ଅନିଲ ଦେଶମୁଖଙ୍କ ଘରେ ଇଡିର ଚଢ଼ାଉ
News18 Odia Digital
ମୁମ୍ବାଇ: ସମସ୍ୟା ଘେରରେ ମହାରାଷ୍ଟ୍ରର ପୂର୍ବତନ ଗୃହ ମନ୍ତ୍ରୀ ତଥା ଏନସିପି ନେତା ଅନିଲ ଦେଶମୁଖ । କାରଣ ତାଙ୍କ ପରିସରରେ ପୁଣି ଥରେ ଇନଫୋର୍ସମେଣ୍ଟ ନିର୍ଦ୍ଦେଶଳୟ (ଇଡି) ଚଢ଼ାଉ କରିଛନ୍ତି। ୧୦୦ କୋଟି ଟଙ୍କା ଲାଞ୍ଚ ନେଇଥିବା ଅର୍ଥ ହେରଫେର ମାମଲା ((Money Laundering)ରେ ଦେଶମୁଖଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । । ନାଗପୁର ଠାରୁ ୧୦୦ କି.ମି ଦୂରରେ ଅବସ୍ଥିତ ଅନିଲଙ୍କ ୱଡ଼ବୀରା ଗାଁ ଘରେ ମଧ୍ୟ ଇଡି ଚଢ଼ାଉ କରିଛନ୍ତି । ସୂତ୍ର ଅନୁସାରେ, କେନ୍ଦ୍ର ଏଜେନ୍ସିର ଚାରୋଟି ଟିମ୍ ଏନସିପି ନେତାଙ୍କ ଦ୍ବାରା ଚାଳିତ ହେଉଥିବା ଟ୍ରେଷ୍ଟ ଉପରେ ଧ୍ୟାନ ଦେଇ ଏହି ଚଢ଼ାଉ କରିଛନ୍ତି।
ପୂର୍ବରୁ ଇଡି ଅନିଲଙ୍କୁ ତିନୋଟି ସମନ ପଠାଇଥିଲେ କିନ୍ତୁ ସେ ପଚରାଉଚରା ପାଇଁ ହାଜର ହୋଇନଥିଲେ । ପରେ ସେ ଆଇନଗତ ସୁରକ୍ଷା ପାଇଁ ସୁପ୍ରିମ କୋର୍ଟରେ ଏକ ପିଟିସନ୍ ଦାଖଲ କରିଥିଲେ । ଯାହାର ଶୁଣାଣି ଏଯାବତ୍ ହୋଇନାହିଁ । ଇଡି ମଧ୍ୟ ଦେଶମୁଖଙ୍କ ପୁଅ ଋଷିକେଶ ଏବଂ ପତ୍ନୀଙ୍କୁ ସମନ ପଠାଇଥିଲେ । ଦୁହେଁ ମଧ୍ୟ ଅନୁସନ୍ଧାନକାରୀ ଏଜେନ୍ସି ଅଫିସରେ ହାଜର ହୋଇନଥିଲେ ।
ଏହା ପୂର୍ବରୁ ଇଡି ନିକଟରେ ଅନିଲ ଓ ତାଙ୍କ ପରିବାରର ୪.୨୦ କୋଟିର ସମ୍ପତ୍ତିକୁ ଜବତ କରିଥିଲେ । ଏଥିରେ ମୁମ୍ବାଇରେ ୱର୍ଲୀରେ ଅବସ୍ଥିତ ତାଙ୍କ ଘର ମଧ୍ୟ ଅନ୍ତର୍ଭୁକ୍ତ ଥିଲା । ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) କୋର୍ଟ ଏହି କାର୍ଯ୍ୟାନୁଷ୍ଠାନ ନେଇଥିଲେ। ଜବତ ସମ୍ପତ୍ତିରେ ମୁମ୍ବାଇ ଫ୍ଲାଟ୍ ବ୍ୟତୀତ ତାଙ୍କ ରାୟଗଡ଼ରେ ଅବସ୍ଥିତ ୨.୬୭ କୋଟି ଟଙ୍କାର ଜମି ମଧ୍ୟ ସାମିଲ ଥିଲା ।
ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହ କିଛି ଦିନ ପୂର୍ବରୁ ମହାରାଷ୍ଟ୍ରର ମୁଖ୍ୟ ମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ଚିଠି ଲେଖିଥିଲେ । ଯେଉଁଥିରେ ସେ ଅଭିଯୋଗ କରିଥିଲେ ଯେ ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଥିବା ବେଳେ ଅନିଲ ବରଖାସ୍ତ ହୋଇସାରିଥିବା ପୋଲିସ ଅଧିକାରୀ ସଚ଼ିନ ୱାଜେଙ୍କୁ ମୁମ୍ବାଇର ବାର ଏବଂ ରେଷ୍ଟ୍ରୁରାଣ୍ଟରୁ ମାସକୁ ୧୦୦ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସ୍ବତନ୍ତ୍ର ପି.ଏମ.ଏମ.ଏଲ. କୋର୍ଟ ଗତ ୬ ତାରିଖରେ ଅନିଲଙ୍କ ଦୁଇ ସହଯୋଗୀଙ୍କୁ ନ୍ୟାୟିକ ହେପାଜତକୁ ପଠାଇଥିଲେ ।
ଇଡି ଗତ ଜୁନ୍ ୨୬ରେ ଦେଶମୁଖଙ୍କ ବ୍ୟକ୍ତିଗତ ସଚ଼ିବ ସଞ୍ଜୀବ ପଲାଣ୍ଡେ ଓ ସହାୟକ କୁନ୍ଦନ ସିନ୍ଦେଙ୍କୁ ଗିରଫ କରିଥିଲେ। ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟର ବ୍ୟବସ୍ଥା ଅନୁଯାୟୀ ସେମାନଙ୍କ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।