ନିର୍ଭୟା ମାମଲା: ଚ଼ାରି ଦୋଷୀଙ୍କୁ ଏକା ସାଙ୍ଗରେ ଫାଶୀ ହେବ; ତାଙ୍କୁ ମିଳିଲା ସପ୍ତାହକର ସମୟ

କୌଣସି ଜଣେ ଦୋଷୀର ଆବେଦନ ବିଚ଼ାରାଧୀନ ଥିବା ଯୋଗୁଁ ଅନ୍ୟ ତିନି ଜଣ ଦୋଷୀମାନଙ୍କ ଫାଶୀ ନ ଟାଳିବା ପାଇଁ କେନ୍ଦ୍ର ସରକାର କୋର୍ଟରେ ପ୍ରାର୍ଥନା କରିଥିଲେ । କିନ୍ତୁ ହାଇ କୋର୍ଟଙ୍କ ଆଜିର ନୂଆ ରାୟ ପରେ ଏବେ ଚ଼ାରି ଦୋଷୀଙ୍କୁ ଶୀଘ୍ର ଫାଶୀ ମିଳିବାର ରାସ୍ତା ସଫା ହୋଇଥିବା ପରି ଲାଗୁଛି ।

ନିର୍ଭୟା ମାମଲା: ଚ଼ାରି ଦୋଷୀଙ୍କୁ ଏକା ସାଙ୍ଗରେ ଫାଶୀ ହେବ; ତାଙ୍କୁ ମିଳିଲା ସପ୍ତାହକର ସମୟ
ଚ଼ାରି ଦୋଷୀ – ବିନୟ, ପବନ, ଅକ୍ଷୟ ଓ ମୁକେଶ
  • News18 Odia
  • Last Updated: February 5, 2020, 4:09 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ବହୁଚ଼ର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ଦିଲ୍ଲୀ ହାଇ କୋର୍ଟ ଏକ ମହତ୍ୱପୂର୍ଣ୍ଣ ରାୟ ଦେଇ କହିଛନ୍ତି ଯେ ଚ଼ାରି ଜଣ ଦୋଷୀଙ୍କୁ ଏକା ସାଙ୍ଗରେ ଫାଶୀ ହେବ । ସେମାନଙ୍କୁ ଆଇନଗତ ବିକଳ୍ପ ତଲାସିବା ପାଇଁ କୋର୍ଟ ଆଉ ମାତ୍ର ଗୋଟିଏ ସପ୍ତାହର ସମୟ ଦେଇଛନ୍ତି ।

ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସାରିଥିବା ଚ଼ାରି ଦୋଷୀ – ବିନୟ, ପବନ, ଅକ୍ଷୟ ଓ ମୁକେଶ – ଙ୍କ ଫାଶୀ ଦଣ୍ଡାଦେଶ ଉପରେ କେନ୍ଦ୍ର ସରକାର ଦାୟର କରିଥିବା ଏକ ଯାଚ଼ିକାକୁ ଖାରଜ କରି ହାଇ କୋର୍ଟ ଏହି ରାୟ ଦେଇଛନ୍ତି ।

ଯାଚ଼ିକାରେ କେନ୍ଦ୍ର ସରକାର କହିଥିଲେ ଯେ ଯେହେତୁ ଚ଼ାରି ଜଣ ଦୋଷୀ ଆଇନ ପ୍ରକ୍ରିୟାର ଅନୁଚ଼ିତ ଲାଭ ନେବାକୁ ଚ଼େଷ୍ଟା କରି ଫାଶୀ ଦଣ୍ଡରୁ ବର୍ତ୍ତିବାକୁ ଚ଼େଷ୍ଟା କରୁଛନ୍ତି, ସେମାନଙ୍କ ଭିତରୁ ଯେଉଁମାନଙ୍କ ରାଜକ୍ଷମା ଆବେଦନ ଖାରଜ ହୋଇସାରିଛି ଓ ଯେଉଁମାନଙ୍କର ଆଉ କୌଣସି ସ୍ଥାନରେ କୌଣସି ଆବେଦନ ବିଚ଼ାରାଧୀନ ନାହିଁ ସେମାନଙ୍କୁ ଆଗେ ଓ ଅବିଳମ୍ବେ ଫାଶୀ ଖୁଣ୍ଟରେ ଝୁଲେଇ ଦେବାକୁ ଅନୁମତି ଦିଆଯାଉ ।

କୌଣସି ଜଣେ ଦୋଷୀର ଆବେଦନ ବିଚ଼ାରାଧୀନ ଥିବା ଯୋଗୁଁ ଅନ୍ୟ ତିନି ଜଣ ଦୋଷୀମାନଙ୍କ ଫାଶୀ ନ ଟାଳିବା ପାଇଁ କେନ୍ଦ୍ର ସରକାର କୋର୍ଟରେ ପ୍ରାର୍ଥନା କରିଥିଲେ । କିନ୍ତୁ ହାଇ କୋର୍ଟ କେନ୍ଦ୍ର ସରକାରଙ୍କ ଯାଚ଼ିକା ଖାରଜ କରି ଏହି ନୂଆ ରାୟ ଦେଇଥିବାରୁ ଏବେ ଚ଼ାରି ଜଣ ଦୋଷୀଙ୍କୁ ଶୀଘ୍ର ଫାଶୀ ମିଳିବାର ରାସ୍ତା ସଫା ହୋଇଯାଇଥିବା ପରି ଲାଗୁଛି ।

ନିର୍ଭୟାଙ୍କ ମା’ ଆଶାଦେବୀ (ଫାଇଲ୍‌ ଫଟୋ)


ହାଇ କୋର୍ଟ ପଟିଆଲା କୋର୍ଟଙ୍କ ରାୟକୁ ଠିକ୍‌ ବୋଲି ମାନି କହିଛନ୍ତି ଯେ ସବୁ ଚ଼ାରି ଜଣ ଦୋଷୀଙ୍କୁ ଏକା ସାଙ୍ଗରେ ଫାଶୀ ଦିଆଯିବା ଉଚ଼ିତ । ହାଇ କୋର୍ଟ ଦୋଷୀମାନଙ୍କ ଫାଶୀରେ ହୋଉଥିବା ବିଳମ୍ବ ପାଇଁ ଅଧିକାରୀମାନଙ୍କ ଉପରେ କ୍ରୋଧ ପ୍ରକାଶ କରିଛନ୍ତି । ଆଜି ଠାରୁ ସପ୍ତାହକ ଭିତରେ ଡେଥଂ ୱାରେଣ୍ଟ (ମୃତ୍ୟୁ ପରୱାନା) ଲାଗୁ କରିବାର ପ୍ରକ୍ରିୟା ଆରମ୍ଭ ହୋଇଯିବ ବୋଲି କହିଛନ୍ତି ଦିଲ୍ଲୀ ହାଇ କୋର୍ଟ ।

ଦିଲ୍ଲୀର ପଟିଆଲା କୋର୍ଟଙ୍କ ଦ୍ୱାରା ଏ ମାମଲାରେ ଦୁଇ ଥର ଡେଥ୍‌ ୱାରେଣ୍ଟ ଜାରି ହେବା ପରେ ଫାଶୀର ତାରିଖ ଦୁଇ ଥର (୨୧ ଜାନୁଆରୀ ଓ ୧ ପେବୃଆରୀ) ସ୍ଥିର ହୋଇ ପୁଣି ଟଳି ଯାଇଛି । ଦୋଷୀମାନଙ୍କ ଓକିଲ ଏ.ପି. ସିଂଙ୍କ ଆଇନଗତ ହସ୍ତକ୍ଷେପ ଯୋଗୁଁ ତିହାର ଜେଲ ପ୍ରଶାସନକୁ ଦୁଇ ଥର ଫାଶୀ ଦଣ୍ଡ ଟାଳିବାକୁ ପଡ଼ିଛି ।

୧୬ ଡିସେମ୍ବର ୨୦୧୨ ରାତିରେ ୨୩ ବର୍ଷର ଏହି ପାରାମେଡିକାଲ ଛାତ୍ରୀ ସିନେମା ଦେଖି ଫେରିବା ବେଳେ ନିଜର ଜଣେ ପୁରୁଷ ବନ୍ଧୁଙ୍କ ସହ ଦକ୍ଷିଣ ଦିଲ୍ଲୀର ମୁନିର୍କା ଅଞ୍ଚଳରେ ଏକ ବସ୍‌ ଷ୍ଟାଣ୍ଡରେ ଠିଆ ହୋଇ ସରକାରୀ ବସ୍‌ ଆସିବାକୁ ଅପେକ୍ଷା କରିଥିଲେ । ଏହି ସମୟରେ ସେହି ରାସ୍ତାରେ ଯାଉଥିବା ଗୋଟେ ଘରୋଇ ବସରେ ସେ ଦୁହେଁ ବସିଗଲେ । ସେହି ଚ଼ଳନ୍ତା ବସ୍‌ ଭିତରେ ଜଣେ ନାବାଳକ ସହିତ ଅନ୍ୟ ଛଅ ଜଣ ଯୁବକ ମିଶି ଛାତ୍ରୀଙ୍କ ଅତି ବର୍ବର ଉପାୟରେ ଗଣଦୁଷ୍କର୍ମ କରିଥିଲେ ଓ ତାଙ୍କୁ ଓ ତାଙ୍କ ବନ୍ଧୁଙ୍କୁ ଖୁବ୍‌ ପିଟାମରା କରିଥିଲେ ।

ଗଣଦୁଷ୍କର୍ମ ପରେ ସେମାନେ ଛାତ୍ରୀଙ୍କୁ ଚ଼ଳନ୍ତା ବସରୁ ତଳକୁ ଫିଙ୍ଗି ଦେଇଥିଲେ । ଭୀଷଣଭାବେ ଆହତ ହୋଇଥିବା ଛାତ୍ରୀଙ୍କୁ ଭଲ ଚ଼ିକିତ୍ସା ପାଇଁ ବିମାନରେ ସିଙ୍ଗାପୁର ପଠାଯାଇଥିଲା । ସେଠି ହସ୍ପିଟାଲରେ ଛାତ୍ରୀଜଣକ ୨୯ ଡିସେମ୍ବର ୨୦୧୨ ଦିନ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଏହି ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା । ସେହି ଦିନରୁ ଗଣମାଧ୍ୟମ ସେ ଛାତ୍ରୀଙ୍କ କାଳ୍ପନିକ ନାଁ ‘ନିର୍ଭୟା’ ବ୍ୟବହାର କରି ତାଙ୍କ ବିଷୟରେ ସବୁ ଖବର ପ୍ରକାଶିତ କରିଆସୁଛି ।
First published: February 5, 2020, 4:09 PM IST
corona virus btn
corona virus btn
Loading