କର୍ଣ୍ଣାଟକରେ ଜମୁଛି ନିର୍ବାଚନୀ ପ୍ରଚାର: ହିନ୍ଦୁ କାର୍ଡ ଖେଳିଲେ ଯୋଗୀ ଆଦିତ୍ୟନାଥ

ପରିବର୍ତ୍ତନର ନାରା ଦେଲେ ପ୍ରିୟଙ୍କା ଗାନ୍ଧି । କୁମାରସ୍ବାମୀଙ୍କ "କିଙ୍ଗ୍ ମେକର ନୁହଁ କିଙ୍ଗ" ସ୍ଲୋଗାନ୍ ।

କର୍ଣ୍ଣାଟକରେ ଜମୁଛି ନିର୍ବାଚନୀ ପ୍ରଚାର: ହିନ୍ଦୁ କାର୍ଡ ଖେଳିଲେ ଯୋଗୀ ଆଦିତ୍ୟନାଥ

କର୍ଣ୍ଣାଟକରେ ଜମୁଛି ନିର୍ବାଚନୀ ପ୍ରଚାର: ହିନ୍ଦୁ କାର୍ଡ ଖେଳିଲେ ଯୋଗୀ ଆଦିତ୍ୟନାଥ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

Karnataka election: କର୍ଣ୍ଣାଟକରେ ହାଇ ପ୍ରୋଫାଇଲ କ୍ୟାମ୍ପେନ । ବିଜେପି ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (Yogi adityanath) । କର୍ଣ୍ଣାଟକକୁ ମହାପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଭକ୍ତ ହନୁମାନଙ୍କ ଜନ୍ମଭୂମି କହି ହିନ୍ଦୁକାର୍ଡ ଖେଳିଛନ୍ତି ଯୋଗୀ । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି (Priyanka gandhi) ନିଜକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ନାତୁଣୀର ପରିଚୟ ଦେଇ କର୍ଣ୍ଣାଟକରେ ପରିବର୍ତ୍ତନର ନାରା ଦେଇଛନ୍ତି । ବିଜେପି ଏବଂ କଂଗ୍ରେସ ମଧ୍ଯରେ ରାଜନୈତିକ ଯୁଦ୍ଧ ଜୋର ଧରିଥିବା ବେଳେ, କୁମାରସ୍ବାମୀଙ୍କ ଦାବି, ଜେଡିଏସ୍ ଏଥର କିଙ୍ଗ ମେକର ନୁହେଁ, ବରଂ କିଙ୍ଗ୍ ହିଁ ହେବ।

କର୍ଣ୍ଣାଟକ ନିର୍ବାଚନ ଯେତେ ପାଖଉଛି, ରାଜ୍ୟ ରାଜନୈତିକ ପାଣିପାଗ ସେତେ ଉଷ୍ମ ହେଉଛି। ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି ସବୁଦଳର ହେବିୱେଟ ନେତା। କେନ୍ଦ୍ର ମନ୍ତ୍ରୀ ଅମିତ ଶାହଙ୍କ ପରେ ବିଜେପି ପାଇଁ ପ୍ରଚାର କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାଣ ଏବଂ କଲିଉଡ୍ ଷ୍ଟାର ସୁଦୀପ। ଯୋଗୀ, ମାଣ୍ଡ୍ୟାରେ ରୋଡ୍ ସୋ କରିବା ସହ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଛନ୍ତି । ଯୋଗୀ, ବିରୋଧୀ କଂଗ୍ରେସ ଏବଂ ଜେଡିଏସକୁ କଡ଼ା ସମାଲୋଚନା କରିବା ସହ ହିନ୍ଦୁ କାର୍ଡ ଖେଳିଛନ୍ତି । ଯୋଗୀ କହିଛନ୍ତି ଯେ, ମର୍ଯ୍ଯାଦାପୁରୁଷ ଶ୍ରୀରାମଚନ୍ଦ୍ରଙ୍କ ପରମ ଭକ୍ତ ବୀର ହନୁମାନଙ୍କ ଜନ୍ମଭୂମି କର୍ଣ୍ଣାଟକ। ସେ କଂଗ୍ରେସ ସହ ବିଛିନ୍ନତାବାଦୀ ସଂଗଠନ PFI କୁ ଯୋଡ଼ିଛନ୍ତି।

କଂଗ୍ରେସ ପାଇଁ ପ୍ରଚାର କରିଛନ୍ତି ପ୍ରିୟଙ୍କା ଗାନ୍ଧି ଭଦ୍ରା । ଶ୍ରୀଙ୍ଗେରି ନିର୍ବାଚନୀ ସଭାକୁ ସମ୍ବୋଧିତ କରି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ନିଜ ଜେଜେ ମାଆ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ କଥା ମନେ ପକାଇଛନ୍ତି ପ୍ରିୟଙ୍କା । ସେ କହିଛନ୍ତି ଯେ, ଗତ ସାଢ଼େ ତିନି ବର୍ଷର ବିଜେପି ସରକାର ଦୁର୍ନୀତିରେ ବୁଡ଼ି ରହିଛି। ଏବେ ପରିବର୍ତ୍ତନର ସମୟ ଆସିଛି । କଂଗ୍ରେସକୁ କ୍ଷମତାକୁ ଆଣିବା ଜରୁରୀ ବୋଲି ସେ ଆହ୍ବାନ ଦେଇଛନ୍ତି।

ପ୍ରଚାର ପୂର୍ବରୁ ମହୀଶୂରରେ ସାଉଥ ଇଣ୍ଡିଆନ ରେସ୍ତୋରାଁରେ ଜଳଖିଆ କରିଥିଲେ ପ୍ରିୟଙ୍କା । ପ୍ରିୟଙ୍କା ନିଜେ ଦୋଷା ପ୍ରସ୍ତୁତି ମଧ୍ଯ କରିଥିଲେ। ପ୍ରିୟଙ୍କାଙ୍କ ସହ ସାଥିରେ ଥିଲେ କର୍ଣ୍ଣାଟକ ପିସିସି ସଭାପତି ଶିବକୁମାର। ଗଣ ମାଧ୍ୟମ ପ୍ରଶ୍ନର ଉତ୍ତରରେ ପ୍ରିୟଙ୍କା କହିଥିଲେ ଯେ, ରାଜ୍ୟରେ ବିକାଶ ଏବଂ ପ୍ରଗତି ପାଇଁ ଦୁର୍ନୀତି ମୁକ୍ତ ସରକାର ଗଠନ ଜରୁରୀ।

ଚଳିତ ନିର୍ବାଚନରେ ସୋଲୋ ଫାଇଟକୁ ଓହ୍ଲାଇଛନ୍ତି ବିଜେପି, କଂଗ୍ରେସ ଏବଂ ଜେଡିଏସ । ବିଜେପି ଏବଂ କଂଗ୍ରେସ ମଧ୍ଯରେ ମୁଖ୍ୟତଃ ଲଢ଼େଇ ହେଉଥିବା ବେଳେ, ନିର୍ଣ୍ଣାୟକ ଭୂମିକା ନେଇପାରେ ଏଚ. ଡି. କୁମାରସ୍ବାମୀଙ୍କ ଜେଡିଏସ । ପୁରୁଣା ମହୀଶୂର, ମାଣ୍ଡ୍ୟା, ହାସନ ଏବଂ ବେଙ୍ଗଳୁରୁରେ ଜେଡିଏସର ରହିଛି ପ୍ରଭାବ । ୩୦ରୁ ୪୦ ଆସନ, ଜେଡିଏସର ଗଡ଼ ଭାବେ ଜଣାଶୁଣା । ନିର୍ବାଚନ ପୂର୍ବରୁ ଦଳ ପକ୍ଷରୁ ବାହାର କରାଇଥିବା ପଞ୍ଚରତ୍ନ ଯାତ୍ରା ୭୮ ନିର୍ବାଚନ ମଣ୍ଡଳୀ ପରିକ୍ରମା କରିଥିଲା । ଏଥର ଦଳ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଗୌଡ଼ା ପରିବାରର ତିନି ପିଢି। ଦଳର ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେ ଗୌଡ଼ା, ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ବାମୀ ଏବଂ ନିଖିଲ ଗୌଡ଼ା । କୁମାର ସ୍ବାମୀଙ୍କ ପ୍ରତିକ୍ରିୟା, ଚଳିତ ନିର୍ବାଚନରେ ଜେଡିଏସ କିଙ୍ଗ୍ ମେକର ନୁହେଁ, କିଙ୍ଗ୍ ହେବ।

କର୍ଣ୍ଣାଟକରେ ଇତିହାସ ସୃଷ୍ଟି କରିବାକୁ ଆଶା ବାନ୍ଧିଛି ବିଜେପି । ତେବେ ନେତୃତ୍ବକୁ ନେଇ ଦଳ ଭିତରେ ଏବେ ବି ଦୂର ହୋଇନାହିଁ ଦ୍ବନ୍ଦ୍ବ। ୟେଦିୟୁରପ୍ପା ଏବଂ ବୋମାଇଙ୍କ ପରେ, ଏହି ଦୌଡ଼ରେ ସାମିଲ ହୋଇଛନ୍ତି ସିଟି ରବି। ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେ. ଏସ୍. ଈଶ୍ବରପ୍ପାଙ୍କ ଟୀପ୍ପଣୀ ବିଜେପିରେ ଫାଟ ସୃଷ୍ଟି କରିଥିବା ବେଳେ, ପ୍ୟାଚ୍ ପକାଇବାକୁ ଉଦ୍ୟମ କରିଛନ୍ତି ରବି । ତାଙ୍କ କହିବା କଥା, ଲୋକେ ଚାହିଁଲେ ସବୁ କିଛି ସମ୍ଭବ। ତେବେ ଏଥର ନୁହେଁ।

ଲିଙ୍ଗାୟତ ହାତେଇବାକୁ ପୁରା ବଳ ଖଟାଇ ଦେଇଛନ୍ତି ଉଭୟ ବିଜେପି ଏବଂ କଂଗ୍ରେସ । ବିଜେପିର ଗଡ଼ କୁହାଯାଉଥିବା ହୁବଲିରେ ମୁହାଁମୁହିଁ ହୋଇଛନ୍ତି, ଦୁଇ ପ୍ରମୁଖ ଲିଙ୍ଗାୟତ ନେତା ୟେଦିୟୁରପ୍ପା ଏବଂ ଜଗଦୀଶ ସେଟ୍ଟାର। ଉଭୟ ବିଜେପିରୁ ମୁଖ୍ୟମନ୍ତ୍ରୀ ରହି ଆସିଥିବା ବେଳେ, ସେଟ୍ଟାର ବିଜେପି ଛାଡ଼ି , ଏବେ କଂଗ୍ରେସ କ୍ୟାମ୍ପରେ। ହୁବଲି ଧରୱାର୍ଡ ସେଣ୍ଟ୍ରାଲ ସିଟରୁ ଏଥର କଂଗ୍ରେସ ଟିକେଟରେ ଲଢୁଛନ୍ତି ସେଟ୍ଟାର। ପୂର୍ବରୁ ଛଅ ଥର ବିଧାୟକ ରହିଆସିଥିବା ସେଟ୍ଟାର, ସପ୍ତମ ଥର ପୂର୍ବ ଅପେକ୍ଷା ଅଧିକ ଭୋଟ୍ ରେ ଜିତିବେ ବୋଲି ଦାବି କରୁଥିବା ବେଳେ, ସେଟ୍ଟାରଙ୍କୁ ଭୋଟ ନଦେବାକୁ ଲିଙ୍ଗାୟତ ସମୂଦାୟକୁ ଆହ୍ବାନ ଦେଇଛନ୍ତି ୟେଦି। ସେଟ୍ଟାରଙ୍କ ବିରୋଧରେ ବିଜେପି ଟିକେଟରେ ଲଢୁଥିବା ମହେଶ ତେଙ୍ଗିନାକାୟୀଙ୍କ ସପକ୍ଷରେ ସେ ପ୍ରଚାର କରିଛନ୍ତି। ଜବାବରେ ସେଟ୍ଟାର କହିଛନ୍ତି ୟେଦିଙ୍କ ଟାର୍ଗେଟ ତାଙ୍କ ପାଇଁ ବଡ଼ ଆଶୀର୍ବାଦ।

ମେଗା କ୍ୟାମ୍ପେନକୁ ନେଇ ଉଠୁଛି ପଡ଼ୁଛି କର୍ଣ୍ଣାଟକ । ଏପ୍ରିଲ ୨୯ରେ ପ୍ରଚାର ମୈଦାନକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ବେଲଗାଭି, କୁଡାଚି, ଚିକୋଡ଼ି, କିଟୁର ଏବଂ ଉତ୍ତର କର୍ଣ୍ଣାଟକରେ ରୋଡ୍ ସୋ ଏବଂରାଲି ସହିତ ବିଜେପି ପାଇଁ ମାରାଥନ ପ୍ରଚାର କରିବେ। ପ୍ରଧାନମନ୍ତ୍ରୀ ମେ ୩ ତାରିଖରେ ମଧ୍ଯ କର୍ଣ୍ଣାଟକରେ ବିଜେପି ପାଇଁ ପ୍ରଚାର କରିବେ।... ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ମେ ୧୦ରେ ଭୋଟ୍ ଗ୍ରହଣ ଏବଂ ମେ ୧୩ରେ ଫଳାଫଳ ପ୍ରକାଶ ପାଇବ।



ଏହି ଖବର ପଢ଼ନ୍ତୁ -  ବାତ୍ୟା ଭୟ ! ପାଣିପାଗ ବିଭାଗ ପକ୍ଷରୁ ବଡ଼ ଖବର
Published by:Soubhagya Mishra
First published: