ଟ୍ରମ୍ପ୍ ଖାଇବେ ଦିଲ୍ଲୀର ପାଣ୍ଡେଜୀଙ୍କ ଦୋକାନରୁ ସ୍ପେଶାଲ୍‌ ପାନ; ଆଗରୁ ବୁଶ୍ ଓ ଓବାମା ବି ଚ଼ାଖିଛନ୍ତି

ଟ୍ରମ୍ପ୍ ଦମ୍ପତିଙ୍କ ପାଇଁ ଦିଲ୍ଲୀରେ ହୋଇଥିବା ବିଭିନ୍ନ ଭାରତୀୟ ବ୍ୟଞ୍ଜନର ତାଲିକାରେ ରହିଛି ୫୬ ପ୍ରକାର ଦେଶୀ ବ୍ୟଞ୍ଜନ । ସବୁ ଠାରୁ ଖାସ୍ ଆଇଟମ୍ ହେଉଛି ନର୍ଥ୍ ଆଭେନ୍ୟୁ ସ୍ଥିତ ପାଣ୍ଡେଜୀଙ୍କ ଦୋକାନରୁ ଆସିବାକୁ ଥିବା ପାନ । ଅପରାହ୍ଣ ଓ ରାତି ଭୋଜନ ପରେ ଭିନ୍ନ ଭିନ୍ନ ମିଠା ମସଲା ଦେଇ ଭଙ୍ଗା ଯାଉଥିବା ପାନର ସ୍ଵାଦ ଚ଼ାଖିବେ ଟ୍ରମ୍ପ୍ ।

ଟ୍ରମ୍ପ୍ ଖାଇବେ ଦିଲ୍ଲୀର ପାଣ୍ଡେଜୀଙ୍କ ଦୋକାନରୁ ସ୍ପେଶାଲ୍‌ ପାନ; ଆଗରୁ ବୁଶ୍ ଓ ଓବାମା ବି ଚ଼ାଖିଛନ୍ତି
ଟ୍ରମ୍ପ୍‌ ଖାଇବେ ଦିଲ୍ଲୀର ସ୍ପେଶାଲ୍‌ ପାନ
  • News18 Odia
  • Last Updated: February 25, 2020, 1:34 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଲିପିକା ମହାନ୍ତ | News18 Odia Digital

ନୂଆ ଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡ଼ୋନାଲଡ୍‌ ଟ୍ରମ୍ପ୍ ଓ ତାଙ୍କ ପରିବାରକୁ ରାଷ୍ଟ୍ରୀୟ ରାଜଧାନୀରେ ଭବ୍ୟ ସ୍ୱାଗତ କରିବା ପାଇଁ ସବୁ ପ୍ରସ୍ତୁତି ସରିଛି । ଟ୍ରମ୍ପ୍ ଦମ୍ପତିଙ୍କ ପାଇଁ ହୋଇଥିବା ବିଭିନ୍ନ ଭାରତୀୟ ବ୍ୟଞ୍ଜନର ତାଲିକାରେ ରହିଛି ୫୬ ପ୍ରକାର ଦେଶୀ ବ୍ୟଞ୍ଜନ ।

ଏ ସବୁ ବ୍ୟଞ୍ଜନ ଭିତରେ ସବୁ ଠାରୁ ଖାସ୍‌ ଆଇଟମ୍ ହେଉଛି ନର୍ଥ୍‌ ଆଭେନ୍ୟୁ ସ୍ଥିତ ପାଣ୍ଡେଜୀଙ୍କ ପାନ । ଅପରାହ୍ଣ ଓ ରାତ୍ରି ଭୋଜନ ପରେ ପାଣ୍ଡେଜୀଙ୍କ ପାନ ଦୋକାନରୁ ଭିନ୍ନ ଭିନ୍ନ ରକମର ମିଠା ମସଲା ଦେଇ ଭଙ୍ଗା ଯାଉଥିବା ପାନର ସ୍ଵାଦ ଚ଼ାଖିବେ ଟ୍ରମ୍ପ୍ । ଏ ନେଇ ହାଇଦ୍ରାବାଦ ହାଉସ୍‌ ଓ ରାଷ୍ଟ୍ରପତି ଭବନରୁ ନିର୍ଦ୍ଦିଷ୍ଟ ମିଠା ଓ ସାଦା ପାନ ପାଇଁ ପାଣ୍ଡେଜୀଙ୍କୁ ମିଳିଛି ଅର୍ଡର ।

ଆପଣଙ୍କ ମନରେ ନିଶ୍ଚିତ କୌତୁହଳ ସୃଷ୍ଟି ହେଉଥିବ ଯେ ପାଣ୍ଡେଜୀଙ୍କ ପାନରେ ଏମିତି କ’ଣ ଯାଦୁଗରୀ ଅଛି ଯେ ଖୋଦ୍‌ ଆମେରିକାର ରାଷ୍ଟ୍ରପତିଙ୍କ ଖାଦ୍ୟ ତାଲିକାରେ ତାକୁ ସାମିଲ କରାଯାଇଛି । ତେବେ ଜାଣନ୍ତୁ ପାଣ୍ଡେଜୀଙ୍କ ପାନ ଦୋକାନର ଇତିହାସ ବିଷୟରେ । ୧୯୪୩ ମସିହା, ଅର୍ଥାତ୍‌ ଦେଶ ସ୍ଵାଧୀନ ହେବାର ଚ଼ାରି ବର୍ଷ ପୂର୍ବରୁ, ଖୋଲାଯାଇଥିବା ଏହି ଦୋକାନରେ ବନାଯାଉଥିବା ପାନର ନିଆରା ସ୍ଵାଦ ଚ଼ାଖିସାରିଛନ୍ତି ଦେଶର ରାଷ୍ଟ୍ରପତି, ପ୍ରଧାନ ମନ୍ତ୍ରୀ ଓ ପାଖାପାଖି ସବୁ ବିଦେଶୀ ଅତିଥି ।

‘‘ଡ଼ୋନାଲଡ଼ ଟ୍ରମ୍ପଙ୍କ ଭାରତ ଯାତ୍ରା ସମୟରେ ତାଙ୍କ ପାଇଁ ଆୟୋଜିତ ବେଉଥିବା ଅପରାହ୍ଣ ଓ ରାତ୍ରି ଭୋଜନ ପାଇଁ ହାଇଦ୍ରାବାଦ୍‌ ହାଉସ ଓ ରାଷ୍ଟ୍ରପତି ଭବନରେ ଖାସ ମିଠା ଓ ସାଦା ପାନର ଅଗ୍ରୀମ ଅର୍ଡର ମିଳିଛି ମୋତେ । ଖାସ୍‌ କରି ଟ୍ରମ୍ପଙ୍କ ପାଇଁ ମୁଁ ପ୍ରସ୍ତୁତ କରିବି ଅରେଞ୍ଜ୍‌ ଫ୍ଲେଭରର ପାନ । ଇଣ୍ଟରନେଟରେ ସର୍ଚ୍ଚ କରି ଟ୍ରମ୍ପଙ୍କ ପସନ୍ଦ ଅନୁଯାୟୀ ଅରେଞ୍ଜ୍‌, ଚକୋଲେଟ୍‌ ଓ କିୱି ଆଦିକୁ ନେଇ ବିଶେଷ ଧରଣର ପାନ ପ୍ରସ୍ତୁତ କରିବି,’’ ନ୍ୟୁଜ୍‌18 ଓଡ଼ିଆ ଡିଜିଟାଲକୁ କହିଛନ୍ତି ପାଣ୍ଡେଜୀ ପାନ ଦୋକାନର ସଞ୍ଚାଳକ ଦେବୀ ପ୍ରସାଦ ପାଣ୍ଡେ ।

ପାଣ୍ଡେଜୀ ପାନ ଦୋକାନର ସଞ୍ଚାଳକ ଦେବୀ ପ୍ରସାଦ ପାଣ୍ଡେ


ତିନି ପିଢ଼ି ଧରି ପାଣ୍ଡେ ପରିବାର ଏହି ପାନ ଦୋକାନକୁ ଚ଼ଲାଇ ଆସୁଛନ୍ତି । ଆଉ ଗୋଟିଏ ରୋଚ଼କ କଥା ଏହା ଯେ ପୂର୍ବତନ ରାଷ୍ଟ୍ରପତି ଭି.ଭି. ଗିରି ଦେବୀ ପ୍ରସାଦ ପାଣ୍ଡେଙ୍କ ପିତା ଶିବ ନାରାୟଣ ପାଣ୍ଡେଙ୍କୁ ଉକ୍ତ ଦୋକାନଟି ଉପହାର ସ୍ୱରୂପ ଭେଟି ଦେଇଥିଲେ । ତା’ ପର ଠାରୁ ରାଷ୍ଟ୍ରପତି ଭବନ ଓ ହାଇଦ୍ରାବାଦ ହାଉସର ସମସ୍ତ ବିଦେଶୀ ଅତିଥିଙ୍କ ସ୍ଵାଗତ ପାଇଁ ଏଠାରୁ ହିଁ ଯାଇଥାଏ ବିଶେଷ ଭାବେ ପ୍ରସ୍ତୁତ ହୋଇଥିବା ପାନ ।

ବିଭିନ୍ନ ଦେଶର ରାଷ୍ଟ୍ରାଧ୍ୟକ୍ଷଙ୍କ ଠାରୁ ଆରମ୍ଭ କରି ଭାରତର ରାଷ୍ଟ୍ରପତି, କ୍ରିକେଟର ଓ ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତେ ପାଣ୍ଡେଜୀଙ୍କ ପାନ ଖାଇବା ପାଇଁ ଆସିଥାନ୍ତି । ବିଲ୍‌ କ୍ଳିଣ୍ଟନ୍, ଜର୍ଜ୍‌ ବୁଶ୍‌, ବିରାଟ କୋହଲି, ଶିଖର୍‌ ଧୱନ, ଏମ୍‌.ଏଫ୍. ହୁସେନ, ସଇଦ୍‌ ଜାଫରୀ, ନରେନ୍ଦ୍ର ମୋଦି, ଇନ୍ଦିରା ଗାନ୍ଧୀ ଓ ଅବଦୁଲ କଲାମଙ୍କ ଭଳି ଅନେକ ନାମୀଦାମୀ ବ୍ୟକ୍ତିତ୍ୱ ଏଠାକାର ପାନର ସ୍ଵାଦ ଚ଼ାଖି ସାରିଛନ୍ତି ।

ଦୋକାନର ସଞ୍ଚାଳକ ଦେବୀ ପ୍ରସାଦ ପାଣ୍ଡେଙ୍କ କହିବା ଅନୁଯାୟୀ ଏଠାରେ ମାଧୁରୀ ଦିକ୍ଷିତଙ୍କ ନାମ ଅନୁସାରେ ‘ମାଧୁରୀ ପାନ’ ପ୍ରସ୍ତୁତ ହେଉଥିବା ବେଳେ ଚ଼କୋଲେଟ୍, ଅରେଞ୍ଜ, କିୱି, ବ୍ଲୁବେରୀ ଭଳି ପ୍ରାୟ ୮୦ ପ୍ରକାରର ପାନ ମିଳେ । ସବୁ ବିଦେଶୀ ଅତିଥିଙ୍କ ପାଇଁ ତାଙ୍କ ନିକଟରୁ ପାନ ଯାଉଥିବାରୁ ଏହା ତାଙ୍କ ପାଇଁ ଗର୍ବର ବିଷୟ ବୋଲି ନ୍ୟୁଜ୍‌18 ଓଡ଼ିଆ ଡିଜିଟାଲ ସହ ଏକ ବିଶେଷ ସାକ୍ଷାତରେ କହିଛନ୍ତି ସେ ।
First published: February 25, 2020, 1:34 AM IST
corona virus btn
corona virus btn
Loading