News18 Odia Digital
Weather News: ଆସନ୍ତା ସପ୍ତାହ ଶେଷ ଆଡ଼କୁ ଆସିପାରେ ବାତ୍ୟା (Cyclone) । ଦକ୍ଷିଣ ବଙ୍ଗୋପ ସାଗରରେ ଲଘୁଚାପ ପାଇଁ ଅନୁକୂଳ ବାତାବରଣ, ଏଇ ସପ୍ତାହ ଶେଷ କିମ୍ବା ଆସନ୍ତା ସପ୍ତାହ ଆରମ୍ଭରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ଅନ୍ତର୍ଜାତୀୟ ପାଣିପାଗ ବିଶେଷଜ୍ଞ ତଥା ଆକ୍ୟୁ ୱେଦର୍ (Accu Weather)ର ଫୋରକାଷ୍ଟିଂ ମ୍ୟାନେଜ (Forecasting Manager)ର ଜ୍ୟାସନ ନିକଲ୍ସ (Jason Nicholls) ଟୁଇଟ କରି ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ।
ଜାସନ ନିକଲ୍ସ କହିଛନ୍ତି ଦକ୍ଷିଣ ବଙ୍ଗୋପ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ପାଇଁ ପାଗ ଅନୁକୁଳ ରହିଛି । ଏଇ ସପ୍ତାହ ଶେଷ ଆଡ଼କୁ କିମ୍ବା ଆସନ୍ତା ସପ୍ତାହ ଆରମ୍ଭ ଆଡ଼କୁ ଏଠାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏହା ସହ ସେ ଆହୁରି ପୂର୍ବାନୁମାନ କରିଛନ୍ତି ଯେ ଏହି ଲଘୁଚାପ କ୍ଷେତ୍ର ଏକ ସାମୁଦ୍ରିକ ଝଡ଼ ବା ବାତ୍ୟା ର ରୂପ ନେଇପାରେ । ଆସନ୍ତା ସପ୍ତାହ ଶେଷ ଆଡ଼କୁ ଏହା ବାତ୍ୟାର ରୂପ ନେଇପାରେ ସେ ଆକଳନ କରିଛନ୍ତି । ଏହାର ସମ୍ଭାବ୍ୟ ପ୍ରଭାବ ନେଇ ମଧ୍ୟ ନିକଲ୍ସ ଏହି ଟୁଇଟ୍ରେ ସୂଚନା ଦେଇଛନ୍ତି । ପୂର୍ବ ଭାରତରୁ ବାଂଲାଦେଶ ଏବଂ ମିଆଁମାର ଉପକୂଳ ମଧ୍ୟରେ କୌଣସି ସ୍ଥାନରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିପାରେ ବୋଲି ନିକଲ୍ସ ଆକଳନ କରିଛନ୍ତି ।
ଦକ୍ଷିଣ ବଙ୍ଗୋପସାଗରରେ ହଲଚଲ ଦେଖାଯାଇଛି । ଏହି ଅଞ୍ଚଳ ଆକାଶ ଉପରେ ମେଘମାଳା ବିକ୍ଷୀପ୍ତ ହୋଇ ରହିଛି । ପାଗ ବି ଏକ ପ୍ରକାର ଅନୁକୂଳ ରହିଛି । ଦୁଇ ଦିନ ପୂର୍ବରୁ ଏନେଇ ଭାରତୀୟ ପାଣିପାଗ ବିଭାଗ ତରଫରୁ କୁହାଯାଇଥିଲା ଯେ ମେ ୫ ତାରିଖ ପରେ ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ଏବଂ ଏହା ଆଗକୁ ଏକ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି । କିନ୍ତୁ ଏହି ସମ୍ଭାବନା କେତେ ରହିଛି, ତାହା ମେ ୧ ପରେ ହିଁ ସ୍ପଷ୍ଟ ହେବ ବୋଲି ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଥିଲେ ।
ଭୁବନେଶ୍ବର IIT ପାଣିପାଗ ବିଭାଗର ପ୍ରଫେସର ସନ୍ଦୀପ ପଟ୍ଟନାୟକ କହିଛନ୍ତି, ବାତ୍ୟା ଆଶଙ୍କାକୁ ଏଡ଼ାଇ ଦେଇ ହେବନାହିଁ । ମେ ମାସରେ ଏଇ ସମୟରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟିର ଯଥେଷ୍ଟ ସମ୍ଭାବନା ରହିଥାଏ । ସେ କହିଛନ୍ତି ଯେ, ମେ ୮ରୁ ୧୭ ମଧ୍ୟରେ ବାୟୁମଣ୍ଡଳରେ ଅଧିକ ଆର୍ଦ୍ରତା ରହିବ, ଏଭଳି ସ୍ଥିତି ବାତ୍ୟା ପାଇଁ ଅନୁକୂଳ । ତେବେ ଲଘୁଚାପ ହେଲା ପରେ ହିଁ ଏହା କେତେ ଘନୀଭୂତ ହେବ ଓ କେଉଁ ଆଡ଼କୁ ମୁହାଁଇପାରେ ତାହା କୁହାଯାଇ ପାରିବ ବୋଲି ସନ୍ଦୀପ ପଟ୍ଟନାୟକ କହିଛନ୍ତି ।
ପଢନ୍ତୁ ଏହି ଖବର :
Electric Bike : ଦମ୍ଦାର ଇଲେକ୍ଟ୍ରିକ୍ ବାଇକ୍... ୨୦ ଟଙ୍କାରେ ଚାଲିବ ୧୩୫ କି.ମି !ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।