News18 Odia Digital
ନୂଆ ଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀ ପରିସରରେ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ନିଶାସକ୍ତ ଅବସ୍ଥାରେ ବାଲେନୋ ଚଳାଉଥିବା ପାଞ୍ଚ ଜଣ ଯୁବକ ପ୍ରଥମେ ଜଣେ ଝିଅକୁ ଧକ୍କା ଦେଇଥିଲେ। ଦୁର୍ଘଟଣା ଏତେ ଜୋର ଥିଲା ଯେ ଝିଅଟି ପ୍ରାୟ ୧୦ କିଲୋମିଟର ପର୍ଯ୍ୟନ୍ତ ଘୋଷାରି ହୋଇଯାଇଥିଲା।
ସୂଚନାନୁସାରେ, ପୀଡିତା ଝିଅ ଜଣଙ୍କ ଏକ କାର୍ଯ୍ୟକ୍ରମରେ ଡ୍ୟୁଟି କରିବା ପରେ ସ୍କୁଟିରୁ ଅମନ ବିହାରରେ ଥିବା ନିଜ ଘରକୁ ଫେରୁଥିଲେ। ଏହି ଦୁର୍ଘଟଣାରେ ପୀଡିତାଙ୍କ ଅନେକ ହାଡ ଭାଙ୍ଗି ଯାଇଥିଲା ଓ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ଘଟଣାସ୍ଥଳରେ ଥିବା କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ପୀଡିତାଙ୍କ ଅବସ୍ଥା ଏପରି ହୋଇଯାଇଥିଲା ଯେ ତାଙ୍କ ଦେହରେ ଗୋଟିଏ ବି କପଡା ନଥିଲା।
ନୂଆ ବର୍ଷ ପାଳନ ପାଇଁ ସମଗ୍ର ଦିଲ୍ଲୀ ପୋଲିସ ରାସ୍ତାରେ ଥିବାବେଳେ ଏହି ସଡକ ଦୁର୍ଘଟଣା ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ଝିଅଟି କାରରେ ଫସି ରହିଥିଲା। ସେ ବହୁତ କାନ୍ଦୁଥିଲେ, କିନ୍ତୁ କେହି ତାଙ୍କୁ ସାହାଯ୍ୟ କରିନଥିଲେ। ଝିଅଟିର ମୃତ ଶରୀର ଦେଖି ଆପଣଙ୍କ ରୁମ ମଧ୍ୟ ଟାଙ୍କୁରି ଯିବ। ଗୋଡ, ମୁଣ୍ଡ ଏବଂ ଶରୀରର ଅନ୍ୟ ଅଙ୍ଗଗୁଡ଼ିକ ଛିନଭିନ ହୋଇଯାଇଥିଲା। ଦିଲ୍ଲୀର ସୁଲତାନପୁରୀ ପୋଲିସ ଷ୍ଟେସନ ଏକ ମାମଲା ରୁଜୁ କରି ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଝିଅଟିର ପୋଷ୍ଟମର୍ଟମ ପ୍ରକ୍ରିୟା ଚାଲିଛି। ଅଭିଯୁକ୍ତ ଯୁବକମାନେ କହିଛନ୍ତି ଯେ ସେମାନେ ନିଶା ଅବସ୍ଥାରେ ଥିଲେ ଓ କାରରେ ଉଚ୍ଚ ସ୍ୱର ବଜାଉଥିଲେ। ଏହି କାରଣରୁ ସେମାନେ ଜାଣି ନଥିଲେ ଯେ ଝିଅଟି କାରରେ ଫସି ରହିଛି। ଏଥି ସହ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ୱାତୀ ମାଲିୱାଲ ଏହି ଘଟଣା ସମ୍ପର୍କରେ ମନ୍ତବ୍ୟ ଦେଇଛନ୍ତି। ଗିରଫ ଯୁବକମାନେ ଦୀପକ ଖାନ୍ନା, କୃଷ୍ଣ, ଅମିତ ଖାନ୍ନା, ମିଥୁନ ଓ ମନୋଜ ମିତ୍ତଲ ବୋଲି ଜଣାପଡିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।