୁ ଏକ ସଂଗଠନ ଭାବରେ ଗଢ଼ିବା ପାଇଁ ତିନୋଟି ଅଗ୍ରଣୀ ଶିଳ୍ପ ଚାମ୍ବର, ASSOCHAM, FICCI ଓ CII ସହିତ ମିଶି କାମ କରିଥିଲା ।
ଭାରତୀୟ କମ୍ପାନୀଗୁଡ଼ିକ ପାଇଁ ଏହା ସବୁଠାରୁ ଉତ୍ତମ ସମୟ ଥିଲା, ଯେଉଁମାନେ ପ୍ରଥମ ଥର ପାଇଁ ଆନ୍ତର୍ଜାତୀୟ କମ୍ପାନୀଗୁଡ଼ିକଠାରୁ ପ୍ରତିଯୋଗିତାମୂଳକ ଆକ୍ରମଣର ସାମନା କରୁଥିଲେ । ସ୍ୱଦେଶୀ କମ୍ପାନୀଗୁଡ଼ିକୁ ପ୍ରତିଦ୍ୱନ୍ଦ୍ୱିତାମୂଳକ ହେବା ସହିତ ଗୁଣବତ୍ତା ଓ ଦକ୍ଷତାର ଆନ୍ତର୍ଜାତୀୟ ମାନକଗୁଡ଼ିକୁ ଶିଖିବା ଏବଂ ଆପଣାଇବାର ଆବଶ୍ୟକ ଥିଲା । ଖର୍ଚ୍ଚ ପ୍ରତି ସଚେତନ ଥିବା ଭାରତୀୟ ଉପଭୋକ୍ତାର ସାମନାରେ ହଠାତ୍ ଅନେକ ବିକଳ୍ପ ଆସିଯାଇଥିଲା ଏବଂ ସତେ ଯେପରି ସେ ନିଜ ୱାଲେଟ୍ ମାଧ୍ୟମରେ ଭୋଟିଂ କରୁଥିଲା । ଏହି ମନ୍ଥନରୁ ବଞ୍ଚିଥିବା ଭାରତୀୟ କମ୍ପାନୀଗୁଡ଼ିକ ନା କେବଳ ଦ୍ରୁତ ଗତିରେ ବଦଳୁଥିବା ଗ୍ରାହକଙ୍କ ପସନ୍ଦ ଅନୁସାରେ ଖାପ ଖୁଆଇଥିଲେ, ବରଂ ଗୁଣବତ୍ତା ମାମଲାରେ ମଧ୍ୟ ଉତ୍କୃଷ୍ଟ ପ୍ରଦର୍ଶନ କରିଥିଲେ ।
QCI ଗତ 25 ବର୍ଷ ଧରି ଆମେ କିଣୁଥିବା ସାମଗ୍ରୀଗୁଡ଼ିକର ଗୁଣବତ୍ତା ମାନକଗୁଡ଼ିକୁ ସୁନିଶ୍ଚିତ କରି ଏବଂ ଅନେକ କ୍ଷେତ୍ରରେ ଉତ୍ପାଦଗୁଡ଼ିକର ପ୍ରମାଣିକରଣ କରି ଭାରତରେ ଗୁଣବତ୍ତା ଆନ୍ଦୋଳନକୁ ଆକାର ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଢାଞ୍ଚାର ନିର୍ମାଣ କରି ଏବଂ ଭାରତୀୟ ସଂସ୍ଥାଗୁଡ଼ିକ ଆବଶ୍ୟକ କରୁଥିବା ସମ୍ବଳ ପ୍ରଦାନ କରି, QCI ସେଗୁଡ଼ିକ ପାଇଁ ଗୁଣବତ୍ତା, ଅଖଣ୍ଡତା ଓ ଉପଭୋକ୍ତା କେନ୍ଦ୍ରୀକରଣ ପାଇଁ ନୂଆ ମାନଦଣ୍ଡ ସ୍ଥାପିତ କରିବାରେ ସାହାଯ୍ୟ କରିଛି ।
ଭାରତର ଗୁଣବତ୍ତା ଆନ୍ଦୋଳନ, ‘ଗୁଣବତ୍ତା ସେ ଆତ୍ମନିର୍ଭରତା’, ଭାରତୀୟ ବ୍ୟବସାୟଗୁଡ଼ିକୁ ସେଗୁଡ଼ିକର ଗୁଣବତ୍ତାକୁ ଅଧିକରୁ ଅଧିକ ବୃଦ୍ଧି କରିବା, ପ୍ରତିଦ୍ୱନ୍ଦ୍ୱିତାକୁ ଆହୁରି ଉନ୍ନତ କରିବା ଏବଂ ଗ୍ରାହକମାନଙ୍କ ବିଶ୍ୱାସକୁ ଅଧିକରୁ ଅଧିକ ଜିତିବାରେ ସାହାଯ୍ୟ କରିବା ଜାରି ରଖିଛି, ଯାହାଦ୍ୱାରା ସେଗୁଡ଼ିକ ବିଶ୍ୱ ବଜାରରେ ସଫଳ ହେବା ପାଇଁ ସ୍ଥାନ ପାଇପାରିବେ । ଭାରତର ବିକାଶଶୀଳ ଉତ୍ପାଦନ ସେକ୍ଟର, ବ୍ୟବସାୟରେ ସହଜତା ଏବଂ ବଢୁଥିବା ଭିତ୍ତିଭୂମି ସହିତ ଏହା ଦେଖିବା ରୋମାଞ୍ଚକର ହେବ ଯେ ଆମର କେତୋଟି କମ୍ପାନୀ ଘରେ ଘରେ ପରିଚିତ ହେବାର ଚ୍ୟାଲେଞ୍ଜକୁ ସ୍ୱୀକାର କରିବେ, ନା କେବଳ ପରିଚିତ ଅଞ୍ଚଳରେ, ବରଂ ସମଗ୍ର ବିଶ୍ୱରେ ।QCI, ଭାରତର ‘ଗୁଣବତ୍ତା ସେ ଆତ୍ମନିର୍ଭରତା’ ପଦକ୍ଷେପ ଏବଂ ଏହା ଆମ ଜୀବନକୁ କିଭଳି ଭାବେ ପ୍ରଭାବିତ କରିଛି, ସେବିଷୟରେ ଅଧିକ ଜାଣିବା ପାଇଁ https://www.news18.com/qci/ କୁ ଯାଆନ୍ତୁ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।