ମଧ୍ୟ ପ୍ରଦେଶରେ କଂଗ୍ରେସ ସରକାରକୁ ଗଡ଼େଇବା ପାଇଁ ‘ଘୋଡ଼ା ବେପାର’ ଆରମ୍ଭ ହୋଇଥିବା ଅଭିଯୋଗ

ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ କହିଛନ୍ତି ଯେ କମଲ ନାଥଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାରକୁ ଗାଦିଚ଼୍ୟୁତ କରିବା ପାଇଁ ବିଜେପି ନେତା ଶିବରାଜ ସିଂ ଚ଼ୌହାନ ଓ ଅନ୍ୟମାନେ କଂଗ୍ରେସ ବିଧାୟକମାନଙ୍କୁ ଗୁରୁଗ୍ରାମର ଏକ ହୋଟେଲରେ ଆଣି ରଖିଛନ୍ତି ଓ ଜଣକା ୨୫ରୁ ୩୫ କୋଟି ଟଙ୍କା ଦେଉଛନ୍ତି ।

(ପ୍ରତୀକାତ୍ମକ ଛବି)

(ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଗୁରୁଗ୍ରାମ: ମଧ୍ୟ ପ୍ରଦେଶର ଶାସକ ଦଳ କଂଗ୍ରେସର ଅତି କମରେ ଆଠ ଜଣ ବିଧାୟକଙ୍କୁ ସେମାନଙ୍କ ଇଚ୍ଛା ବିରୋଧରେ ଗୁରୁଗ୍ରାମର ଏକ ହୋଟଲରେ ବିଜେପି ଅଟକାଇ ରଖିଥିବା ଅଭିଯୋଗ ଆସିବା ପରେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ କହିଛନ୍ତି ଯେ ନିଲମ୍ବିତ ହୋଇଥିବା ବି.ଏସ.ପି. ବିଧାୟକ ରମାବାଇଙ୍କୁ ବିଜେପି ନେତାମାନେ ଅଟକାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ସେ ଫେରିଆସିଛନ୍ତି ।

‘‘ଯେତେବେଳ ଆମେ ଏ ବିଷୟରେ ଜାଣିବାକୁ ପାଇଲୁ, ଜିତୁ ପଟୱାରୀ ଓ ଜୟବର୍ଦ୍ଧନ ସିଂ ସେଠାକୁ ଯାଇଥିଲେ । ଯେଉଁମାନଙ୍କ ସହ ଆମର ଯୋଗାଯୋଗ ହୋଇଛି ସେମାନେ ଆମ ପାଖକୁ ଫେରି ଆସିବାକୁ ପ୍ରସ୍ତୁତ ଅଛନ୍ତି । ଆମେ ବିସହୁଲାଲ ସିଂ ଓ ରମାବାଇଙ୍କ ସହ ଯୋଗାଯୋଗ କରିବାରେ ସକ୍ଷମ ହୋଇଥିଲୁ । ବିଜେପି ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ରମାବାଇ ଫେରି ଆସିଛନ୍ତି,’’ ଦିଗବିଜୟ ସିଂ କହିଛନ୍ତି ।

"ବିଜେପିର ରାମପାଲ ସିଂ, ନରୋତ୍ତମ ମିଶ୍ର, ଅରବିନ୍ଦ ଭଦୁରିଆ ଓ ସଞ୍ଜୟ ପାଠକ ସେମାନଙ୍କୁ (କଂଗ୍ରେସ ବିଧାୟକମାନଙ୍କୁ) ଟଙ୍କା ଦେବାକୁ ଯାଉଥିଲେ। ଯଦି ସେଠି ଗୋଟେ ଛାପା ପଡ଼ିଥାନ୍ତା ତାହେଲେ ସେମାନେ ଧରାପଡିଥାନ୍ତେ ... ଆମେ ଭାବୁଛୁ ୧୦-୧୧ ଜଣ ବିଧାୟକ ସେଠି ଥିଲେ । ଏବେ ମାତ୍ର ଚ଼ାରି ଜଣ ସେମାନଙ୍କ ସହ ଅଛନ୍ତି। ସେମାନେ ବି ଆମ ପାଖକୁ ଫେରିଆସିବେ,’’ କହିଛନ୍ତି ସିଂ ।

ମଙ୍ଗଳବାର ରାତିରେ ମଧ୍ୟ ପ୍ରଦେଶର ମନ୍ତ୍ରୀ ତଥା କଂଗ୍ରେସ ନେତା ଜିତୁ ପଟୱାରୀ ଓ ଜୟବର୍ଦ୍ଧନ ସିଂ ଗୁରୁଗ୍ରାମର ମାଣେସରରେ ଥିବା ଆଇଟିସି ରିସର୍ଟରୁ ନିଲମ୍ବିତ ବି.ଏସ.ପି. ବିଧାୟକ ରମାବାଇଙ୍କ ସହ ବାହାରକୁ ଆସୁଥିବା ଦେଖିବାକୁ ମିଳିଥିଲା ।

‘‘ଏବେ ସବୁ କିଛି ନିୟନ୍ତ୍ରଣରେ ଅଛି । ଆସନ୍ତାକାଲି (ବୁଧବାର) ଆମେ ଏକ ସାମ୍ବାଦିକ ସମ୍ମିଳନୀ କରିବୁ,’’ କହିଥିଲେ ପଟୱାରୀ ।

ସୋମବାର ଦିନ ଦିଗବିଜୟ ସିଂ ଅଭିଯୋଗ କରିଥିଲେ ଯେ ମଧ୍ୟ ପ୍ରଦେଶର କମଲ ନାଥଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାରକୁ ଗାଦିଚ଼୍ୟୁତ କରିବା ପାଇଁ ବିଜେପି ନେତା ଶିବରାଜ ସିଂ ଚୌହାନ ଓ ନରୋତ୍ତମ ମିଶ୍ର କଂଗ୍ରେସ ବିଧାୟକମାନଙ୍କୁ ୨୫ରୁ ୩୫ କୋଟି ଟଙ୍କା ଲାଞ୍ଚ ଦେଉଛନ୍ତି । ଦିଗବିଜୟ ସିଂ ମଙ୍ଗଳବାର ପୁଣି ଥରେ ସରକାରକୁ ଗଡ଼େଇବା ପାଇଁ ବିଜେପି ଘୋଡ଼ା ବେପାର କରୁଥିବା ଅଭିଯୋଗ କରିଥିଲେ । ସେ ଏହା ମଧ୍ୟ କହିଥିଲେ ଯେ ସୋମବାର ଦିନ ଜଣେ ବିଜେପି ନେତା ଚାର୍ଟର ପେଲିକପ୍ଟରରେ ରମାବାଇଙ୍କୁ ଦିଲ୍ଲୀ ଆଣିଥିଲେ ।

‘‘ଶିବରାଜ ସିଂ ଚୌହାନ ଓ ନରୋତ୍ତମ ମିଶ୍ରଙ୍କ ପରି ପନ୍ଦର ବର୍ଷ ଧରି ରାଜ୍ୟକୁ ଲୁଟ୍ କରିଥିବା ଲୋକେ ମୁଖ୍ୟ ମନ୍ତ୍ରୀ ଓ ତାଙ୍କ ଡେପୁଟି ହେବା ପାଇଁ ସ୍ୱପ୍ନ ଦେଖୁଛନ୍ତି । ସେମାନେ ଏବେ କଂଗ୍ରେସ ବିଧାୟକମାନଙ୍କୁ ୨୫ ରୁ ୩୫ କୋଟି ଟଙ୍କା ଦେଇ ପ୍ରଲୋଭିତ କରୁଛନ୍ତି । ଏହି ଟଙ୍କାର ପ୍ରଥମ କିସ୍ତି ୫ କୋଟି ଦିଆଯିବାକୁ ଥିବା ବେଳେ ଦ୍ବିତୀୟ କିସ୍ତି ରାଜ୍ୟ ସଭା ନାମାଙ୍କନ ପରେ ଓ ସରକାର ଆସିବା ପରେ ଚ଼ୂଡାନ୍ତ ଅର୍ଥ ପ୍ରଦାନ କରାଯିବ ବୋଲି ଜଣା ପଡ଼ିଛି,’’ ସିଂ ଅଭିଯୋଗ କରିଥିଲେ।

ତେବେ କର୍ଣ୍ଣାଟକର ବିଧାୟକମାନଙ୍କ ଭଳି ‘‘ଆମ ବିଧାୟକ ବିକ୍ରି ହେଉ ନାହାନ୍ତି’’ ବୋଲି ସେ କହିଛନ୍ତି । ‘‘ମୁଁ କେବେ ବିନା ପ୍ରମାଣରେ କୌଣସି ଅଭିଯୋଗ ଆଣେ ନାହିଁ,’’ କହିଥିଲେ ଦିଗବିଜୟ ସିଂ ।

ତାଙ୍କର ଏହି ଅଭିଯୋଗର ଜବାବରେ ବିରୋଧୀ ଦଳ ନେତା ଗୋପାଳ ଭରଭ କହିଥିଲେ: ‘‘ମୋ’ ସହ କେହି ଯୋଗାଯୋଗରେ ନାହାନ୍ତି । ଯଦି କେହି ନିଜ ବିବେକ ଅନୁଯାୟୀ କାର୍ଯ୍ୟ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ସ୍ବାଗତ । ଯଦି ସିଂଙ୍କ ପାଖରେ ପ୍ରମାଣ ଅଛି ତେବେ ସେ ତାହା ସର୍ବସାଧାରଣରେ ଦିଅନ୍ତୁ ।’’
First published: