ଏକନାଥ ସିନ୍ଦେ (ପ୍ରତୀକାତ୍ମକ ଛବି)
News18 Odia Digital
ମହାରାଷ୍ଟ୍ରର ଶିବସେନା ଦଳ ମଧ୍ୟରେ ଉତ୍ତେଜନା ପରେ ମହା ବିକାଶ ଆଘାଡ଼ି (MVA) ସରକାର ଉପରେ ବିପଦ ଘନେଇବାରେ ଲାଗିଛି। ମହାରାଷ୍ଟ୍ରରୁ ଗୁଜୁରାଟର ସୁରଟରେ ଡେରା ପକାଇଥିବା ୩୩ ଜଣ ବିଧାୟକ ଓ ୭ ଜଣ ସ୍ୱାଧୀନ ବିଧାୟକ ସହ ଏକନାଥ ସିନ୍ଦେ ଗୌହାଟୀରେ ପହଞ୍ଚିଛନ୍ତି। ଗୌହାଟୀରେ ପହଞ୍ଚିବା ପରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ଏକନାଥ ସିନ୍ଦେ କହିଛନ୍ତି ଯେ ଆମର ୪୦ ଜଣ ବିଧାୟକ ଅଛନ୍ତି। ଅନ୍ୟପକ୍ଷରେ, ସିଏମ୍ ଉଦ୍ଧବ ଠାକରେ ଆଜି ଅପରାହ୍ନ ୧ ଟାରେ କ୍ୟାବିନେଟ୍ ବୈଠକ ଡାକିଛନ୍ତି।
ମହାରାଷ୍ଟ୍ରର କ୍ୟାବିନେଟ୍ ମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଶିବସେନାର ୪୦ଜଣ ବିଦ୍ରୋହୀ ବିଧାୟକ ଗତ ପାହାନ୍ତାରେ ଗୁଜରାଟର ସୁରତସ୍ଥିତ ହୋଟେଲ୍ରୁ ବାହାରି ବିମାନ ଯୋଗେ ଆସାମର ଗୌହାଟୀ ଅଭିମୁଖେ ଯାତ୍ରା କରିଥିଲେ।
ବିଦ୍ରୋହୀ ବିଧାୟକମାନଙ୍କୁ ପାହାନ୍ତା ସମୟରେ ବିଳାସମୟ ବସରେ ବସାଇ ବିମାନ ବନ୍ଦରକୁ ନିଆଯାଇଥିଲା। ସେଠାରୁ ସେମାନେ ଅନ୍ୟତମ ବିଜେପି ଶାସିତ ରାଜ୍ୟ ଆସାମ ଅଭିମୁଖେ ବିମାନ ଯାତ୍ରା କରିଥିଲେ।
ସୁରତ ବିମାନ ବନ୍ଦରରେ ଏକନାଥ ସିନ୍ଦେ ସାମ୍ବାଦିକମାନଙ୍କୁ କହିଛନ୍ତି, ଆମେ ବାଲାସାବେହ ଠାକରେଙ୍କ ଶିବସେନା ପରିତ୍ୟାଗ କରିନାହୁଁ, କି କରିବୁ ନାହିଁ। ଆମେ ବାଲାସାହେବଙ୍କ ହିନ୍ଦୁତ୍ବ ମାନି ଚଳୁଛୁ ଓ ଏହି ଧାରାକୁ ଅଗ୍ରସର କରାଇବୁ।
ହୋଟେଲ୍ରେ ବିଦ୍ରୋହୀମାନଙ୍କ ସହିତ ଆଲୋଚନା କରିବା ଲାଗି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଶିବସେନା ନେତା ମିଲିନ୍ଦ ନରୱେକର୍ ଏବଂ ରବୀନ୍ଦ୍ର ପାଠକଙ୍କୁ ପଠାଇବାର କିଛି ସମୟ ପରେ ଉପରୋକ୍ତ ବିଦ୍ରୋହୀ ବିଧାୟକମାନଙ୍କୁ ଗୌହାଟୀ ନିଆଯାଇଛି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।