ମୃତ୍ୟୁ ବାର୍ଷିକୀ: ପୂର୍ବତନ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଚାରିଟି ବଡ଼ ପଦକ୍ଷେପ; ଯାହାର ପ୍ରଭାବ ଏବେବି ରହିଛି

ଅଟଳ ବିହାରୀ ବାଜପେୟୀ (Atal Bihari Vajpayee) ନିଜ କାର୍ଯ୍ୟକାଳ ମଧ୍ୟରେ ଏପରି ଅନେକ ନିଷ୍ପତ୍ତି ନେଇଥିଲେ, ଯାହାର ପ୍ରଭାବ ଆମ ଜୀବନରେ ଏବେବି ଦୃଶ୍ୟମାନ ହେଉଛି । ବାଜପେୟୀଙ୍କର ଉଚ୍ଚକୋଟୀର ପ୍ରକଳ୍ପ ଥିଲା ସ୍ୱର୍ଣ୍ଣିମ ଚତୁର୍ଭୁଜ ପ୍ରକଳ୍ପ ଓ ଗ୍ରାମ ସଡ଼କ ଯୋଜନା ଏହା ଦ୍ୱାରା ଦେଶର ଅର୍ଥନୈତିକ ବିକାଶରେ ଏକ ସଫଳ ମଡ଼େଲ୍ ପ୍ରସ୍ତୁତ କରିଥିଲେ ।

ପୂର୍ବତନ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ (ଫାଇଲ ଫଟୋ)

ପୂର୍ବତନ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ (ଫାଇଲ ଫଟୋ)

  • Share this:
News18 Odia Digital

ନୂଆ ଦିଲ୍ଲୀ: ପୂର୍ବତନ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଜି ଦ୍ୱିତୀୟ ମୃତ୍ୟୁ ବାର୍ଷିକୀ । ଏହି ଅବସରରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଓ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ପୂର୍ବାହ୍ନରେ ଅଟଳ ବିହାରୀ ମେମୋରିଆଲକୁ ଯାଇ ପୂର୍ବତନ ପ୍ରଧାନ ମନ୍ତ୍ରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହା ପରେ ପ୍ରଧାନ ମନ୍ତ୍ରୀ ମୋଦୀ ଏକ ଟୁଇଟରେ କହିଛନ୍ତି ଯେ ଦେଶର ବିକାଶରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ । ବାଜପେୟୀ ହେଉଛନ୍ତି ଭାରତର ପ୍ରଧାନ ମନ୍ତ୍ରୀଙ୍କ ମଧ୍ୟରୁ ଜଣେ, ଯିଏ କେବଳ ପ୍ରଶାସନ ଓ ପ୍ରତିରକ୍ଷା କ୍ଷେତ୍ରରେ ଦେଶକୁ ଆଗକୁ ବଢ଼ାଇ ନାହାଁନ୍ତି ବରଂ ଆର୍ଥିକ ବିକାଶ ସ୍ତରରେ ବିଶ୍ୱରେ ଏକ ସ୍ଥାନ ପ୍ରତିଷ୍ଠା କରିବାରେ ମଧ୍ୟ ସାହାଯ୍ୟ କରିଛନ୍ତି ।

୨୦୦୪ ମସିହାରେ ଯେତେବେଳେ ଅଟଳ ବିହାରୀ ବାଜପେୟୀ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ କ୍ଷମତା ହସ୍ତାନ୍ତର କରିଥିଲେ, ସେତେବେଳେ ଭାରତର ଅର୍ଥନୀତି ଶକ୍ତି ଶିଖର ଆଡ଼କୁ ଗତି କରୁଥିଲା । ସେହି ସମୟରେ ଭାରତର ଜିଡ଼ିପି ଅଭିବୃଦ୍ଧି ହାର ୮ ପ୍ରତିଶତରୁ ଅଧିକ ଥିଲା । ମୁଦ୍ରାସ୍ଫୀତି ୪ ପ୍ରତିଶତରୁ କମ୍ ଥିଲା ଓ ସେତେବେଳକୁ ବୈଦେଶିକ ମୁଦ୍ରା ସଂରକ୍ଷଣ ଦେଶରେ ସର୍ବୋଚ୍ଚ ସ୍ତରରେ ଥିଲା ।

୧୬ ଅଗଷ୍ଟ ୨୦୧୮ ମସିହାରେ ଯେତେବେଳେ ଅଟଳ ବିହାରୀ ବାଜପେୟୀଙ୍କର ଦେହାନ୍ତ ହୋଇଥିଲା ସତେବଳେ ପୁରା ଦେଶ ସ୍ତବ୍ଧ ହୋଇଯାଇଥିଲା । ତାଙ୍କ ବିୟୋଗରେ ଦେଶ ଏକ ଯୁଗଜନ୍ମା ପୁରୁଷକୁ ହରାଇଥିଲା । ନିଜ ଦଳର ସଦସ୍ୟ ହୁଅନ୍ତୁ କିମ୍ବା ବିରୋଧୀ ସମସ୍ତେ ତାଙ୍କର ପ୍ରଶଂସକ ଥିଲେ । ଯେତବେଳେ ତାଙ୍କର ଦେହାନ୍ତ ହେଲା ସେତବେଳେ ସାରା ଭାରତର ପ୍ରତ୍ୟେକ କୋଣରେ ଥିବା ତାଙ୍କ ପ୍ରଶଂସକ ମାନଙ୍କ ମଧ୍ୟରେ ଶୋକର ଛାୟା ମାଡ଼ି ଯାଇଥିଲା ।

ତିନିଥର ଭାରତର ପ୍ରଧାନମନ୍ତ୍ରୀ ହୋଇଥିବା ଅଟଳ ବିହାରୀ ବାଜପେୟୀ ୨୫ ଡିସେମ୍ବର ୧୯୨୪ ମସିହାରେ ଗ୍ୱାଲିଅରରେ ଜନ୍ମଗ୍ରହଣ କରିଥିଲେ । ଲୋକପ୍ରିୟ ନେତା ବାଜପେୟୀ ଅନେକ କାର୍ଯ୍ୟ କରିଥିଲେ ଯାହା ଦେଶର ଦିଗ ଓ ସ୍ଥିତିକୁ ସମ୍ପୁର୍ଣ୍ଣ ବଦଳାଇ ଦେଇଥିଲା ।





ଅଟଳ ବିହାରୀ ବାଜପେୟୀଙ୍କ ଚାରୋଟି ବଡ଼ ପଦକ୍ଷେପ ଯାହାର ପ୍ରଭାବ ଆମେ ଆମର ଦୈନନ୍ଦିନ ଜୀବନରେ ଦେଖିବାକୁ ମିଳେ -

୧. ଟେଲିକମ୍ ବିପ୍ଳବ : ବାଜପେୟୀ ସରକାର ଯେତେବେଳେ ଏହାର ନୂତନ ଟେଲିକମ୍ ନୀତି ଅଣିଥିଲେ ସେତେବେଳେ ସେ ସ୍ଥିର ଲାଇସେନ୍ସ ଫି ବଦଳରେ ରାଜସ୍ୱ ବଣ୍ଟନ ପାଇଁ ବ୍ୟବସ୍ଥା କରିଥିଲେ । ଏହା ବ୍ୟତୀତ ବାଜପେୟୀ ସରକାର ଥିଲେ ଯିଏ ଅନ୍ତର୍ଜାତୀୟ ଟେଲିଫୋନରେ ବିଦ୍ୟା ସଞ୍ଚର ନିଗମ ଲିମିଟେଡ଼ର ଏକଚାଟିଆ ଅଧିକାରକୁ ପରିସମାପ୍ତ କରିଥିଲେ ଓ ଘରୋଇ କମ୍ପାନୀଗୁଡିକର ପ୍ରତିଯୋଗିତା ସ୍ରୋତରେ ସାମିଲ କରି ବିଦେଶରେ କଲ୍ ଦର ହ୍ରାସ କରାଇଥିଲେ ।

ଏହା ବ୍ୟତୀତ ବାଜପେୟୀ ସରକାର ଟେଲିକମ୍ ସଂସ୍କାର ପାଇଁ ଅନେକ ପଦକ୍ଷେପ ନେଇଥିଲେ । ଏହାର ପ୍ରଭାବ ଆଜି ଟେଲିକମ୍ ସେକ୍ଟରରେ ଦୃଶ୍ୟମାନ ହେଉଛି । ବାଜପେୟୀଙ୍କ ଯୁଗରେ ଆସିଥିବା ସାଧାରଣ ମୋବାଇଲରୁ ଆଜିର ସ୍ମାର୍ଟ ଫୋନ, ୪G ନେଟୱର୍କର ପୃଷ୍ଠଭୂମି ଓ ଫ୍ରି କଲିଂ ଭଳି ସୁବିଧାର ଶ୍ରେୟ ନିଶ୍ଚିତ ଭାବରେ ଅଟଳ ବିହାରୀ ବାଜପେୟୀଙ୍କ ନିକଟକୁ ଯାଇଥାଏ ।

୨. ସ୍ୱର୍ଣ୍ଣିମ ଚତୁର୍ଭୁଜ ଓ ଗ୍ରାମ ସଡ଼କ ଯୋଜନା: ଅଟଳ ବିହାରୀ ବାଜପେୟୀଙ୍କର ଅନ୍ୟତମ ଉଚ୍ଚକୋଟୀର ପ୍ରକଳ୍ପ ହେଲା ସ୍ୱର୍ଣ୍ଣିମ ଚତୁର୍ଭୁଜ ପ୍ରକଳ୍ପ ଓ ଗ୍ରାମ ସଡ଼କ ଯୋଜନା । ତାଙ୍କର ସ୍ୱର୍ଣ୍ଣିମ ଚତୁର୍ଭୁଜ ଅଧୀନରେ ସେ ଚେନ୍ନାଇ, କୋଲକାତା, ଦିଲ୍ଲୀ ଓ ମୁମ୍ବାଇକୁ ରାଜପଥ ସହିତ ସଂଯୋଗ କରି ବାଣିଜ୍ୟ ଏବଂ ଟ୍ରାଫିକ କ୍ଷେତ୍ରରେ ଏକ ଅନନ୍ୟ କାର୍ଯ୍ୟ କରିଥିଲେ । ଗ୍ରାମ ସଡ଼କ ଯୋଜନା ଅନ୍ତର୍ଗତ ଗ୍ରାମଗୁଡ଼ିକରେ ପକ୍କା ରାସ୍ତା କରି ସହର ସହିତ ସଂଯୋଗ କରିଥିଲେ ଓ ଦେଶର ଅର୍ଥନୈତିକ ବିକାଶରେ ଏକ ସଫଳ ମଡ଼େଲ୍ ପ୍ରସ୍ତୁତ କରିଥିଲେ ।

୩. ଆର୍ଥିକ ନିଅଣ୍ଟରେ ଐତିହାସିକ ହ୍ରାସ: ଅଟଳ ବିହାରୀ ବାଜପେୟୀଙ୍କ ସରକାର ଆର୍ଥିକ ନିଅଣ୍ଟକୁ ହ୍ରାସ କରିବା ପାଇଁ ଆର୍ଥିକ ଉତ୍ତରଦାୟିତ୍ୱ ଆଇନ ପ୍ରଣୟନ କରିଛନ୍ତି । ଏହା ସାର୍ବଜନୀନ କ୍ଷେତ୍ରର ସଞ୍ଚୟକୁ ମଜବୁତ କରିଥିଲେ । ଯାହାଫଳରେ ୨୦୦୦ ଆର୍ଥିକ ବର୍ଷରେ ଦେଶର ଜିଡିପି- ୦.୮% ରୁ ୨୦୦୩ ରେ ୨.୩% କୁ ବୃଦ୍ଧି ପାଇଥିଲା ।

୪. ସର୍ବ ଶିକ୍ଷା ଅଭିଯାନ : ଏହି ଯୋଜନା ୨୦୦୧ ମସିହାରେ ଆରମ୍ଭ କରାଯାଇଥିଲା । ଏହା ଅଧୀନରେ ୬ ରୁ ୧୪ ବର୍ଷ ବୟସର ପିଲାମାନଙ୍କୁ ମାଗଣା ଶିକ୍ଷା ପ୍ରଦାନ କରିବାର ଯୋଜନା ଥିଲା । ଏହି ଯୋଜନା କାର୍ଯ୍ୟକାରୀ ହେବା ସହିତ ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା । ଏକ ଆକଳନ ଅନୁଯାୟୀ, ଏହି ଯୋଜନା କାର୍ଯ୍ୟକାରୀ ହେବାର ୪ ବର୍ଷ ମଧ୍ୟରେ ସ୍କୁଲ ବାହାରେ ପିଲାମାନଙ୍କ ସଂଖ୍ୟାରେ ୬୦ ପ୍ରତିଶତ ହ୍ରାସ ଘଟିଥିଲା ।
Published by:Jagdish Barik
First published: