News18 Odia Digital
ନୂଆ ଦିଲ୍ଲୀ: ଆଗାମୀ ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଭାରତୀୟ ଦଳକୁ ଏକ ବଡ଼ ଝଟକା ଲାଗିବା ସହ କାନ୍ଧରେ ଆଘାତ କାରଣରୁ ଓପନର ଶିଖର ଧାବନ ନ୍ୟୁଜିଲାଣ୍ଡ ସହ ଟି-ଟ୍ବେଣ୍ଟି ଏବଂ ଏକଦିବସୀୟ ସିରିଜରୁ ବାଦ୍ ପଡ଼ିଛନ୍ତି । ଧାବନ ଅଷ୍ଟ୍ରେଲିଆ ବିରୋଧରେ ବେଙ୍ଗାଲୁରର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଅନୁଷ୍ଠିତ ତୃତୀୟ ଦିନିକିଆରେ ଫିଲଡିଂ କରୁଥିବାବେଳେ ଆଘାତ ପ୍ରାପ୍ତ ହୋଇଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ତେବେ ତାଙ୍କ ସ୍କାନ ରିପୋର୍ଟ ଭଲ ଆସିନଥିବା ଖବର ମିଳିଥିବାରୁ ତାଙ୍କୁ ଟି-ଟ୍ବେଣ୍ଟି ଏବଂ ଏକଦିବସୀୟ ସିରିଜରୁ ବାହାର ରଖାଯାଇଛି ।
ଓପନର ଧାବନ ସିରିଜରୁ ବାଦ ପଡ଼ିଥିବାବେଳେ ତାଙ୍କ ନାମକୁ ନ୍ୟୁଜିଲାଣ୍ଡ ଯିବାକୁ ଥିବା ଖେଳାଳିଙ୍କ ସୂଚୀରୁ ହଟାଇଦିଆଯାଇଛି । ତେବେ ତାଙ୍କ ବଦଳରେ କେଉଁ ଖେଳାଳି ଟିମରେ ସାମିଲ ହେବେ ସେନେଇ ସ୍ପଷ୍ଟ ଭାବେ କିଛି ଜଣାପଡ଼ିନଥିବାବେଳେ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଥିବା ଏ-ଟିମରୁ କୌଣସି ଖେଳାଳିଙ୍କୁ ବିକଳ୍ପ ଭାବେ ସାମିଲ କରାଯାଇପାରେ । ରିପୋର୍ଟ ଅନୁସାରେ ଧାବନଙ୍କ ସମ୍ପର୍କରେ ଖବର ଆସିବା ପରେ ବିସିସିଆଇର ଅଧିକାରୀ ଏବଂ ଟିମ୍ ମ୍ୟାନେଜମ୍ୟାଣ୍ଟ ଚୟନ ସମିତି ସହିତ କନଫରେନ୍ସ କଲରେ କଥା ହୋଇଥିଲା । ଭାରତୀୟ ଦଳ ନ୍ୟୁଜିଲାଣ୍ଡ ସହିତ ପ୍ରଥମ ମ୍ୟାଚ ୨୨ ଜାନୁଆରୀରେ ଖେଳିବାକୁ ଥିବାବେଳେ ତାଙ୍କ ବିକଳ୍ପ ଘୋଷଣାରେ ଟିକେ ଡେରି ହୋଇପାରେ ।
ଶିଖରଙ୍କ ବିକଳ୍ପ ଭାବରେ ମୟଙ୍କ ଅଗ୍ରଓ୍ବାଲଙ୍କୁ ସାମିଲ କରାଯାଇପାରେ ଯିଏ ଆଇସିସି ବିଶ୍ବକପରେ ଭାରତୀୟ ଦଳରେ ସାମିଲ ଥିଲେ । ସେହିପରି ସୂର୍ଯ୍ୟକୁମାର ଯାଦବ ଏବଂ ପୃଥ୍ବୀ ଶଙ୍କ ଭଳି ଖେଳାଳିଙ୍କୁ ଅଣଦେଖା କରାଯିବା ସମ୍ଭବ ନୁହେଁ କାହିଁକି ନା ସେମାନେ ଲଗାତାର ଶ୍ରେଷ୍ଠ ପ୍ରଦର୍ଶନ କରିଆସୁଛନ୍ତି । ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ରବି ଶାସ୍ତ୍ରୀ ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ବିସିସିଆଇ ସମ୍ପାଦକ ଜୟ ଶାହାଙ୍କ ସହ ଲମ୍ବା କଥାବାର୍ତ୍ତା ହୋଇଛନ୍ତି । ଅଷ୍ଟ୍ରେଲିଆ ବିରୋଧରେ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ ସମୟରେ ଏହି ଦୁଇଜଣ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଭେଟିଥିଲେ
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।